ସମବାୟ ସମିତିରେ ଟଙ୍କା ରଖିବାକୁ ବାରଣ: ସମିତି ‘ବ୍ୟାଙ୍କ’ ଶବ୍ଦ ବ୍ୟବହାର ପାରିବେନି

ଜମା ଉପରେ ବୀମା ସୁରକ୍ଷା ମିଳିବନି

ମୁମ୍ବାଇ: ବ୍ୟାଙ୍କ, ବ୍ୟାଙ୍କର ଓ ବ୍ୟାଙ୍କିଙ୍ଗ ଭଳି ଶବ୍ଦକୁ ନିଜ ନାମରେ ବ୍ୟବହାର କରୁଥିବା ସମବାୟ ସମିତିଗୁଡ଼ିକରେ ଟଙ୍କା ଜମା ରଖିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବାରଣ କରାଯାଇଛି। ଲୋକମାନଙ୍କୁ ସତର୍କ ସୂଚନା ଦେଇ ସେଭଳି ସଂସ୍ଥାରେ ନିଜ କଷ୍ଟ ଉପାର୍ଜିତ ଧନ ଜମା ନରଖିବାକୁ କୁହାଯାଇଛି। ଏହି ସଂସ୍ଥାଗୁଡ଼ିକରେ ଜମା ଥିବା ଟଙ୍କା ଉପରେ ବୀମା ସୁରକ୍ଷା ମିଳିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି। କେବଳ ଯେଉଁ ସମବାୟ ସମିତିଗୁଡ଼ିକୁ ଜମା ସଂଗ୍ରହ କରିବାର ଅନୁମତି ଦିଆଯାଇଛି ସେଥିରେ ଟଙ୍କା ଜମା କରିବାକୁ ଲୋକମାନଙ୍କୁ କୁହାଯାଇଛି। କିଛି ସମବାୟ ସମିତି ସେମାନଙ୍କ ନାମରେ ବ୍ୟାଙ୍କ ଶବ୍ଦ ବ୍ୟବହାର କରୁଥିବା ମାମଲା ରିଜର୍ଭ ବ୍ୟାଙ୍କ ନଜରକୁ ଆସିଛି। ଏହା ବ୍ୟାଙ୍କିଙ୍ଗ୍ ନିୟାମକ ନିୟମ ୧୯୪୯ର ଧାରା ୭ର ଉଲ୍ଲଂଘନ। କିଛି ସମବାୟ ସମିତି ଅଣ ସଦସ୍ୟଙ୍କ ଠାରୁ ଜମା ସଂଗ୍ରହ କରୁଥିବାର ଖବର ମଧ୍ୟ ରିଜର୍ଭ ବ୍ୟାଙ୍କ ପାଖରେ ପହଞ୍ଚିଛି। ସମିତିର ଏଭଳି କାର୍ଯ୍ୟ ବ୍ୟାଙ୍କିଙ୍ଗ ନିୟମର ଉଲ୍ଲଂଘନ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ବ୍ୟାଙ୍କିଙ୍ଗ୍ ନିୟମ ଅଧୀନରେ ଯେଉଁ ସମବାୟ ସଂସ୍ଥାଗୁଡ଼ିକୁ ଅନୁମତି ଦିଆଯାଇଛି କେବଳ ସେମାନେ ନିଜ ନାମରେ ବ୍ୟାଙ୍କ ଶବ୍ଦ ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ବହୁ ସମବାୟ ସଂସ୍ଥାକୁ ଲାଇସେନ୍ସ ମିଳିନାହିଁ କିମ୍ବା ବ୍ୟାଙ୍କ କାରବାର କରିବା ଲାଗି ରିଜର୍ଭ ବ୍ୟାଙ୍କ ସେମାନଙ୍କୁ ସ୍ବୀକୃତି ମଧ୍ୟ ଦେଇନାହିଁ। ସେଭଳି ଅନେକ ସଂସ୍ଥା ନିଜ ନାମରେ ବ୍ୟାଙ୍କ ଶବ୍ଦକୁ ବ୍ୟବହାର କରୁଛନ୍ତି। ସେଭଳି ସଂସ୍ଥାରେ ଥିବା ଜମା ରାଶି ଉପରେ ବୀମା ସୁରକ୍ଷା ମିଳିବ ନାହିଁ। କେବଳ ବ୍ୟାଙ୍କ ଓ ରିଜର୍ଭ ବ୍ୟାଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସଂସ୍ଥାରେ ଥିବା ଜମା ରାଶିର ବୀମା କରାଯାଇଛି। ଡିପୋଜିଟ୍ ଇନ୍‌ସ୍ୟୁରାନ୍ସ ଆଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି)ରେ ସେହି ବୀମା କରାଯାଇଛି। ସମବାୟ ବ୍ୟାଙ୍କରେ ଥିବା ଜମା ରାଶିର କୌଣସି ବୀମା ଡିଆଇସିଜିସିରେ କରାଯାଇନାହିଁ। ତେଣୁ ଯେଉଁ ସମବାୟ ସମିତି ନିଜକୁ ବ୍ୟାଙ୍କ ବୋଲି ପ୍ରଚାର କରୁଛନ୍ତି ସେଥି‌ରେ ଟଙ୍କା ରଖିବା ପୂର୍ବରୁ ସଂସ୍ଥାର ଯଥାର୍ଥ ଆକଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁ ସଂସ୍ଥାଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଲାଇସେନ୍ସ ଦେଇଛନ୍ତି କେବଳ ସେହି ସଂସ୍ଥା ସହ କାରବାର କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର