ରିଜର୍ଭ ବ୍ୟାଙ୍କ ଟଙ୍କାକୁ ନେଇ ରାଜନୀତି: ସରକାରଙ୍କୁ ଘେରି‌ଲା କଂଗ୍ରେସ, ରାହୁଲ-ନିର୍ମଳା କଥା କଟାକଟି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ କେନ୍ଦ୍ର ସରକାରଙ୍କୁ ଏକ ଲକ୍ଷ ୭୬ ହଜାର କୋଟି ଟଙ୍କା ମିଳିବ ବୋଲି ଖବର ପ୍ରକାଶ ପାଇବା ପରେ ତାହାକୁ ନେଇ ଜାତୀୟ ସ୍ତରରେ ରାଜନୀତି ଆରମ୍ଭ ହୋଇଯାଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଛି। ସମାଲୋଚନା କରିବାରେ ଆଗରେ ରହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆଜି ଟୁଇଟ୍‌ କରି ସେ ଲେଖିଛନ୍ତି ଯେ, ନିଜେ ସୃଷ୍ଟି କରିଥିବା ଅର୍ଥନୈତିକ ବିପର୍ଯ୍ୟୟର କିଭଳି ମୁକାବିଲା କରାଯିବ ସେ ବିଷୟରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସମ୍ପୂର୍ଣ୍ଣ ଅଜ୍ଞ। ରିଜର୍ଭ ବ୍ୟାଙ୍କ ଠାରୁ ଚୋରି କରିବା କାମ ଦେବନି। ଏହା ଡିସ୍‌ପେନ୍‌ସେରିରୁ ବ୍ୟାଣ୍ଡ୍‌-ଏଣ୍ଡ୍‌ ରୋଚାଇବା ଓ ତାହାକୁ ବନ୍ଧୁକ ଗୁଳିରେ ସୃଷ୍ଟି ହୋଇଥିବା କ୍ଷତ ଉପରେ ଲଗାଇବା ଭଳି କାମ।
ରାହୁଲଙ୍କ ସମାଲୋଚନା ଉପରେ ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ଯେ, ଏ ବିଷୟରେ କୌଣସି ମତ ପ୍ରଦାନ କରିବା ପୂର୍ବରୁ ସେ (ରାହୁଲ) ପ୍ରଥମେ ଜଣେ ବିଶେଷଜ୍ଞ ସହ ପରାମର୍ଶ କରନ୍ତୁ। ରିଜର୍ଭ ବ୍ୟାଙ୍କରୁ ଟଙ୍କା ମିଳିବା ନିଷ୍ପତ୍ତି ସହିତ ସରକାରଙ୍କ କୌଣସି ସମ୍ପର୍କ ନାହିଁ। ରିଜର୍ଭ ବ୍ୟାଙ୍କ ଏକ କମିଟି ଗଠନ କରିଥିଲା। କମିଟିର ସୁପାରିସ ଅନୁସାରେ ବଳକା ପାଣ୍ଠି ହସ୍ତାନ୍ତର କରିବ।

ନିର୍ମଳା କହିଲେ, ଯେତେବେଳେ ରାହୁଲ ଗାନ୍ଧୀ ଚୋରି ଚୋରି ଭଳି କିଛି ପ୍ରସଙ୍ଗ ଉଠାଇଥାନ୍ତି ସେତେବେଳେ ମୋ ମନକୁ କେବଳ ଗୋଟିଏ କଥା ଆସେ, ତାହା ହେଉଛି ଚୋର ଚୋର, ଚୋରି ପାଇଁ ସେ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତି। କିନ୍ତୁ ସାଧାରଣ ଜନତା ତାଙ୍କୁ ଉପଯୁକ୍ତ ଉତ୍ତର ଦେଇଥାନ୍ତି। ପୁଣି ଥରେ ସେହି ଶବ୍ଦ ବ୍ୟବହାର କରିବାର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଠାରୁ ଟଙ୍କା ପାଇବାକୁ ଯାଉଥିବା କେନ୍ଦ୍ର ସରକାରଙ୍କୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା କଡ଼ା ସମାଲୋଚନା କରିଛନ୍ତି। ଏହା ଦ୍ବାରା ଦେଶ ଦେବାଳିଆ ହୋଇଯିବ ବୋଲି ସେ କହିଛନ୍ତି। ଅର୍ଥନୀତିର ଖରାପ ସ୍ଥିତି ବିଷୟକୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସବୁ ବେଳେ ଏଡ଼ାଇ ଦେଇପାରିବେ ନାହିଁ। ଦେଶର ସ୍ଥିତି ବିଷୟରେ ଜଣାଇବା ଲାଗି ସରକାର ତୁରନ୍ତ ଶ୍ବେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଭଣ୍ଡାର ଉପରେ ମୋଦୀ ସରକାର ନଜର ପକାଇବା ଦିନ ଠାରୁ ତାହା ବିବାଦୀୟ ପ୍ରସଙ୍ଗ ହୋଇରହିଥିଲା। ଏହାକୁ ତୀବ୍ର ବିରୋଧ କରିଥିଲେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍‌। ସରକାର ଜିଦ୍‌ ଧରିବାରୁ ସେ ନିଜ ପଦରୁ ଇସ୍ତଫା ଦେଇ ଚାଲିଯାଇଥିଲେ। କେବଳ ଉର୍ଜିତ ନୁହନ୍ତି, ରିଜର୍ଭ ବ୍ୟାଙ୍କର ଅନେକ ପୂର୍ବତନ ଗଭର୍ଣ୍ଣର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଥିଲେ। ବିଭିନ୍ନ ମହଲରେ ସମାଲୋଚିତ ହେବା ପରେ ଗତ ବର୍ଷ ଡିସେମ୍ବରରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ନେତୃତ୍ବରେ ସରକାର ଏକ କମିଟି ଗଠନ କରିଥିଲେ। ଉକ୍ତ କମିଟି ଯେଉଁ ରିପୋର୍ଟ ଦେଇଥିଲା, ଗତକାଲି ତାହାକୁ ରିଜର୍ଭ ବ୍ୟାଙ୍କ ବୋର୍ଡରେ ଅନୁମୋଦନ ପ୍ରଦାନ କରାଯାଇଛି। ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ତିନି ଲକ୍ଷ କୋଟି ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ଜାଲାନ କମିଟି ସୁପାରିସ ଅନୁସାରେ ସରକାରଙ୍କୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ମିଳିବ।

ଟଙ୍କା ପାଇଲେ ସରକାର କ’ଣ କରିବେ?
ମାନ୍ଦାବସ୍ଥା ମୁକାବିଲା ଲାଗି ପ୍ୟାକେଜ୍ ଘେଷଣା କରିବେ ନା ଋଣ କମାଇବା ବାବଦରେ ଖର୍ଚ କରିବେ। ଭିତ୍ତିଭୂମିରେ ନିବେଶ କରିବେ ନା ବ୍ୟାଙ୍କଗୁଡ଼ିକର ସ୍ଥିତି ସୁଧାରିବା ଲାଗି ସେମାନଙ୍କୁ ଟଙ୍କା ଦେବେ। ରିଜର୍ଭ ବ୍ୟାଙ୍କ ଠାରୁ ଯେଉଁ ଟଙ୍କା ମିଳିବ ତାହାକୁ ସରକାର କେଉଁ ବାବଦରେ ଖର୍ଚ କରିବେ ତାହାର ସଠିକ୍ ଆକଳନ କେହି ଲଗାଇପାରୁନାହାନ୍ତି। ବିଶେଷଜ୍ଞମାନେ ନିଜ ନିଜ ହିସାବରେ ଅନୁମାନ ପ୍ରଦାନ କରିବା ଆରମ୍ଭ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଠାରୁ ସରକାର ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ପାଇବେ ବୋଲି ଜଣାପଡ଼ିଛି। ସେହି ଟଙ୍କାକୁ କେଉଁ ବାବଦରେ ଖର୍ଚ୍ଚ କରାଯିବ ସେ ନିଷ୍ପତ୍ତି ସରକାର ନେଇନାହାନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ସ୍ପଷ୍ଟ କରିଛନ୍ତି।

ଚଳିତ ଆର୍ଥିକ ବର୍ଷ ଲାଗି ରାଜସ୍ବ ଆଦାୟର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ହାସଲ ହୋଇପାରିବ ନାହିଁ ବୋଲି କୁହାଯାଉଛି। ସେଭଳି ପରିସ୍ଥିତିରେ ବଜେଟ୍‌ରେ ଯେଉଁ ସବୁ ଘୋଷଣା କରାଯାଇଛି ସେଥିପାଇଁ ଯେଉଁ ପାଣ୍ଠି ଦରକାର ହେବ ସେ ବାବଦରେ ସରକାର ରିଜର୍ଭ ବ୍ୟାଙ୍କ ଟଙ୍କାକୁ ବ୍ୟବହାର କରିପାରନ୍ତି। ଅର୍ଥନୀତି ପରିଚାଳନା ଦୃଷ୍ଟିରୁ ସରକାରଙ୍କ ସାମ୍ନାରେ ଅନେକ ଆହ୍ବାନ ରହିଛି। ବିତ୍ତଅ ନିଅଣ୍ଟକୁ (ରାଜସ୍ବ ଓ ବ୍ୟୟ ମଧ୍ୟରେ ରହିଥିବା ଅନ୍ତର) ସରକାର ବେଲଗାମ କରିବାକୁ ଚାହିବେ ନାହିଁ। ସରକାରଙ୍କ ପାଖରେ ଏବେ ମୁଖ୍ୟତଃ ଦୁଇଟି ବିକଳ୍ପ ରହିଛି। ତାହା ହେଉଛି ମାନ୍ଦାବସ୍ଥାର ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ଟଙ୍କାକୁ ପ୍ୟାକେଜ୍ ଭାବେ ଘୋଷଣା କରିପାରନ୍ତି। ଅନ୍ୟଥା ଋଣ କମ୍ କରି ସେହି ସ୍ଥାନରେ ଉକ୍ତ ଟଙ୍କାକୁ ସରକାର ବ୍ୟବହାର କରିପାରନ୍ତି ବୋଲି କୁହାଯାଉଛି। ନୂତନ ଭିତ୍ତିଭୂମି ସୃଷ୍ଟି କରିବାରେ ରିଜର୍ଭ ବ୍ୟାଙ୍କ ଟଙ୍କା ବ୍ୟବହାର କରାଯାଇପାରେ। ଅନ୍ୟଥା ବ୍ୟାଙ୍କଗୁଡ଼ିକର ମେରୁଦଣ୍ଡକୁ ସୁଦୃଢ଼ କରିବା ଲାଗି ସେମାନଙ୍କୁ ନୂତନ ପାଣ୍ଠି ଆକାରରେ ଏହି ଟଙ୍କା ଦିଆଯାଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର