ଅଚ୍ୟୁତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ଲକ୍ଷ ୨୮ ହଜାର ଟଙ୍କା: ନାହିଁ ଘର, ଜମି, ସୁନା କି ଗାଡ଼ି

ଭୁବନେଶ୍ୱର: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ୁଥିବା ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ମେ ୨ ତାରିଖରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ସେ ଦେଇଥିବା ସତ୍ୟପାଠରେ ତାଙ୍କ ନାମରେ ୧୦ଲକ୍ଷ ଟଙ୍କା ରହିଥିବା ବେଳେ ପାଖରେ ନଗଦ ୨୦ ହଜାର ୫ଶହ ଟଙ୍କା ଥିବା ଦର୍ଶାଇଛନ୍ତି। ସାଂସଦ ଭାବେ ମିଳିଥିବା ବେତନରୁ ଏହି ୧୦ ଲକ୍ଷ ଟଙ୍କା ରହିଛି । ପୈତୃକ ସମ୍ପତ୍ତିରୁ ସାତ ଭାଇଭଉଣୀଙ୍କୁ ମିଳିଥିବା ଚାଷଜମି ଓ ଘରଡ଼ିହର ଅଂଶରୁ ଅଚ୍ୟୁତଙ୍କ ଅଂଶର ମୋଟ ଆନୁମାନିକ ମୂଲ୍ୟ ହେଉି ୧ଲକ୍ଷ ୨୮ ହଜାର ଟଙ୍କା । ଏହାଛଡ଼ା ତାଙ୍କ ନାମରେ ୧ଲକ୍ଷ ୬୦ ହଜାର ଟଙ୍କାର ଜୀବନ ବୀମା ପଲିସି ରହିଥିବା ବେଳେ ଇଣ୍ଡିଆନ୍‍ ବ୍ୟାଙ୍କରେ ୪୮ ହଜାର ଟଙ୍କାର ବଣ୍ଡ ଜମା ରହିଛି। ଅଚ୍ୟୁତଙ୍କର କୌଣସି ଜମି, ଘର, ସୁନା କିମ୍ବା ତାଙ୍କ ନାମରେ କୌଣସି ଗାଡ଼ି ମୋଟର ନ ଥିବା ଜଣାପଡ଼ିଛି । ଏସବୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୧୨ଲକ୍ଷ ୪୪ହଜାର ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି।

ଶ୍ରୀ ସାମନ୍ତ କିଟ୍ ଓ କିସ୍ ଭଳି ଦୁଇଟି ବିଶ୍ୱସ୍ତରୀୟ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ମଧ୍ୟ ସାଂପ୍ରତିକ ବସ୍ତୁବାଦୀ ସମାଜରେ ସେ ନିଜ ନାଁରେ କୌଣସି ସମ୍ପତ୍ତି କରିନାହାନ୍ତି। ଏହା ତାଙ୍କ ଉତ୍ସର୍ଗୀକୃତ ଜନସେବାର ପରିଚୟ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଶିକ୍ଷା ମାଧ୍ୟମରେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ କରିଆସୁଥିବା କାର୍ଯ୍ୟ ସକାଶେ ଅଚ୍ୟୁତ ସାମନ୍ତ ଓଡ଼ିଶାର ଘରେ ଘରେ ଏକ ପରିଚିତ ନାମ। ଦୀର୍ଘ ୩୧ବର୍ଷ ହେଲା ଏହି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ କରିଆସୁଥିବା ସମାଜସେବା ପାଇଁ ସେ ଦେଶ ଓ ବିଦେଶର ବିଭିନ୍ନ ମହଲରେ ସମସ୍ତଙ୍କର ମଧ୍ୟ ପ୍ରିୟପାତ୍ର ହୋଇପାରିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ରାଜ୍ୟସଭା ନିର୍ବାଚନ ଓ ୨୦୧୯ରେ ଲୋକସଭା ନିର୍ବାଚନ ପୂର୍ବରୁ ହୋଇଥିବା ନାମାଙ୍କନ ସମୟରେ ସତ୍ୟପାଠରେ ଶ୍ରୀ ସାମନ୍ତ ମଧ୍ୟ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଦେଇଥିଲେ। ତାହା ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ୨୦୧୯ ଲୋକସଭା ନିର୍ବାଚନ ସମୟରେ ତାଙ୍କର କୌଣସି ସମ୍ପତ୍ତି ମଧ୍ୟ ନଥିଲା। ଗତ ୫ବର୍ଷ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ କୌଣସି ଅଭିବୃଦ୍ଧି ହୋଇନଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର