ନୂଆଦିଲ୍ଲୀ: ଛାବଲାରେ ୧୧ ବର୍ଷ ତଳେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ଚଳନ୍ତା କାରରେ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ୩ ଦୁର୍ବୃତ୍ତଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଦଣ୍ଡାଦେଶକୁ ସୋମବାର ସୁପ୍ରିମ୍କୋର୍ଟ ଖାରଜ କରି ସେମାନଙ୍କୁ ଖଲାସ କରିଦେଇଛନ୍ତି। ତଳକୋର୍ଟ ପୂର୍ବରୁ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ତେବେ ତଦନ୍ତ କାର୍ଯ୍ୟରେ ପୁଲିସର ଦାୟିତ୍ବହୀନତା ଓ ନିଷ୍କ୍ରିୟତା ଯୋଗୁ ହିଁ ଅଭିଯୁକ୍ତମାନେ ଛାଡ଼ ପାଇଥିବା ଜଣାପଡ଼ିଛି। ପ୍ରଧାନବିଚାରପତି ୟୁୟୁ ଲଲିତ ଏବଂ ବିଚାରପତି ରବୀନ୍ଦ୍ର ଭଟ୍ଟ ଓ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଉଭୟ ତଳକୋର୍ଟ ଓ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଅଭିଯୁକ୍ତମାନଙ୍କୁ ମୁକ୍ତ କରିଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତମାନେ ହେଉଛନ୍ତି ରାହୁଲ, ରବି ଓ ବିନୋଦ। ୨୦୧୨ ଫେବ୍ରୁଆରି ୯ ତାରିଖରେ ଯୁବତୀ ଜଣକ ନିଜ କର୍ମକ୍ଷେତ୍ରରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିନେଇଥିଲେ। ପରେ ଫେବ୍ରୁଆରି ୧୪ ତାରିଖରେ ପୁଲିସ ହରିୟାଣାର ରେୱାରି ନିକଟରୁ ଯୁବତୀର କ୍ଷତାକ୍ତ ଶବ ପାଇଲା। ପୋଷ୍ଟମର୍ଟମରୁ ଜଣାପଡ଼ିଲା ତାଙ୍କୁ ଆକ୍ରମଣ କରାଯାଇଛି, ଗଣଦୁଷ୍କର୍ମ କରାଯାଇଛି ଏବଂ ଆଖିରେ ଏସିଡ୍ ଢଳାଯାଇଛି। ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି ମୃତ୍ୟୁଦଣ୍ଡାଦେଶକୁ କାଏମ ରଖିବା ପାଇଁ ଯୁକ୍ତି ବାଢ଼ିଥିବା ବେଳେ ଆମିକସ୍ କ୍ୟୁରି ସୋନିଆ ମାଥୁର ଏହା ବିରୋଧରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସର୍ବୋଚ୍ଚ ଅଦାଲତ ତାଙ୍କ ୪୦ ପୃଷ୍ଠାର ରାୟରେ ଲେଖିଛନ୍ତି ଯେ, ବିଚାର ସମୟରେ ଯେଉଁ ମ୍ୟାଟେରିଆଲ ୱିଟନେସ୍ (ବସ୍ତୁଗତ ପ୍ରମାଣ) ପ୍ରଦାନ କରାଯାଇଥିଲା ତାହାକୁ ଭଲଭାବରେ ଯାଞ୍ଚ କରାଯାଇ ନ ଥିଲା। ଟ୍ରାୟଲ କୋର୍ଟ ମଧ୍ୟ ନିଷ୍କ୍ରିୟ ଅମ୍ପାୟାର ପରି ବିଚାର କରିଛନ୍ତି।
ଅଭିଯୁକ୍ତମାନଙ୍କୁ ସ୍ବଚ୍ଛ ବିଚାର (ଫେୟାର ଟ୍ରାୟଲ)ର ଅଧିକାରରୁ ବଞ୍ଚିତ କରାଯାଇଛି। ଅନୁମାନ ବା ସନ୍ଦେହକୁ ଭିତ୍ତି କରି କାହାକୁ ଦୋଷୀସାବ୍ୟସ୍ତ କରାଯାଇ ପାରେନା। କିନ୍ତୁ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ ପ୍ରମାଣ ଏକାଠି କରିବାରେ ପୁଲିସ ବିଫଳ ହୋଇଛି। ଏହି ମାମଲାରେ ନମୁନା ସଂଗ୍ରହ, ମେଡିକାଲ ଓ ସାଇଣ୍ଟିଫିକ୍ ପ୍ରମାଣ, ଡିଏନ୍ଏ ରିପୋର୍ଟ ଆଦିର ଅଭାବ ରହିଥିଲା। ଅନେକ ପ୍ରମାଣକୁ ପୁନଃଯାଞ୍ଚ କରାଯାଇ ନ ଥିଲା। ଆହୁରି ଅନେକ ପ୍ରମାଣର ପୁନଃଯାଞ୍ଚ କରାଯାଇ ନ ଥିଲା। ତେଣୁ ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ଛଡ଼ା ଅନ୍ୟ ବିକଳ୍ପ ନ ଥିଲା ବୋଲି କୋର୍ଟ କହିଛନ୍ତି।