ମୁଜାଫରନଗର: ଜଣେ ନିଶାସକ୍ତ ଡ୍ରାଇଭରର ଉନ୍ମତ୍ତ ଗାଡ଼ି ଚାଳନା ଯୋଗୁଁ ବିହାରରେ ଆଜି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ୭୭ର ମୁଜାଫରନଗର-ସୀତାମାଢ଼ି ରାସ୍ତାରେ ସ୍କୁଲ ଛାତ୍ରଛାତ୍ରୀମାନେ ଧାଡ଼ି ବାନ୍ଧି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଏକ ବୋଲେରୋ ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ବୋଲେରୋ ଚାପାରେ ୯ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୧ ଜଣ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅପରାହ୍ନ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟାଇ ମାତାଲ ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଜାଫରନଗର ନିକଟସ୍ଥ ଧର୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏହି ଭୟାବହ ଦୁର୍ଘଟଣା ଘଟିଛି। ସ୍କୁଲ ଛୁଟି ହେବା ପରେ ଘରକୁ ଫେରିବା ପାଇଁ ଏହି ଶିଶୁମାନେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ସେହି ସମୟରେ ମୁଜାଫରନଗର-ଶିବହରି ରାଜପଥରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଶିଶୁଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ବୋଲେରୋଟି ମଧ୍ୟ ଓଲଟି ପଡ଼ିବାରୁ ସେଥିରେ ଥିବା ୪ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ଆହତ ପିଲାମାନଙ୍କୁ ତୁରନ୍ତ ଉଦ୍ଧାର କରି ମୁଜାଫର ନଗର ଶ୍ରୀକ୍ରୀଷ୍ଣା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର ମୃତ ଶିଶୁଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
ପୁଲିସ୍ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଡ୍ରାଇଭରକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ମୁଜାଫରନଗର ଏସ୍ପି କହିଛନ୍ତି। ଚଳିତମାସରେ ବିହାରରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା। ଗତ ୧୯ ତାରିଖରେ ବିବାହ ଉତ୍ସବରୁ ଫେରିବା ସମୟରେ ଭାରସାମ୍ୟ ହରାଇ ପାଟନା-ଗୟା ରାଜପଥରେ ବସ୍ ଓଲଟି ପଡ଼ିବା ଫଳରେ ୧୦ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୩୫ଜଣ ଆହତ ହୋଇଛନ୍ତି।