ସ୍ବିଜରଲ୍ୟାଣ୍ଡରୁ ଆସୁଛି ସର୍ବାଧିକ ସୁନା: ୯ ମାସରେ ୩୬୦୦ କୋଟି ଡଲାରର ଆମଦାନି

୧୫ ପ୍ରତିଶତ ଆମଦାନି ଶୁଳ୍କ

ନୂଆଦିଲ୍ଲୀ: ଭାରତରେ ଲୋକମାନେ ବହୁଳ ମାତ୍ରାରେ ସୁନା ବ୍ୟବହାର କରିଥାନ୍ତି। ଲୋକଙ୍କ ଚାହିଦା ଅନୁସାରେ ସୁନା ଭାରତରେ ଉପଲବ୍ଧ ହେଉ ନଥିବାରୁ ବିଦେଶରୁ ଏହି ମୂଲ୍ୟବାନ ଧାତୁକୁ ଆମଦାନି କରିବାକୁ ପଡ଼ିଥାଏ। ଏଥିପାଇଁ ଭାରତକୁ ବିପୁଳ ମାତ୍ରାରେ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଥାଏ। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସ ଅର୍ଥାତ୍ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଭାରତ ପ୍ରାୟ ୩୬୦୦ (୩୫୯୫) କୋଟି ଡଲାର ମୂଲ୍ୟର ସୁନା ଆମଦାନି କରିଛି। ଗତ ଆର୍ଥିକ ବର୍ଷର ପ୍ରଥମ ୯ ମାସ ତୁଳନାରେ ଚଳିତବର୍ଷ ଉକ୍ତ ସମୟରେ ଭାରତର ସୁନା ଆମଦାନି ୨୬.୭ ପ୍ରତିଶତ ବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଭାରତ ୨୮୪୦ କୋଟି ଡଲାର ମୂଲ୍ୟର ସୁନା ଆମଦାନି କରିଥିଲା। ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ୨୦୨୩ ଡିସେମ୍ବର ମାସରେ ଭାରତ ୩ ବିଲିଅନ ଡଲାର ମୂଲ୍ୟର ସୁନା ଆମଦାନି କରିଛି। ୨୦୨୨ ଡିସେମ୍ବର ତୁଳନାରେ ଏହା ୧୫୬.୫ ପ୍ରତିଶତ ଅଧିକ। ଲୋକଙ୍କ ମଧ୍ୟରେ ଗହଣାର ଚାହିଦା ବୃଦ୍ଧି କାରଣରୁ ସୁନା ବ୍ୟବସାୟ ବଢ଼ୁଛି।

ଭାରତର ସୁନା ଆମଦାନିର ପ୍ରମୁଖ ସ୍ରୋତ ହେଉଛି ସ୍ବିଜରଲ୍ୟାଣ୍ଡ। ଦେଶର ମୋଟ ସୁନା ଆମଦାନିରେ ସ୍ବିଜରଲ୍ୟାଣ୍ଡ୍‌ର ଯୋଗଦାନ ପ୍ରାୟ ୪୧ ପ୍ରତିଶତ ରହିଛି। ଏହାବାଦ୍ ସଂଯୁକ୍ତ ଆରବ ଏମିରେଟ୍ସର ଯୋଗଦାନ ୧୧ ପ୍ରତିଶତ ଏବଂ ଦକ୍ଷିଣ ଆଫ୍ରିକାର ଯୋଗଦାନ ୧୦ ପ୍ରତିଶତ ରହିଛି। ଦେଶର ମୋଟ ଆମଦାନିରେ ସୁନା ଆମଦାନିର ଅଂଶ ୫ ପ୍ରତିଶତରୁ ଅଧିକ। ଅଧିକ ମାତ୍ରାରେ ସୁନା ଆମଦାନି ସତ୍ତ୍ବେ ଦେଶର ବାଣିଜ୍ୟ ନିଅଣ୍ଟ (ରପ୍ତାନି ଓ ଆମଦାନି ମଧ୍ୟରେ ପାର୍ଥକ୍ୟ) ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଦେଶର ବାଣିଜ୍ୟ ନିଅଣ୍ଟ ୧୮୮୦୨ କୋଟି ଡଲାରକୁ ହ୍ରାସ ପାଇଛି। ୨୦୨୨ ଏପ୍ରିଲ ଡିସେମ୍ବର ଅବଧିରେ ଏହା ୨୧୨୩୪ କୋଟି ଡଲାର ରହିଥିଲା। ସୁନା ଆମଦାନି ଉପରେ ଭାରତରେ ୧୫ ପ୍ରତିଶତ ଶୁଳ୍କ ଆଦାୟ ହେଉଛି। ଚୀନ ପରେ ଭାରତରେ ସବୁଠୁ ଅଧିକ ସୁନା ଗ୍ରାହକମାନେ କ୍ରୟ କରିଥାନ୍ତି। ତେଣୁ ଗହଣା ଶିଳ୍ପର ଚାହିଦା ପୂରଣ ପାଇଁ ସୁନା ଆମଦାନି କରିବାକୁ ପଡ଼ିଥାଏ। ଏଥିସହିତ ଚଳିତ ଆର୍ଥିକ ବର୍ଷର ଉପରୋକ୍ତ ସମୟରେ ଜେମ୍ସ ଆଣ୍ଡ୍‌ ଜୁଏଲାରି ରପ୍ତାନି ୧୬.୧୬ ପ୍ରତିଶତ ହ୍ରାସ ପାଇ ୨୪.୩ ବିଲିଅନ ଡଲାର ରହିଛି।

ସମ୍ବନ୍ଧିତ ଖବର