ଖଣ୍ଡଗିରି: ଭୁବନେଶ୍ୱର ଏମ୍ସର ନିଖୋଜ କଶ୍ମୀର ଛାତ୍ର ସୋହେଲ୍ଙ୍କର ଆତଙ୍କବାଦୀ ଲିଙ୍କ୍ କଥାର ସମାଧାନ ନ ହେଉଣୁ, ସୋମବାର ଉଠିଲା ମାଓବାଦୀ ଲିଙ୍କ୍। ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଜେଲ୍ରୁ ମୁକ୍ତି ଦେବା ଦାବିରେ ସୋହେଲ୍ଙ୍କୁ ମାଓବାଦୀମାନେ ଅପହରଣ କରି ମୁଣ୍ଡଜାମିନ୍ ରଖିଛନ୍ତି ବୋଲି କଥା ଉଠିଲା। ଏ ନେଇ ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ନାଁରେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଲଗାଯାଇଥିବା ଦୁଇଟି ପୋଷ୍ଟର ସୋହେଲ୍ ନିଖୋଜ ମାମଲାକୁ ଅଧିକ ଜଟିଳ କରିଦେଲା। ତେବେ ପୁଲିସ ମାଓ ପୋଷ୍ଟର ମାମଲା ତଥା ମାଓ ଲିଙ୍କ୍ କଥାର ଖୋଳତାଡ଼୍ କରୁଥିବାବେଳେ ପୁଣି ମଙ୍ଗଳବାର କଥା ଉଠିଛି ଦିଲ୍ଲୀ ନୋଏଡ଼ାକୁ ନେଇ। ସୋହେଲ୍ ନୋଏଡ଼ାରେ କୌଣସି ସମ୍ପର୍କୀୟଙ୍କ ଘରେ ରହିଛି ବୋଲି ଖବର ପ୍ରଚାରିତ ହୋଇଛି। ସୋହେଲଙ୍କ ଭଳି ଜଣେ ଯୁବକଙ୍କୁ ଏକ କଲୋନିର ସିକ୍ୟୁରିଟି ଗାର୍ଡ଼ ଦେଖିଥିବାବେଳେ ସେ ଏକ ଏସ୍ଟିଡି ବୁଥ୍ରୁ ଜଣେ ସମ୍ପର୍କୀୟଙ୍କ ସହ କଥା ହୋଇଥିବା ନେଇ ଖବର ପ୍ରଚାରିତ ହୋଇଛି। କମିସନରେଟ୍ ପୁଲିସ ଏ ନେଇ କିଛି ସ୍ପଷ୍ଟଭାବେ କହୁନଥିଲେ ହେଁ ଏଭଳି କଥା ଉଠିଛି ବୋଲି ସ୍ୱୀକାର କରିଛି। କଥାର ସତ୍ୟତା ଥାଇପାରେ ବୋଲି ପୁଲିସ ଚିନ୍ତା କରୁଥିବା ଜଣାପଡ଼ିଛି। ତେଣୁ ବିଚାର ବିମର୍ଶ ଚାଲିଛି ଓ ପୁଲିସ ନୋଏଡ଼ା ଯାଇପାରେ ବୋଲି ସୂଚନା ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ମୁଫିତ୍ ମେହବୁବା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସୋହେଲଙ୍କ ବାବଦରେ ଟ୍ଵିଟ୍ କରିଥିଲେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତ୍ତର ଦେବାକୁ ଯାଇ ରି-ଟ୍ଵିଟ୍ କରିଛନ୍ତି। ଓଡ଼ିଶା ପୁଲିସ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ସୋହେଲଙ୍କୁ ଖୋଜିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରି-ଟ୍ଵିଟ୍ରେ ଉଲ୍ଲେଖ କରିଛନ୍ତି। ଏଣେ ଜମ୍ମୁକଶ୍ମୀର, ପଶ୍ଚିମବଙ୍ଗ ଓ ଓଡ଼ିଶା ଏମିତି ତିନି ରାଜ୍ୟର ପୁଲିସ ବିଭାଗ ସୋହେଲଙ୍କ ପତ୍ତା ଲଗାଇବା ପାଇଁ ଲାଗିପଡ଼ିଛନ୍ତି। ସୋହେଲଙ୍କ ବ୍ୟାଙ୍କ୍ ଆକାଉଣ୍ଟ, ମୋବାଇଲ୍ କଲ୍ ରେକର୍ଡ ଆଦି ଯାଞ୍ଚ ହେଉଛି। ଗତ ମାସ ୧୦ ତାରିଖରୁ ସୋହେଲଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିଲେ ବି ୧୮ ତାରିଖରୁ ଅର୍ଥାତ୍ ଖଣ୍ଡଗିରି ଥାନାରେ ନିଖୋଜ ମାମଲା ରୁଜୁ ହେବା ପରଠାରୁ ପୁଲିସ ପ୍ରତିଦିନ ଟ୍ରାକିଂ କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ଉଦ୍ୟମ ଫେଲ୍ ମାରିଛି। ଏଭିତରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ମିଳିଥିବା ମାଓ ପୋଷ୍ଟର ପୁଲିସ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଗତକାଲି ମିଳିଥିବା ମାଓ ପୋଷ୍ଟରକୁ ନେଇ ଆଜି କୌଣସି ମାଓ ସଂଗଠନ କିଛି ବି ଦାବି କରିନାହାନ୍ତି। ତେଣୁ ଗତକାଲି ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ଏହାକୁ ଫେକ୍ ପୋଷ୍ଟର ବୋଲି ଯେଉଁ ସନ୍ଦେହ ବା ଅନୁମାନ ଲଗାଇଥିଲେ, ତାହା ସତ ବୋଲି ଜଣାପଡ଼ୁଛି। ତଥାପି ସିପି ଶ୍ରୀ ଖୁରାନିଆଙ୍କ କହିବା ଅନୁସାରରେ ପୁଲିସ ଏହି ପୋଷ୍ଟରର ସତ୍ୟତା ବାବଦରେ ଛାନ୍ଭିନ୍ ଜାରି ରଖିଛି। ହାଓ୍ଵଡ଼ା ରେଳ ଷ୍ଟେସନରେ ସୋହେଲ୍ଙ୍କ ମୋବାଇଲ୍ ଫୋନ୍ ବନ୍ଦ ହେବା ଓ ତାଙ୍କ ରୁମ୍ରୁ ମିଳିଥିବା ‘ଆଇ କୁଇଟ୍’ ନୋଟ୍ରୁ ମାଓବାଦୀଙ୍କ ଅପହରଣ ମିଛ ଭଳି ଜଣାପଡ଼ୁଥିଲା। ବଦ୍ମାସୀ କରିବାକୁ କେହି ଏଭଳି କାଣ୍ଡ ରଚନା କରିଥିବା ଅନୁମାନ କରାଯାଉଛି। ତେବେ ଏହି ମାମଲା ଉପରୁ ପୁଲିସ ନଜର ହଟିନଥିବାବେଳେ ସୋହେଲ ଦିଲ୍ଲୀ ନୋଏଡ଼ାରେ ରହିଥିବା ନେଇ ଆଜି ଖବର ପ୍ରଚାରିତ ହୋଇଛି। ତେଣୁ ଏହା ପୁଲିସ ପାଇଁ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଖଣ୍ଡଗିରି ଥାନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ନୋଏଡ଼ା ପ୍ରସଙ୍ଗ ବାବଦରେ ସ୍ପଷ୍ଟ ଚିତ୍ର ମିଳିନାହିଁ। ସୋହେଲ ଭଳି ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି ବୋଲି କୁହାଯାଉଛି। ତେବେ କିଏ ଦେଖିଛି ବୋଲି ଜଣାପଡ଼ିନାହିଁ। ସେହିଭଳି ସେ କାହା ସହ ଏସ୍ଟିଡି ବୁଥ୍ରୁ କଥା ହୋଇଛନ୍ତି, ତାହା ବି ଜଣାପଡ଼ିନାହିଁ। ତେବେ ପୁଲିସ ତା’ ବାଟରେ ସୋହେଲ୍ଙ୍କ ପତ୍ତା ଲଗାଇବା ପାଇଁ ଉଦ୍ୟମ କରୁଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଠିକ୍ ତଥ୍ୟ ମିଳିଲେ କମିସନରେଟ୍ ପୁଲିସ ଦିଲ୍ଲୀ ନିଶ୍ଚୟ ଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି।