୩ ଦିନରେ ଉଡ଼ିଗଲା ୧୧ ଲକ୍ଷ କୋଟି: ଦିନକରେ ୮୦୦ କୋଟି ହରାଇଲେ ରେଖା

ମୁମ୍ବାଇ: ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଷ୍ଟକ୍ ବଜାରରେ କିନ୍ତୁ ଗତ କିଛି ଦିନ ହେଲାଣି ମାନ୍ଦା କାରବାର ହେଉଛି। ଗତ ତିନିଟି କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ୧୦୦୦ ପଏଣ୍ଟ ପାଖାପାଖି ହ୍ରାସ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ମଙ୍ଗଳବାର ସେନ୍‌ସେକ୍ସ ୩୮୪ ପଏଣ୍ଟ ହ୍ରାସ ପାଇ ୭୩,୫୧୨ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୧୪୦ ପଏଣ୍ଟ ହ୍ରାସ ପାଇ ୨୨,୩୦୨ ପଏଣ୍ଟରେ ବନ୍ଦ ହୋଇଛି। ଧାତବ ଓ ଅଟୋମୋବାଇଲ୍ କମ୍ପାନିଗୁଡ଼ିକର ସେୟାର ଆଜି ଚାପରେ ରହିଥିଲା। ଆଇଟି ଓ ଏଫ୍ଏମ୍‌ସିଜି କମ୍ପାନିଗୁଡ଼ିକର ସେୟାର କିଣା ବଢ଼ିବାରୁ ନିବେଶକମାନଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ବମ୍ବେ ‌ଷ୍ଟକ୍ ଏକ୍ସଚେଞ୍ଜରେ ହିନ୍ଦୁସ୍ତାନ ୟୁନିଲିଭର, ଟେକ୍ ମହିନ୍ଦ୍ରା, ନେସ୍‌ଲେ ଇଣ୍ଡିଆ, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଆଇଟିସି ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ ବଢ଼ିଥିବା ବେଳେ ପାୱାର ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଇଣ୍ଡସ୍ଇଣ୍ଡ୍‌ ବ୍ୟାଙ୍କ, ଟାଟା ମୋଟର୍ସ, ଏଚ୍‌ସିଏଲ୍ ଟେକ୍ନୋଲୋଜିସ୍‌, ଏନ୍‌ଟିପିସି ଓ ଟାଟା ଷ୍ଟିଲ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ବିଦେଶୀ ନିବେଶକମାନେ ଷ୍ଟକ୍‌ ବଜାରରେ ବିପୁଳ ସେୟାର ବିକ୍ରି କରୁଛନ୍ତି। ବୈଦେଶିକ ସଂସ୍ଥାଗତ ନିବେଶକମାନେ ୩୬୬୮ କୋଟି ଟଙ୍କାର ସେୟାର ବିକ୍ରି କରିଥିବା ବେଳେ ଦେଶ ଭିତରର ସଂସ୍ଥାଗତ ନିବେଶକମାନେ ୨୩୦୪ କୋଟି ଟଙ୍କାର ସେୟାର କିଣିଛନ୍ତି।

ମୁମ୍ବାଇ: ବିଶିଷ୍ଟ ନିବେଶକ ସ୍ବର୍ଗତଃ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ପତ୍ନୀ ରେଖା ଝୁନ୍‌ଝୁନ୍‌ୱାଲା ଗୋଟିଏ ଦିନରେ ୮୦୦ କୋଟି ଟଙ୍କା ହରାଇଛନ୍ତି। ଟାଟା ଗ୍ରୁ୍ପ୍‌ର କମ୍ପାନି ଟାଇଟାନ୍‌ର ସେୟାର ମୂଲ୍ୟରେ ସୋମବାର ହୋଇଥିବା ହ୍ରାସ ପାଇଁ ତାଙ୍କୁ ଏହି କ୍ଷତି ସହିବାକୁ ପଡ଼ିଛି। ଟାଇଟାନ୍‌ରେ ଝୁନ୍‌ଝୁନ୍‌ୱାଲାଙ୍କ ୫.୩୫ ପ୍ରତିଶତ ଅଂଶଧନ ରହିଛି ଯାହାର ମୂଲ୍ୟ ଗତ ସପ୍ତାହ ଶୁକ୍ରବାର ଦିନ ୧୬,୭୯୨ କୋଟି ଟଙ୍କା ଥିଲା। ସୋମବାର ଟାଇଟାନ୍ ସେୟାରରେ ୭% ହ୍ରାସ ହେବା ଯୋଗୁଁ ତାଙ୍କ ଅଂଶଧନ ମୂଲ୍ୟ ୮୦୫ କୋଟି ଟଙ୍କା ହ୍ରାସ ପାଇ ୧୫,୯୮୬ କୋଟି ଟଙ୍କାକୁ ଖସିଆସିଛି। ଟାଇଟାନ୍‌ର ସେୟାର ମୂଲ୍ୟ ୩୨୮୧ ଟଙ୍କା ୬୫ ପଇସାକୁ ଖସିବା ପରେ କମ୍ପାନିର ମୋଟ୍ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ୍‌) ୨,୯୧,୩୪୦.୩୫ କୋଟି ଟଙ୍କାକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର