ଏଆଇକୁ ପରମାଣୁ ବୋମା ସହ ତୁଳନା କଲେ ବଫେଟ୍‌

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ମାନବ ସମାଜ ପ୍ରତି ଭଲ ଗୁଣଗୁଡ଼ିକ ତୁଳନାରେ ତାହାର ଖରାପ ପ୍ରଭାବକୁ ନେଇ ଅଧିକ ଆଲୋଚନା ହେଉଛି। ଯେବେଠାରୁ ଡିପ୍‌ଫେକ୍ ଭିଡିଓ ସମସ୍ୟା ଆରମ୍ଭ ହୋଇଛି, ଏହି ଆଲୋଚନା ଆହୁରି ବଢ଼ିଯାଇଛି। ନିକଟରେ ଡିପ୍‌ଫେକ୍ ଭିଡ଼ିଓର ଶିକାର ହୋଇଥିବା ବିଶି‌ଷ୍ଟ ନିବେଶକ ୱାରେନ୍ ବଫେଟ୍‌ ଏଆଇକୁ ପରମାଣୁ ବୋମା ସହ ତୁଳନା କରିଛନ୍ତି। ଏଆଇ ପଛରେ କେଉଁ ପ୍ରଯୁକ୍ତି କାମ କରୁଛି ସେ ବିଷୟରେ ବିଶେଷ କିଛି ଜାଣିନଥିବା ବଫେଟ୍‌ କହିଛନ୍ତି ଯେ ମୋ ଛବି ଓ ସ୍ବରକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏଆଇ ବିଷୟବସ୍ତୁକୁ ଦେଖିବା ପରେ ମୁଁ ଚକିତ ହୋଇପଡ଼ିଥିଲି। ଯେଉଁ ଭିଡିଓ ମୁଁ ଦେଖିଥିଲି ତାହା ଅବିକଳ ମୋ ଭଳି ଥିଲା। ମୋ ଚେହେରା, ମୋ ସ୍ବର ଏବଂ ମୁଁ ଯେଉଁଭଳି ପୋଷାକ ପିନ୍ଧେ ସେଭଳି ପୋଷାକ। ସବୁ କିଛି ମୋ ଭଳି ଥିଲା। ମୋ ଝିଅ କିମ୍ବା ପତ୍ନୀ ତାହାକୁ ଦେଖିଲେ ହୁଏତ ତାହା ନକଲି ବୋଲି ଜାଣିପାରିନଥ‌ାନ୍ତେ। ସେହି ଭିଡିଓରେ ଯେଉଁ ବାର୍ତ୍ତା ଦିଆଯାଇଥିଲା ତା’ ସହ ମୋର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ। ଏଆଇ ଦ୍ବାରା ବହୁତ ଭଲ କାମ ହୋଇପାରିବ ବୋଲି କହିବା ସହ ସେ ସତର୍କ କରିଛନ୍ତି ଯେ ଏହା ବହୁତ କ୍ଷତିକାରକ ମଧ୍ୟ ହୋଇପାରେ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଲାଗି କଠୋର ନିୟମ ପ୍ରଣୟନ କରିବା ଉପରେ ସେ ଜୋର ଦେଇଛନ୍ତି।

ସମ୍ବନ୍ଧିତ ଖବର