ଭୁବନେଶ୍ବର : ‘ସି ହେଲ୍ଥ ହିରୋଜ୍-ରେକଗନାଇଜିଂ ଓମେନ୍ ଇନ୍ ଆଲାଏଡ ହେଲ୍ଥ କେୟାର’ର ଉଦ୍ଘାଟନୀ ଉତ୍ସବ ପରେ ଏକ ଅଧିବେଶନ କନକ ନ୍ୟୁଜ୍ର ଉପସ୍ଥାପିକା ସ୍ବସ୍ତିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ‘କୋଭିଡ୍ ପରବର୍ତ୍ତୀ ସହଯୋଗୀ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ’କୁ ନେଇ ଅତିଥିମାନେ ଆଲୋଚନା କରିଥିଲେ। ‘ପରିଚୟ ଫାଉଣ୍ଡେସନ’ର ପ୍ରତିଷ୍ଠାତା ସଭାପତି ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଲେ, କୋଭିଡ୍ ସମୟର ସେବିକାମାନେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରିଛନ୍ତି। ନିଜ ପରିବାରକୁ ଅବହେଳା କରି ଡାକ୍ତରଖାନାରେ ଗୁରୁତର ରୋଗୀଙ୍କ ସେବା ଭଳି ମହାନ କାମ କରିଛନ୍ତି। ନିଜର ସବୁ ଦୁଃଖ ଭୁଲି ରୋଗୀଙ୍କ ମୁହଁରେ ହସ ଫୁଟାଇଛନ୍ତି। ବିନା ସର୍ତ୍ତରେ ସେବିକାମାନେ ଯେଉଁ ଭଲ ପାଇବା ଦେଇଛନ୍ତି, ତା’ର ମୂଲ୍ୟ କେବେ ବି ଦେଇହେବ ନାହିଁ ବୋଲି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶୁଶ୍ରୁତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାର୍ ପ୍ରା.ଲିର ସିଇଓ ଡା. ଚିଦାତ୍ମିକା ଖଟୁଆ କହିଲେ, କୋଭିଡ୍ ସମୟରେ ଷ୍ଟାଫ୍ ନର୍ସମାନେ ଘରେ ଛୋଟ ପିଲାଙ୍କୁ ଛାଡ଼ି ସେବା କରିବା ପାଇଁ ଆଗେଇ ଆସିଥିଲେ। ସେ ସମୟରେ ନର୍ସଙ୍କ ବିନା ଡାକ୍ତରମାନେ ଠିକ୍ ଭାବେ ନିଜର କାର୍ଯ୍ୟ ତୁଲାଇ ପାରିନଥା’ନ୍ତେ। ସେବିକାମାନେ ଗୋଟିଏ ହସ୍ପିଟାଲ୍ର ଶିରାପ୍ରଶିରା ବୋଲି ସେ କହିଥିଲେ।
ଏସିଆନ୍-ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି, ଓଡ଼ିଶା ଚାପ୍ଟରର ସଭାପତି ଡ. ଲିତା ମହାପାତ୍ର ନିଜ ଅଭିଜ୍ଞତାରୁ କହିଲେ, ଅଷ୍ଟ୍ରେଲିଆରେ ପ୍ରତି ତିନି ମାସରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ। ଯଦି କେହି ସ୍ବାସ୍ଥ୍ୟ କରିବାକୁ ଭୁଲି ଯାଇଥା’ନ୍ତି, ତାଙ୍କ ଘରକୁ ରିମାଇଣ୍ଡର ନୋଟିସ୍ ଚାଲି ଆସେ। କିନ୍ତୁ ଆମ ଦେଶରେ ସ୍ବାସ୍ଥ୍ୟ ପରୀକ୍ଷା ପ୍ରତି ଅଧିକାଂଶ ଲୋକ ସଚେତନ ନୁହଁନ୍ତି। ଏଠି ଶରୀର ବହୁତ ଖରାପ ହେଲେ ଯାଇ ଲୋକେ ହସ୍ପିଟାଲକୁ ଯାଇଥା’ନ୍ତି। ସେତେବେଳେକୁ ରୋଗୀକୁ ବଡ଼ ରୋଗ ମାଡ଼ି ବସିଥାଏ ଓ ତା’ ଜୀବନ ସଂକଟାପନ୍ନ ହୋଇସାରିଥାଏ। ‘କୋଭିଡ୍’ ପରେ ଲୋକମାନେ ସ୍ବାସ୍ଥ୍ୟକୁ ନେଇ ଅଧିକ ସଚେତନ ହୋଇପଡ଼ିଛନ୍ତି। ସ୍ବାସ୍ଥ୍ୟ ହିଁ ସମ୍ପଦ କଥାକୁ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଥିଲେ।