ବେଞ୍ଚ ନୁହେଁ, ଏଣିକି ସ୍ବତନ୍ତ୍ର ରାଜ୍ୟ ଆନ୍ଦୋଳନ !
ସମ୍ବଲପୁର: ଆଜି ଓଡ଼ିଶା ସାଂସ୍କୃତିକ ସମାଜ ସଭାକକ୍ଷରେ ନାଗରିକ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅରବିନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ନେଇ ଗତ ୧୨ ତାରିଖ ଦିନ କୋର୍ଟ ଭିତରେ ଭଂଗାରୁଜା ଘଟଣାକୁ ନେଇ ଉଦ୍ବେଗ ଓ ଦୁଃଖ ପ୍ରକାଶ କରାଯାଇଥିଲା। ତେବେ, ଦାବି ଓ ଆନ୍ଦୋଳନ କରିବା ଜନସାଧାରଣଙ୍କ ଅଧିକାର ଅଟେ। ତେଣୁ, ଆନ୍ଦୋଳନ ବନ୍ଦ ହେବ ନାହିଁ, ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ସ୍ଥିର ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆବଶ୍ୟକ ହେଲେ ଆଉ ବେଞ୍ଚ ନୁହେଁ, ସିଧାସଳଖ ହାଇକୋର୍ଟ ପାଇଁ ଏବଂ ସ୍ବତନ୍ତ୍ର ରାଜ୍ୟ ଦାବିରେ ଆନ୍ଦୋଳନ କରାଯିବା ସପକ୍ଷରେ ବୈଠକରେ ସଭିଏଁ ମତବ୍ୟକ୍ତ କରିଥିଲେ। ତେବେ, ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି କେବେ ହିଂସାରେ ବିଶ୍ବାସ କରିନାହିଁ କିମ୍ବା ପ୍ରଶ୍ରୟ ଦେଇ ନାହିଁ ବୋଲି କହାଯାଇଛି। ଉକ୍ତ ଦିନ ଭଂଗାରୁଜା ସହ ନାଗରିକ କ୍ରିୟାନୁଷ୍ଠାନ କମିଟିର କୌଣସି ଜଣେ ହେଲେ ସଦସ୍ୟ ସାମିଲ ନଥିବାରୁ ଆଶ୍ବସ୍ତି ପ୍ରକଟ କରାଯାଇଥିଲା। ସରୋଜ ଦାଶ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଚାଷୀ ନେତା ଅଶୋକ ପ୍ରଧାନ, ଓଡ଼ିଶା ସାଂସ୍କୃତିକ ସମାଜର ସଭାପତି ଅଶୋକ ମିଶ୍ର, ବ୍ୟବସାୟୀ ସଂଘର ନେତା ଅରୁଣ ମୁଖାର୍ଜୀ, ନାରୀ ନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ବିଜୟଲକ୍ଷ୍ମୀ ବେହେରା, ଦୀପକ ପଣ୍ଡା, ଶିବ ପ୍ରସାଦ ମେହେର, କମଳଲୋଚନ ପଣ୍ଡା, ପ୍ରଶାନ୍ତ ପାଟଯୋଶୀ, ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।