ଦେବୀ ଲକ୍ଷ୍ମୀଙ୍କର ପୂଜା ଦୃଷ୍ଟିରୁ ‘ସୁଦଶା ବ୍ରତ’ କେତେ ମହତ୍ତ୍ୱପୂର୍ଣ୍ଣ, ତାହାର ପ୍ରମାଣ ଏହି ବ୍ରତର ବିଧିରୁ ମିଳେ। ଏହା ମହିଳାମାନଙ୍କର ବ୍ରତ। ‘ପଦ୍ମପୁରାଣ’ ଅନୁସାରେ, ଏହା ଏକ ଯୋଗଜ ବ୍ରତ। କାରଣ, ଶୁକ୍ଳ ଦଶମୀ ଗୁରୁବାରରେ ପଡ଼ିଲେ ଏହି ବ୍ରତ ହୁଏ। ଏଥିରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରି ମହିଳାମାନେ ତାଙ୍କ ନାମରେ ନିଜର ଡାହାଣ ବାହୁରେ ଗୋଟିଏ ବ୍ରତ ବା ଡୋରକ ପିନ୍ଧି ଥାଆନ୍ତି। ଏହି ବ୍ରତରେ ଦଶଟି ଗଣ୍ଠି ପଡ଼ିଥାଏ। ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ଏହା ଦେବୀ ଲକ୍ଷ୍ମୀଙ୍କର ପ୍ରିୟ ବ୍ରତ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରତର ବିଧି ଅନୁସାରେ, ଦଶଖିଅ ଧଳାସୂତାରେ ବ୍ରତସୂତ୍ର ପ୍ରସ୍ତୁତ ହୁଏ। ଦଶହାତ ମାପର ସୂତାକୁ ତ୍ରିଗୁଣ ବା ତିନିଖିଅ କରି ବଳି, ଏହି ବ୍ରତ ପ୍ରସ୍ତୁତ କରାଯାଏ। ଛେନାପୁର ବା ଶୁକ୍ଳ ମୁଗ ଓ ନଡ଼ିଆପୁର ଦେଇ ଦଶଟି ଶୁକ୍ଳମଣ୍ଡା ବା ସିଝାମଣ୍ଡା ପ୍ରସ୍ତୁତ କରି ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଦିଆଯାଏ।
ଏହି ବ୍ରତର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନ ହେଉଛି- ଦେବୀ ଲକ୍ଷ୍ମୀଙ୍କ ନାମରେ ବ୍ରତସୂତ୍ରରେ ପକାଯାଉଥିବା ଗଣ୍ଠି। ଏଥିରେ ଲକ୍ଷ୍ମୀଙ୍କର ଦଶଟି ନାମରେ ଦଶଗଣ୍ଠି ପକାଯାଏ। ବିଭିନ୍ନ ବ୍ରତକଥାରେ ଏହି ନାମର ବିଭିନ୍ନତା ଦେଖାଯାଏ। କିନ୍ତୁ ‘ଅମରକୋଷ’ରେ ବର୍ଣ୍ଣିତ ଲକ୍ଷ୍ମୀଙ୍କର ବିଭିନ୍ନ ନାମ ଅନେକ ବ୍ରତକଥାରେ ମିଳେ। ସେହି ନାମ ହେଉଛି- ଲକ୍ଷ୍ମୀ, ପଦ୍ମାଳୟା, ପଦ୍ମା, କମଳା, ଶ୍ରୀ, ହରିପ୍ରିୟା, ଇନ୍ଦିରା, ଲୋକମାତା, ମା, କ୍ଷୀରାବ୍ଧିତନୟା, ରମା।
କିନ୍ତୁ ଗୋଟିଏ ସୁଦଶାବ୍ରତ କଥାରେ ଏହି ଦଶଟି ଗଣ୍ଠିର ସୁନ୍ଦର ବର୍ଣ୍ଣନା ଅଛି। ତାହା ହେଉଛି-
“ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀନାରାୟଣୀ।
ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ।।
ତୃତୀୟ ଗଣ୍ଠିର ନାମ ଶ୍ରୀହରିପ୍ରିୟା।
ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା।।
ପଞ୍ଚମ ଗଣ୍ଠିର ନାମ ଅଟଇ କମଳା।
