ବଡ଼ସାହିରେ ଅଭିଜ୍ଞ ଓ ନବାଗତ ଲଢ଼େଇ: ସନାତନଙ୍କୁ ଟକ୍କର ଦେବେ ଅନସୂୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ନିର୍ବାଚନମଣ୍ଡଳୀ ବାଲେଶ୍ବର ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି। ଏହି ଆସନରେ ଚଳିତ ନିର୍ବାଚନରେ ବିଜେପିର ଅଭିଜ୍ଞ ସନାତନ ବିଜୁଳି ଓ ବିଜେଡିର ନବାଗତ ଅନସୂୟା ପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଦୁଇ ଦଳ ପାଇଁ ବିଜୟ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଉଭୟ ପ୍ରଚାରକୁ ‌ଜୋର୍‌ଦାର କରିଛନ୍ତି। ଅନସୂୟାଙ୍କ ପ୍ରଚାର ରଥର ସାରଥି ସାଜିଛନ୍ତି ସ୍ବାମୀ ତଥା ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର। ପତ୍ନୀଙ୍କ ପାଇଁ ଗଣେଶ୍ବର ଘର ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି। ଅନସୂୟା ମଧ୍ୟ ବାଲେଶ୍ବରର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ଏକାଧିକ ସମାବେଶ କରି ସାରିଲେଣି। ଏଠାରେ ପ୍ରାର୍ଥୀ ଭାବେ ଅନସୂୟାଙ୍କ ନାମ ଘୋଷଣା କରିବା ପୂର୍ବରୁ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ଦଳରୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଗଣେଶ୍ବର କୌଣସିମତେ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଢ଼ିବାର ନାରା ଦେଇ ପ୍ରଚାରକୁ ଜୋରଦାର୍‌ କରିଛନ୍ତି ସନାତନ। ୨୦୧୯ ବେଳେ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ହୋଇ ବି ବଡ଼ସାହିରେ ବିଜେଡିର ବିଜୟ ରଥ ରୋକିବାରେ ସେ ସଫଳ ହୋଇଥିଲେ। ଏଥର ଗତ ୫ ବର୍ଷର ରାଜନୈତିକ ଅଭିଜ୍ଞତାକୁ ପା‌ଥେୟ କରି ସେ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସନାତନ ଇତିମଧ୍ୟରେ ବାଲେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ମିଶି ୫ରୁ ଅଧିକ ପ୍ରଚାର ସମାବେଶ କରିବା ସହ ଭୋଟ୍‌ ମାଗିଛନ୍ତି।
ସୂଚନାଯୋଗ୍ୟ ଯେ ବଡ଼ସାହି ଓ ବେତନଟୀ ବ୍ଲକ୍‌କୁ ନେଇ ୨୦୦୯ରେ ଗଠିତ ବଡ଼ସାହି ନିର୍ବାଚନମଣ୍ଡଳୀରେ ଏଥର ୧ ଲକ୍ଷ ୯୮ ହଜାର ୯୮୧ ଭୋଟର୍‌ ମତଦାନ କରିବେ। ସେଥିରେ ୯୯ ହଜାର ୧୭୫ ଜଣ ପୁରୁଷ ଓ ୯୯ ହଜାର ୭୭୩ ଜଣ ମହିଳା ରହିଛନ୍ତି।

ସମ୍ବନ୍ଧିତ ଖବର