ଚୀନ୍‌ ପ୍ରତି ଶିଳ୍ପପତି ବିମୁଖ, ଚୀନ୍ ସାମଗ୍ରୀ ବର୍ଜନ ଅଭିଯାନରେ ସାମିଲ

ଚୀନ୍‌ର ୫୦ ନିବେଶ ପ୍ରସ୍ତାବକୁ ମିଳୁନି ମଞ୍ଜୁରି

ନୂଆଦିଲ୍ଲୀ: ଚୀନ୍‌ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ବିଷୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଭାରତୀୟ ଶିଳ୍ପପତି। ଚୀନ୍‌ ସହିତ ବ୍ୟବସାୟ ସମ୍ପର୍କ ତୁଟାଇବା ଲାଗି ଜଣକ ପରେ ଜଣେ ସ୍ବର ଉଠାଉଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲ। ଚୀନ୍‌ରୁ ତାଙ୍କ କଂପାନି କୌଣସି ସାମଗ୍ରୀ ଆମଦାନି କରିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ସଂସ୍ଥାମାନେ ମଧ୍ୟ ଚୀନ୍‌ରୁ ଆମଦାନି ବନ୍ଦ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ସୀମାରେ ସେନା ସହିଦ ହେଉଥିବା ବେଳେ କାରବାର ସ୍ବାଭାବିକ ଭାବେ ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି।

ଆତ୍ମନିର୍ଭର ହେବା ଲାଗି ଆମ ପାଇଁ ଶ୍ରେଷ୍ଠ ସମୟ ଆସିଛି। ଦେଶ ଭିତରେ ସାମଗ୍ରୀ ଉତ୍ପାଦନ କରୁଥିବା ସଂସ୍ଥାଗୁଡ଼ିକୁ ସାହାଯ୍ୟ କରି ସେମାନଙ୍କୁ ଆଗକୁ ବଢ଼ାଇବା ଏବଂ ସେମାନଙ୍କ ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଲାଗି ଉଦ୍ୟମ କରାଯିବା ଦରକାର ବୋଲି ସଜ୍ଜନ କହିଛନ୍ତି। ବ୍ୟବସାୟରେ ଭଲ ମାର୍ଜିନ ହାସଲ କରିବା ଲାଗି ଅନେକ ଭାରତୀୟ ସଂସ୍ଥା ପାଇଁ ଚୀନ୍ ଗୁରୁତ୍ବପୂର୍ଣ୍ଣ। ଆମେ ନିଜେ କୌଣସି ସାମଗ୍ରୀ ବିକଶିତ ନକରି ଅନ୍ଧ ଭାବେ ସୁଲଭ ମୂଲ୍ୟର ଚୀନ୍‌ ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଗତ ସପ୍ତାହରେ ଜେଏସ୍‌ଡବ୍ଲୁର ଏମ୍‌ଡି ପାର୍ଥ ଜିନ୍ଦଲ କହିଥିଲେ ଯେ ତାଙ୍କ କଂପାନି ଆସନ୍ତା ଦୁଇ ବର୍ଷ ଭିତରେ ଚୀନ୍‌ରୁ କରୁଥିବା ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବ। ଏହି ସଂସ୍ଥା ପ୍ରତିବର୍ଷ ଚୀନ୍‌ରୁ ୩୦୦୦ କୋଟି ଟଙ୍କାର ସାମଗ୍ରୀ ଆମଦାନି କରୁଛି।

କେବଳ ସଜ୍ଜନ ନୁହନ୍ତି ଦେଶର ଅନେକ ଶିଳ୍ପପତି ଚୀନ୍ ବିରୋଧରେ ସ୍ବର ଉଠାଇଛନ୍ତି। ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ କହିଛନ୍ତି ଯେ ଡିଜିଟାଲ୍ ଭିତ୍ତିଭୂମି କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ଭାରତ ପାଖରେ ଶ୍ରେଷ୍ଠ ସୁଯୋଗ ପହଞ୍ଚିଛି। ବାୟୋକନ୍‌ର ମୁଖ୍ୟ କିରନ ମଜୁମଦାର ସ’ ମଧ୍ୟ କହିଛନ୍ତି ଯେ, ଚୀନ୍‌ର ଆପ୍ ନିଷିଦ୍ଧ ହେବା ପରେ ଭାରତୀୟ ପ୍ରଯୁକ୍ତି ସଂସ୍ଥା ଓ ଷ୍ଟାର୍ଟଅପ୍‌ଗୁଡ଼ିକ ଉନ୍ନତ ମାନର ଆପ୍ ବିକଶିତ କରିବା ଉପରେ ମନୋନିବେଶ କରିବା ଉଚିତ। ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ମଧ୍ୟ ସରକାରଙ୍କ ଆପ୍‌ ନିଷିଦ୍ଧ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ଗତ ସପ୍ତାହରେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ଆନନ୍ଦ ମହିନ୍ଦ୍ରା ମଧ୍ୟ ଚୀନ୍‌ ସରକାରଙ୍କ ଦ୍ବାରା ପରିଚାଳିତ ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମସ୍‌ର ମୁଖ୍ୟ ସମ୍ପାଦକ ହୁ ଜିଜିନ୍‌ଙ୍କୁ କଡ଼ା ଜବାବ ଦେଇଥିଲେ। ହୁ ‌ତାଙ୍କ ସମ୍ବାଦପତ୍ରରେ ଲେଖିଥିଲେ ଯେ, ଚୀନ୍‌ ଲୋକମାନେ ଭାରତୀୟ ଉତ୍ପାଦ ବର୍ଜନ କରିବାକୁ ଚାହୁଛନ୍ତି, କିନ୍ତୁ କିଛି ପାଉନାହାନ୍ତି। ଆମକୁ ଏଭଳି ଉସୁକାଉଥିବାରୁ ଧନ୍ୟବାଦ ବୋଲି ମହିନ୍ଦ୍ରା ଟ୍ବିଟର୍‌ରେ ତାଙ୍କୁ ଜବାବ ଦେଇଥିଲେ।

ନୂଆଦିଲ୍ଲୀ: ଲଦାଖ୍‌ର ଗଲ୍‌ୱାନ୍‌ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରଠାରୁ ଭାରତ ତରଫରୁ ଚୀନ୍ ବିରୋଧରେ ଗୋଟିଏ ପରେ ଗୋଟିଏ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ କରି କଡ଼ା ବାର୍ତା ଦେଇଥିବା ଭାରତ ଏବେ ଚୀନ୍‌ ସଂସ୍ଥାଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ପ୍ରାୟ ୫୦ ନିବେଶ ପ୍ରସ୍ତାବର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଗତ ଏପ୍ରିଲ୍‌ରେ ସରକାର ଏକ ନୂଆ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନୀତି ଆଣିଥିଲେ। ସେହି ନୀତି ଅନୁଯାୟୀ ପଡ଼ୋଶୀ ଦେଶର ସଂସ୍ଥା ଭାରତରେ ନିବେଶ କରିବାକୁ ହେଲେ ସରକାରଙ୍କ ଠାରୁ ମଞ୍ଜୁରି ନେବାକୁ ପଡ଼ିବ। ନୂଆ ପ୍ରକଳ୍ପ ସ୍ଥାପନ କିମ୍ବା ପୁରୁଣା ପ୍ରକଳ୍ପର ସମ୍ପ୍ରସାରଣ, ସବୁ ପ୍ରକାର ନିବେଶ ଲାଗି ସରକାରଙ୍କ ମଞ୍ଜୁରି ବାଧ୍ୟତାମୂଳକ କରାଯାଇଛି। ଭାରତରେ ଚୀନ୍‌ର ନିବେଶକମାନେ ବିପୁଳ ପରିମାଣର ନିବେଶ କରୁଛନ୍ତି। ତେଣୁ ନୀତିରେ ଅଣାଯାଇଥିବା ପରିବର୍ତନ କେବଳ ଚୀନ୍‌କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ଚୀନ୍ ସେହି ସମୟରେ ଅଭିଯୋଗ କରିଥିଲା। ଏହାକୁ ଭାରତର ବିଦ୍ବେଷମୂଳକ ପଦକ୍ଷେପ ଭାବେ ମଧ୍ୟ ବର୍ଣ୍ଣନା କରିଥିଲା। କରୋନା ସଙ୍କଟ ସମୟରେ କିଛି ଭାରତୀୟ ସଂସ୍ଥା ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଛି। ସମୟର ସୁଯୋଗ ନେଇ ସେହି ସଂସ୍ଥାଗୁଡ଼ିକୁ ବିଦେଶୀ କଂପାନି ଅଧିଗ୍ରହଣ କରିବାକୁ ଉଦ୍ୟମ କରୁଥିଲେ। ନିଜ ଦେଶର ସଂସ୍ଥାଗୁଡ଼ିକର ମାଲିକାନା ବିଦେଶୀ କଂପାନି ହାତକୁ ଯେଭଳି ଚାଲିନଯାଉ ତାହାକୁ ନିଶ୍ଚିତ କରିବା ଲାଗି ନୂଆ ଏଫ୍‌ଡିଆଇ ନୀତି ପ୍ରସ୍ତୁତ କରାଯାଇଥିଲା।