ଷଷ୍ଠ ଗଣ୍ଠିର ନାମ ହୋଇଲା ଚଞ୍ଚଳା।।
ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ।
ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲଣୀ।।
ନବମ ଗଣ୍ଠିର ନାମ ଦୁର୍ଗତିନାଶିନୀ।
ଦଶମ ଗଣ୍ଠିର ନାମ ବିଷ୍ଣୁପାଟରାଣୀ।।”
ଏଣୁ, ଏହି ବ୍ରତ ମହିଳାମାନେ ପାଳନ କରୁଥିବାରୁ ଏବଂ ଏହା ଲକ୍ଷ୍ମୀଙ୍କର ପ୍ରିୟ ବ୍ରତ ହୋଇଥିବାରୁ, ‘ନଗ୍ରର ଚରଚାମାନ’ ବୁଝିଆସିବା ପାଇଁ, ଲକ୍ଷ୍ମୀ ସେଦିନ ନଗରଭ୍ରମଣ କରିବାକୁ ଇଚ୍ଛା କରିଛନ୍ତି। ତାହାର ବର୍ଣ୍ଣନା କରି ବଳରାମ ଦାସ କହିଛନ୍ତି-
“ରାତ୍ର ପ୍ରହରକଠାରୁ ପରମଲକ୍ଷ୍ମୀ ଉଠି
ଅଭୟେ ପଦ୍ମପାଦେ ଯାଇ କଲେ ଦେବୀ ତୁସ୍ତି।
ଆଗ୍ୟାଂଦେଲେ ମହାପ୍ରଭୁ ନଗ୍ର ବୁଲିଯିବି
ନଗ୍ରର ଚରଚାମାନ ବୁଝିଣ ଆସିବି।”
ତାହା ଶୁଣି ଜଗନ୍ନାଥ ଯାହା କହିଛନ୍ତି, ସେଥିରେ ଏକାନ୍ନବର୍ତ୍ତୀ ଓଡ଼ିଆ ଘରର ସୁନ୍ଦର ପରମ୍ପରା ପ୍ରତିଫଳିତ ହୋଇଛି-
“ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ବେଗହୋଇ ଯିବୁ
ବଡ଼ଭାଇ ନ ଆସୁଣୁ ବେଳହୁଁ ଆସିବୁ।”
ସ୍ୱାମୀଙ୍କର ସେହି ଅନୁମତି ପାଇ, ଆନନ୍ଦ ମନରେ ଲକ୍ଷ୍ମୀ ନଗର ଭ୍ରମଣରେ ବାହାରିଛନ୍ତି। କିନ୍ତୁ ଯେମିତି ସେମିତି ହୋଇ ନୁହେଁ; ସୁବେଶ ହୋଇ। ତାହାର ସୁନ୍ଦର ବର୍ଣ୍ଣନା ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଅଛି-
“ଜଗନ୍ନାଥ ମୁଖରୁ ଏସନ ବାଣୀ ଶୁଣି
ଭଣ୍ଡାର ଘରକୁ ବିଜେ କଲେ କମଳିଣୀ।
ବାଛି ବାଛି ଅନେକ ଯେ ଅଳଙ୍କାର ନେଲେ
ଆପଣା ଶ୍ରୀହସ୍ତେ ମାଏ ସୁବେଶ ହୋଇଲେ।”
ଲକ୍ଷ୍ମୀ କି କି ଅଳଙ୍କାରରେ ସୁବେଶ ହୋଇଛନ୍ତି, ତାହାର ଅତି ସୁନ୍ଦର ବର୍ଣ୍ଣନା ମଧ୍ୟ ବଳରାମ ଦାସ ଦେଇଛନ୍ତି-
“ନାସିକାରେ ନବରତ୍ନ ବସଣି ଖଞ୍ଜିଲେ
ଚଉସରି ରତ୍ନମାଳା କଣ୍ଠେ ଲମ୍ବାଇଲେ।
ନୀଳା ସଙ୍ଗେ ଖଞ୍ଜିଲେ ମାଣିକ୍ୟ ଦିବ୍ୟ ହୀରା
ମୁକୁତା ପ୍ରବାଳ ଶୋହେ ରତ୍ନ ଚଉସରା।
କଟୀରେ ଖଞ୍ଜିଲେ ମାୟେ ରତ୍ନ ଓଡ଼ିଆଣି
ପୟରେ ଖଞ୍ଜିଲେ ମାୟେ ନେପୁର ବାଜେଣି।
ଶ୍ରୀକରେ ସୁବର୍ଣ୍ଣ ବାହି ମୁଦ୍ରିକା ଶୋହଇ
ୟେ ବିଧି ଅନେକେ ମାୟେ ସୁବେଶ ହୁଅଇ।”
ଏହିପରି ଭାବରେ, ସୁବେଶ ହୋଇ ଦେବୀ କମଳିନୀ ରତ୍ନ ହାନ୍ଦୋଳାରେ ବିଜେ କରି ନଗ୍ର ବୁଲି ବାହାରିଛନ୍ତି।