ନିର୍ବାଚନ ମୁହାଁ ରାଜ୍ୟରେ ବିପୁଳ ଟଙ୍କା ଜବତ: ସିବିଡିଟି ଅଧ୍ୟକ୍ଷଙ୍କ ସୂଚନା

ନୂଆଦିଲ୍ଲୀ: ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡ଼ିକରେ ବିପୁଳ ନଗଦ ଟଙ୍କା ଜବତ ହେଉଛି। ଆୟକର ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନିତୀନ ଗୁପ୍ତା ଏହା କହିଛନ୍ତି। ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଏଥର ଅଧିକ ନଗଦ ଟଙ୍କା ଜବତ ହେଉଛି। ନିର୍ବାଚନ ଆୟୋଗଙ୍କ ସହଯୋଗରେ ଦୈନନ୍ଦୀନ ଭିତ୍ତିରେ ଏଭଳି କାର୍ଯ୍ୟକଳାପ ଉପରେ ଆୟକର ବିଭାଗ ନଜର ରଖିଥିବା ସେ କହିଛନ୍ତି। ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ କେତେ ନଗଦ ଟଙ୍କା ଜବତ ହୋଇଛି ତାହାର ସୂଚନା ଶ୍ରୀ ଗୁପ୍ତା ଦେଇନାହାନ୍ତି। କିନ୍ତୁ କହିଛନ୍ତି ଯେ ପ୍ରତି ଜିଲ୍ଲା, ବିମାନବନ୍ଦର, ଆନ୍ତର୍ଜାତିକ ସୀମାରେଖା ଉପରେ କଡ଼ା ନଜର ରଖାଯାଇଛି।

ନିର୍ବାଚନ ହେବାକୁ ଯାଉଥିବା ପାଞ୍ଚଟି ରାଜ୍ୟରେ ୧୦୦୦ କୋଟି ଟଙ୍କାରୁ ଅଧିକ ନଗଦ ରାଶି ଜବତ କରାଯାଇଛି। ଗତ ଅକ୍ଟୋବର ୧୯ରେ ଆଚରଣ ସଂହିତା ଲାଗୁ ହେବା ପରଠାରୁ ମୋଟ ଜବତ ପରିମାଣ ୨୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ପ୍ରଯୁକ୍ତିକୁ ବ୍ୟବହାର କରି ନଗଦ ଟଙ୍କା ଉପରେ ଆୟକର ବିଭାଗ ନଜର ରଖିଛି। ରାଜସ୍ଥାନ ଓ ତେଲେଙ୍ଗାନାରେ ଅଧିକ ନଗଦ ଜବତ ହେଉଥିବା ଜଣାପଡ଼ିଛି। ଚଳିତ ବର୍ଷ ରାଜସ୍ଥାନରେ ଜବତ ହୋଇଥିବା ନଗଦ ରାଶିରେ ତିନି ଗୁଣା ବୃଦ୍ଧି ଘଟିଛି। ୨୦୨୧ରେ ୩୨୨ କୋଟି ଟଙ୍କା, ୨୦୨୨ରେ ୩୪୨ କୋଟି ଟଙ୍କା ଏବଂ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ୧୦୨୧ କୋଟି ଟଙ୍କାର ନଗଦ ରାଶି ରାଜସ୍ଥାନରେ ଜବତ ହୋଇଛି। ତେଲେଙ୍ଗାନାରେ ୫୫୨ କୋଟି ଟଙ୍କାର ନଗଦ ରାଶି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ନିର୍ବାଚନ ଆସିଲେ ନଗଦ ରାଶିର ଚାହିଦା ବହୁତ ବଢ଼ିଯାଏ। କାରଣ ଏବେବି ଭୋଟରଙ୍କୁ ଆକୃଷ୍ଟ କରିବାର ସବୁଠୁ ବଡ଼ ମାଧ୍ୟମ ହେଉଛି ନଗଦ ଟଙ୍କା। ତା’ ପଛକୁ ରହିଛି ସୁନା, ମଦ, ମାଗଣା ଜିନିଷ ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦ। ତେଲେଙ୍ଗାନାରେ ୨୯୨ କେଜି ସୁନା, ୧୧୭୨ କେଜି ରୁପା, ୮୩ କୋଟି ଟଙ୍କାର ମଦ, ୩୧.୨ କୋଟି ଟଙ୍କାର ଡ୍ରଗ୍‌ସ ଜବତ ହୋଇଛି।

ସମ୍ବନ୍ଧିତ ଖବର