ପେଟିଏମ୍‌ର ବାଇଜୁସ୍‌ ଭଳି ଦଶା: ୨୦୦୦ କୋଟି ଡଲାରର କମ୍ପାନି ଏବେ ୨୫୦ କୋଟି ଡଲାର

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ଟଅପ୍ ଯାତ୍ରାର ସଫଳ କାହାଣୀ ଭାବେ ବିବେଚିତ ହେଉଥିବା ଦେଶର ଦୁଇ ବଡ଼ ବ୍ରାଣ୍ଡ୍ ଏବେ ଘୋର ସଙ୍କଟ ଦେଇ ଗତି କରୁଛନ୍ତି। ସେହି ଦୁଇ ବ୍ରାଣ୍ଡ୍ ହେଉଛି ବାଇଜୁସ୍‌ ଓ ପେଟିଏମ୍। କରୋନା ମହାମାରୀ ସମୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ବାଇଜୁସ୍ ଏବେ ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ସଂଘର୍ଷ କରୁଛି। ୨୦୨୨ରେ ଏହି କମ୍ପାନିର ମୂଲ୍ୟ ୨୨୦୦ କୋଟି ଡଲାରରୁ ଅଧିକ ଥିଲା। ଏବେ ତାହାର ମୂଲ୍ୟ ୧୦୦ କୋଟି ଡଲାର ପାଖାପାଖି ରହିଛି। କମ୍ପାନିର ଏଭଳି ସ୍ଥିତି ଯୋଗୁଁ ଏହାର ମାଲିକ ବାଇଜୁ ରବିନ୍ଦ୍ରନ କାଙ୍ଗାଳ ହୋଇଯାଇଛନ୍ତି। କୋଟିପତିଙ୍କ ତାଲିକାରେ ସାମିଲ ହୋଇଥିବା ବାଇଜୁସ୍‌ଙ୍କ ଏବେ ପାଖରେ ଆଉ କିଛି ସମ୍ପତ୍ତି ନାହିଁ।

ଏବେ ବାଇଜୁଙ୍କ ଭଳି ଦଶା ଭୋଗୁଛନ୍ତି ପେଟିଏମ୍‌ର ପ୍ରତି‌‌ଷ୍ଠାତା ବିଜୟ ଶେଖର ଶର୍ମା। ୟୁପିଆଇ କାରବାରକୁ ଘରେ ଘରେ ପରିଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀ ଶର୍ମାଙ୍କ ବ୍ୟାଙ୍କିଙ୍ଗ ସଂସ୍ଥା ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ଏହାର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ତାହାର ପ୍ରଭାବରେ କମ୍ପାନିର ମୂଲ୍ୟ ମଧ୍ୟ କମିବାରେ ଲାଗିଛି। ୨୦୨୧ରେ ଆଇପିଓ ଆଣିବା ବେଳେ ପେଟିଏମ୍‌ର ମୂଳ କମ୍ପାନି ୱାନ୍‌ ୯୭ କମ୍ୟୁନିକେସନ୍ସର ମୂଲ୍ୟ ୨୦୦୦ କୋଟି ଡଲାରରୁ ଅଧିକ ଥିଲା। ଏବେ ସେହି ମୂଲ୍ୟ ୨୫୦ କୋଟି ଡଲାରକୁ ହ୍ରାସ ପାଇଛି। ପେଟିଏମ୍‌ର ସେୟାର ମୂଲ୍ୟ ଏବେ ୩୩୪ ଟଙ୍କା ୧୫ ପଇସା ରହିଛି। ପେଟିଏମ୍‌ର ସର୍ବାଧିକ କାରବାର ୱାଲେଟ୍‌ ଜରିଆରେ ହେଉଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ଏହି କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ତେବେ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ସହଯୋଗରେ ଅନ୍ୟ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରି ପେଟିଏମ୍‌ ୟୁପିଆଇ କାରବାର ଅନୁମତି ହାସଲ କରିଛି। କିନ୍ତୁ ନୂଆ ଗ୍ରାହକ ଯୋଡ଼ିବାରେ କମ୍ପାନି ବିଫଳ ହୋଇଛି।

ସମ୍ବନ୍ଧିତ ଖବର