ମୁମ୍ବାଇ: ଦରଦାମ୍କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଶ୍ବସ୍ତ ହୋଇପାରୁନାହିଁ। ସେଥିପାଇଁ ସୁଧ ହାର ଅପରିବର୍ତ୍ତିତ ରଖିବାକୁ ମୁଦ୍ରାନୀତି କମିଟି ନିଷ୍ପତ୍ତି ନେଇଛି। ପଞ୍ଚମ ଥର ଲାଗି ସୁଧ ଅପରିବର୍ତ୍ତିତ ରଖାଯାଇଛି। ଫଳରେ ଋଣ ନେଇ ଇଏମ୍ଆଇ ଗଣୁଥିବା ଗ୍ରାହକ କୌଣସି ପ୍ରକାରରେ ପ୍ରଭାବିତ ହେବେନାହିଁ। ଆଜି ମୁଦ୍ରାନୀତି ସମୀକ୍ଷା ବିଷୟରେ ଘୋଷଣା କରି ଶକ୍ତିକାନ୍ତ କହିଛନ୍ତି ଯେ ଦରଦାମ୍ ନିୟନ୍ତ୍ରଣ ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା। କୌଣସି ନିଷ୍ପତ୍ତି ନେବା ବେଳେ ଆମେ ଦୁଇଟି ବିଷୟକୁ ଧ୍ୟାନ ଦେଉଛୁ। ତାହା ହେଉଛି ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି। ଚାରି ପ୍ରତିଶତ ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ କରିବାକୁ ଆହୁରି ବହୁ ଦୂର ଯାତ୍ରା କରିବାକୁ ପଡ଼ିବ। ସେହି ଲକ୍ଷ୍ୟ ହାସଲ ହେଲେ ବି ତାହାକୁ ମାଇଲଖୁଣ୍ଟ ଘଟଣା ବୋଲି ବିଚାର କରାଯିବ ନାହିଁ। ଖାଦ୍ୟ ସାମଗ୍ରୀ ମହଙ୍ଗା ଥିବାରୁ ନଭେମ୍ବର ମାସର ମୁଦ୍ରାସ୍ଫୀତି ଅଧିକ ରହିବ ବୋଲି ଶକ୍ତିକାନ୍ତ କହିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏଥର ସୁଧ ପରିବର୍ତ୍ତନ କରାଯାଇନାହିଁର ଅର୍ଥ ନୁହେଁ ଆଗକୁ କୋହଳ ମନୋଭାବ ପୋଷଣ କରାଯିବ। ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଲକ୍ଷ୍ୟ ୫.୪ ପ୍ରତିଶତ ରହିଛି। ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରେପୋ ହେଉଛି ସେହି ହାର ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଋଣ ଦିଆଯାଏ।
ଘରେ ନିଆଁ ଲାଗିବା ପର୍ଯ୍ୟନ୍ତ ଅପେକ୍ଷା କରିହେବନି: ଶକ୍ତିକାନ୍ତ
ମୁମ୍ବାଇ: ଅସୁରକ୍ଷିତ ଋଣ ନିୟମକୁ କଡ଼ାକଡ଼ି କରାଯିବାକୁ ଯଥାର୍ଥ ବୋଲି ଦର୍ଶାଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆର୍ଥିକ ସ୍ଥିରତା ସହ ସାଲିସ କରାଯାଇପାରିବନାହିଁ। ଆର୍ଥିକ ସ୍ଥିରତା ହେଉଛି ସାର୍ବଜନୀନ ସମ୍ପତ୍ତି ଓ ନ୍ୟାୟସଙ୍ଗତ ଭାବେ ରିଜର୍ଭ ବ୍ୟାଙ୍କ ତାହାର ସୁରକ୍ଷା କରୁଛି। ସେ କହିଛନ୍ତି ଯେ ଘରେ ନିଆଁ ଲାଗିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରିବନାହିଁ। ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଅସୁରକ୍ଷିତ ଋଣ ଉପରେ ଅଧିକ ଧ୍ୟାନ ଦେଉଥିଲେ। ସେଭଳି ଋଣରେ ୨୦-୩୦ ପ୍ରତିଶତ ବୃଦ୍ଧି ରିଜର୍ଭ ବ୍ୟାଙ୍କକୁ ଚିନ୍ତାରେ ପକାଇଥିଲା। ବାରମ୍ବାର ସେ ବିଷୟରେ ବ୍ୟାଙ୍କଗୁଡ଼ିକୁ ସତର୍କ କରିବା ପରେ ନିକଟରେ ରିଜର୍ଭ ବ୍ୟାଙ୍କ କଠୋର ପଦକ୍ଷେପ ଗ୍ରହଣ କରିଥିଲେ। ଅସୁରକ୍ଷିତ ଋଣ ଲାଗି ଦରକାର ହେଉଥିବା ପାଣ୍ଠି ଆବଶ୍ୟକତାକୁ ବଢ଼ାଇ ଦେଇଥିଲେ। ସେହି ନିଷ୍ପତ୍ତିକୁ ଶକ୍ତିକାନ୍ତ ଆଜି ଯଥାର୍ଥ ବୋଲି କହିଛନ୍ତି।