୪୦ ହଜାର ବର୍ଗଫୁଟ ଜମିରେ ନୂଆ ଅଡିଟ୍‌ ଭବନ

ଭୁବନେଶ୍ବର: ୟୁନିଟ୍‌-୫ ସ୍ଥିତ କେଶରୀ ନଗରରେ ଆଜି ନବନିର୍ମିତ ଅଡିଟ୍ ଭବନକୁ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ଉଦ୍‌ଘାଟନ କରିଛନ୍ତି। ଏହାକୁ ପ୍ରାୟ ୪୦ ହଜାର ବର୍ଗଫୁଟ ସ୍ଥାନରେ ନିର୍ମାଣ କରାଯାଇଛି। ଏହି କାର୍ଯ୍ୟାଳୟ ‌ନିର୍ମାଣ କରିବାକୁ ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ୧.୫ ଏକର ଜମି ହସ୍ତାନ୍ତର କରିଥିଲେ। ବହୁତଳ ବିଶିଷ୍ଟ ଏହି କୋଠା ନିର୍ମାଣ କରିବାରେ ୨୭.୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଜି ଛକ ସ୍ଥିତ ପୁରୁଣା କାର୍ଯ୍ୟାଳୟରେ ଥିବା ଅଡିଟ୍ ଓ ଡିଜି ସେଣ୍ଟ୍ରାଲ୍ ରେଭିନ୍ୟୁ ବ୍ୟବସ୍ଥା ନୂଆ କୋଠାକୁ ସ୍ଥାନାନ୍ତର ହେବ। ଏହି ଅବସରରେ ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆ କହିଛନ୍ତି ଯେ କୋଭିଡ୍ ମହାମାରୀ ପ୍ରଭାବରେ ଆମର ପ୍ରାୟ ୨୫ ଜଣ କର୍ମଚାରୀଙ୍କ ଦେହାନ୍ତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଏଜି କାର୍ଯ୍ୟାଳୟର ମହାନି‌ର୍ଦେଶକ ମନିଶ କୁମାର, ଭୁବନେଶ୍ବର ରେଲ୍‌ୱେ ଅଡିଟ୍‌ ପ୍ରମୁଖ ନିର୍ଦେଶକ ଅନନ୍ତ କିଶୋର ବେହେରା ସିପିଡବ୍ଲୁଡିର ଅତିରିକ୍ତ ମହାନିର୍ଦେଶକ ଟି ଏସ୍ ବିବେକାନନ୍ଦ ଓ ରଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର