ମୁମ୍ବାଇ: ଖୁବ୍ଶୀଘ୍ର ବଜାରକୁ ଆସିିବାକୁ ଥିବା ନୂଆ ୧୦୦ ଟଙ୍କିଆ ନୋଟ୍ ସମ୍ପୂର୍ଣ୍ଣ ସ୍ୱଦେଶୀ। ଏଥିରେ ଦେଶ ଭିତରେ ଉତ୍ପାଦନ କରାଯାଇଥିବା ନୋଟ୍ ଛପା କାଗଜ ଓ କାଳି ବ୍ୟବହାର କରାଯାଇଛି। ପ୍ରଥମ ଥର ପାଇଁ କୌଣସି ନୋଟ୍କୁ ୧୦୦% ଦେଶ ଭିତରେ ପ୍ରସ୍ତୁତ କରାଯାଉଛି। ଏହି ନୋଟ୍ର ନିରାପତ୍ତା ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ଭାରତୀୟ କଂପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଡିଜାଇନ୍ ମଧ୍ୟରେ ଭାରତରେ କରାଯାଇଛି। ନୋଟ୍ ଛପା କାରଖାନାରେ କାର୍ଯ୍ୟ କରିଥିବା ଜଣେ ପୂର୍ବତନ ଅଧିକାରୀ କହିଛନ୍ତି ଯେ, ନିୟମିତ ବ୍ୟବଧାନରେ ରିଜର୍ଭ ବ୍ୟାଙ୍କ ନୂଆ ଡିଜାଇନ୍ର ନୋଟ୍ ଜାରି କରିଥାଏ। ସେହି ପ୍ରକ୍ରିୟାରେ ନୂଆ ୧୦୦ ଟଙ୍କିଆ ନୋଟ୍ ଆସିବ। ଏହି ନୋଟ୍ ଆଣିବା ପାଇଁ ସରକାର କୌଣସି ସ୍ୱତନ୍ତ୍ର ଯୋଜନା କରିନଥିଲେ ବୋଲି ସେ କହିଛନ୍ତି। ମହାତ୍ମା ଗାନ୍ଧୀ ସିରିଜ୍ର ଏହି ନୋଟ୍ର ଫଟୋ ଓ ବିବରଣୀକୁ ଗତକାଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିଲା। ଏଥିରେ ଗୁଜୁରାଟ୍ର ରାଣୀ କି ଭାଭ୍ ଚିତ୍ର ଓ ସ୍ୱଚ୍ଛ ଭାରତ ଲୋଗୋ ରହିବ। ବାଇଗଣି ରଙ୍ଗର ଏହି ନୋଟ୍ ପୁରୁଣା ୧୦୦ ଟଙ୍କିଆ ନୋଟ୍ର ଆକାର ଠାରୁ ଅଲଗା ରହିବ। ଦେଶରେ ଅନ୍ୟ ଯେତେ ସବୁ ନୋଟ୍ ଅଛି ତାହା ସମ୍ପୂର୍ଣ୍ଣ ସ୍ୱଦେଶୀ ନୁହେଁ। ବିଶେଷ କରି କାଗଜ ଓ କାଳି ବିଦେଶରୁ ଆଣି ବ୍ୟବହାର କରାଯାଉଛି।
୧୦୦ କୋଟି ଖର୍ଚ କଲେ ଏଟିଏମ୍ରୁ ବାହାରିବ
ନୂଆଦିଲ୍ଲୀ: ଯେଉଁ ଆକାରର ନୂଆ ୧୦୦ ଟଙ୍କିଆ ନୋଟ୍ ଛପା ହେଉଛି ତାହା ସହଜରେ ଏଟିଏମ୍ରେ ଉପଲବ୍ଧ ହେବନାହିଁ। ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରିବା ପରେ ହିଁ ଏହି ନୂଆ ନୋଟ୍ ସେଥିରୁ ବାହାରିବ। ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରିବା ପାଇଁ ୧୦୦ କୋଟି ଟଙ୍କା ଖର୍ଚ କରିବାକୁ ପଡ଼ିବ ବୋଲି ଏଟିଏମ୍ ପରିଚାଳନା କରୁଥିବା କଂପାନିଗୁଡ଼ିକ କହିଛନ୍ତି। ଏଟିଏମ୍ ପରିଚାଳନା କରୁଥିବା କଂପାନି ସଂଘର ଅଧିକାରୀ ଭି ବାଲସୁବ୍ରମଣିଅନ୍ କହିଛନ୍ତି ଯେ, ସାରା ଦେଶରେ ୨ ଲକ୍ଷ ୪୦ ହଜାର ଏଟିଏମ୍ ରହିଛି। ସବୁଗୁଡ଼ିକୁ ରିକାଲିବ୍ରେଟ୍ କରିବାକୁ ହେବ। ଆମ ପାଇଁ ବଡ଼ ସମସ୍ୟା ହେଉଛି ଉଭୟ ପୁରୁଣା ଓ ନୂଆ ୧୦୦ ଟଙ୍କିଆ ନୋଟ୍କୁ ଏଟିଏମ୍ରେ ରଖିବାକୁ ପଡ଼ିବ। ଉଭୟ ପ୍ରକାର ନୋଟ୍ ପାଇଁ ଭିନ୍ନ ଆକାରର ଟ୍ରେ ଦରକାର ହେବ ବୋଲି ସେ କହିଛନ୍ତି। ସବୁ ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରିବା ପାଇଁ ୧୨ ମାସ ସମୟ ଲାଗିଯିବ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। କିଛି ମାସ ପୂର୍ବେ ସରକାର ନୂଆ ୨୦୦ ଟଙ୍କିଆ ନୋଟ୍ର ପ୍ରଚଳନ କରିଥିଲେ। ସେହି ନୋଟ୍ ପାଇଁ ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରାଯାଇଥିଲା। ସେହି କାମ ଏବେ ଶେଷ ହୋଇଥିବା ବେଳେ ପୁଣି ଏକ ନୂଆ ନୋଟ୍ ଆସିବା ଖବର ଜାଣିବା ପରେ ଏଟିଏମ୍ ପରିଚାଳନା କଂପାନିଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି।