ଆମେରିକା ସ୍କାନରରେ ଭାରତୀୟ ମସଲା

ନୂଆଦିଲ୍ଲୀ: ସିଙ୍ଗାପୁର ଏବଂ ହଂକଂ ପରେ ଏବେ ଆମେରିକା ନଜରକୁ ଭାରତୀୟ ମସଲା ଆସିଯାଇଛି। କର୍କଟ ଜନିତ କୀଟନାଶକ ଏଥିଲିନ୍ ଅକ୍ସାଇଡ୍ ଅଧିକ ମାତ୍ରାରେ ଥିବା ଅଭିଯୋଗରେ ହଂକଂ ଭାରତୀୟ ମସଲା ନିର୍ମାତା ଏମ୍‌ଡିଏଚ୍ ଏବଂ ଏଭରେଷ୍ଟର କିଛି ଉତ୍ପାଦ ବିକ୍ରି ବନ୍ଦ କରିବା ପରେ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ସେମାନଙ୍କ ଉତ୍ପାଦ ବିଷୟରେ ତଥ୍ୟ ସଂଗ୍ରହ କରୁଛି। ଏଫ୍‌ଡିଏର ଜଣେ ମୁଖପାତ୍ର ରଏଟର୍ସକୁ କହିଛନ୍ତି ଯେ ଏଫ୍‌ଡିଏ ଏହି ରିପୋର୍ଟ ବିଷୟରେ ଅବଗତ ଅଛି ଏବଂ ପରିସ୍ଥିତି ବିଷୟରେ ଅତିରିକ୍ତ ସୂଚନା ସଂଗ୍ରହ କରୁଛି। ହଂକଂ ଚଳିତ ମାସରେ ତିନିଟି ଏମ୍‌ଡିଏଚ୍‌ ମସଲା ଏବଂ ଗୋଟିଏ ଏଭରେଷ୍ଟ୍‌ ମସଲା ବିକ୍ରିକୁ ସ୍ଥଗିତ ରଖିଛି । ସିଙ୍ଗାପୁର ମଧ୍ୟ କେତୋଟି ଏଭରେଷ୍ଟ ମସଲାକୁ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ ଦେଇଥିଲା। ଏଥିରେ ଅଧିକ ମାତ୍ରାରେ ଏଥିଲିନ୍ ଅକ୍ସାଇଡ୍ ରହିଛି, ଯାହା ମନୁଷ୍ୟ ବ୍ୟବହାର ପାଇଁ ଅନୁପଯୁକ୍ତ ଏବଂ ଦୀର୍ଘ ସମୟ ସଂସ୍ପର୍ଶରେ ଆସିବା ଦ୍ୱାରା କର୍କଟ ଆଶଙ୍କା ରହିଥିବା ଅଭିଯୋଗ ହୋଇଥିଲା। ହଂକଂ ଏବଂ ସିଙ୍ଗାପୁରରେ ପଦକ୍ଷେପ ନିଆଯିବା ପରେ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଏବେ ଏହି ଦୁଇ କମ୍ପାନିର ଗୁଣବତ୍ତା ମାନ ଯାଞ୍ଚ କରୁଛି। ଭାରତର ମସଲା ବୋର୍ଡ ପୂର୍ବରୁ କହିଛି ଯେ ହଂକଂ ଏବଂ ସିଙ୍ଗାପୁରର କର୍ତ୍ତୃପକ୍ଷଙ୍କଠାରୁ ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ରପ୍ତାନି ସମ୍ପର୍କରେ ତଥ୍ୟ ମଗାଯାଇଛି। ମସଲା ବୋର୍ଡ କମ୍ପାନି ଦ୍ବୟର କାରଖାନାରେ ଯାଞ୍ଚ ଆରମ୍ଭ ପରେ ଗୁଣବତ୍ତା ସମସ୍ୟାର ମୂଳ କାରଣ ଖୋଜିବା ପାଇଁ ସେମାନଙ୍କ ସହିତ କାମ କରୁଛି। ୨୦୧୯ ମସିହାରେ, ସାଲମୋନେଲା ସଂକ୍ରମଣ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଏମଡିଏଚର କେତୋଟି ବ୍ୟାଚ୍‌ ଉତ୍ପାଦ ପ୍ରତ୍ୟାହାର କରିଥିଲା।

ସମ୍ବନ୍ଧିତ ଖବର