ଏହି ନୀତି ଘୋଷଣା ହେବା ପରେ ଚୀନ୍‌ର ପ୍ରାୟ ୫୦ଟି ସଂସ୍ଥା ନିବେଶ ପ୍ରସ୍ତାବ ଦାଖଲ କରି ମଞ୍ଜୁରି ଅପେକ୍ଷାରେ ଅଛନ୍ତି। ସରକାର ସେଗୁଡ଼ିକର ସମୀକ୍ଷା କରୁଛନ୍ତି। ପ୍ରସ୍ତାବଗୁଡ଼ିକର ଭାଗ୍ୟ ବିଷୟରେ ଚୀନ୍‌ରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସକୁ ସୂଚନା ଦିଆଯାଉଛି। କ୍ରିଷ୍ଣମୂର୍ତ୍ତି ଆଣ୍ଡ୍ କଂପାନି ନାମକ ଭାରତର ଏକ ଆଇନ ସଂସ୍ଥାର ପାର୍ଟନର ଆଲୋକ ସୋନକର କହିଛନ୍ତି, ଅତିକମରେ ଚୀନ୍‌ର ୧୦ଟି କଂପାନି ଭାରତରେ ନିବେଶ କରିବା ଲାଗି ସଂସ୍ଥାର ପରାମର୍ଶ ଲୋଡ଼ିଛନ୍ତି। ସରକାରଙ୍କ ତରଫରୁ ନିବେଶ ପ୍ରସ୍ତାବକୁ ନେଇ କୌଣସି ନିଷ୍ପତ୍ତି ନିଆଯାଉନଥିବାରୁ ଉଭୟ ଚୀନ୍ ଓ ଭାରତୀୟ କଂପାନିଗୁଡ଼ିକ ଚିନ୍ତିତ ଅଛନ୍ତି। ଗତ ସପ୍ତାହରେ ସରକାର ଟିକ୍‌ଟକ୍‌, ୟୁସି ବ୍ରାଉଜର ସମେତ ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ ଘୋଷଣା କରିବା ପରେ ସାରା ଦକ୍ଷିଣ ଏସିଆରେ ନିବେଶକୁ ନେଇ ଚୀନ୍‌ର ଭାବମୂର୍ତ୍ତି ଖରାପ ହୋଇଛି। ବ୍ୟବସାୟ ସମ୍ପ୍ରସାରଣ ଲାଗି ଉଦ୍ୟମ କରୁଥିବା ଚୀନ୍‌ର ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର