ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ: ୪ ମୃତ, ୩ ଆହତ

ଭୁବନେଶ୍ବର: ରାଜ୍ୟ ପ୍ରତିଦିନ ଘଟଣା ଓ ଦୁଘର୍ଟଣା ଲାଗିରହିଛି। ଗତକାଲି ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣକୁ ନେଇ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେସବୁ ନିମ୍ନରେ ଉଲ୍ଳେଖ କରାଯାଇଛି।

ଟ୍ରକ ପଛରେ ବାଇକ୍‌ ପିଟିହୋଇ ଜଣେ ମୃତ
କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ଗତକାଲି ରାତି ପ୍ରାୟ ୧୨ଟା‌ବେଳେ ଏକ ଟ୍ରକ୍‌ ପଛରେ ବାଇକ୍‌ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉଜଣେ ଗୁରୁତର ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଟ୍ରକ୍‌ ଜିଟି ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିଲା। ଏକ ପଲସର ବାଇକ୍‌ରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଅଞ୍ଚଳର ଜୟବ୍ରହ୍ମ ନାଏକ (୨୨) ଓ ତାଙ୍କ ସାଙ୍ଗ ଘସିପୁରା ବ୍ଲକ୍‌ ଖାଳିଆମେଣ୍ଟା ପଞ୍ଚାୟତ ମିରିଗିମୁଣ୍ଡି ଗ୍ରାମର ଆଶିଷ କୁମାର ବେହେରା (୨୪) ଝୁମ୍ପୁରା ଯାଉଥିଲେ। ରାଇସୁଆଁ ନିକଟରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ବାଇକ୍‌ଟି ଭାରସାମ୍ୟ ହରାଇ ପିଟି ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଗୁରୁତର ହୋଇ ରାସ୍ତା ଉପରେ ପଡ଼ିଥିଲେ। ଟ୍ରକ୍‌ ଡ୍ରାଇଭର ଦେଖିବା ପରେ ଗାଡ଼ି ନେଇ ଫେରାର ହୋଇଯାଇଥିଲା। ଖବର ପାଇ କେନ୍ଦୁଝର ସଦର ଥାନା ଅଧିକାରୀ ଜେ. କୁଜୁର ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଜୟବ୍ରହ୍ମଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆଶିଷଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଟ୍ରେନରୁ ଖସି ଯୁବକ ମୃତ
ଚଣ୍ଡିଖୋଲ: ଆଜି ଭୋରୁ ପୂର୍ବତଟ ରେଳ ଅଧୀନସ୍ଥ ଧାନମଣ୍ଡଳ-ବରୀଠେଙ୍ଗଡ଼ ଷ୍ଟେସନ ମଧ୍ୟବର୍ତ୍ତୀ ନଟିଆ ଗେଟ୍‌ ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୌଣସି ଟ୍ରେନ୍‌ରେ ଯୁବକ ଜଣକ ଯାଉଥିବା ବେଳେ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଯାଜପୁରରୋଡ ରେଳବାଇ ପୁଲିସ ଏସଆଇ ସୁଶାନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ଧର୍ମଶାଳା ଡାକ୍ତରଖାନାରେ ମୃତଦେହ ରଖାଯାଇଛି। ମୃତ ଯୁବକଙ୍କ ପ୍ୟାଣ୍ଟ ପକେଟ୍‌ରୁ ମୋବାଇଲ ଓ ଆଧାରକାର୍ଡ ମିଳିଛି। ଏଥିରୁ ସେ ଆସାମ ରାଜ୍ୟର ବୋଲି ଜଣାପଡ଼ିଛି।

ପୋଖରୀରେ ବୁଡ଼ି ଯୁବକ ମୃତ
ପାଟଣା: ତୁରୁମୁଙ୍ଗା ଥାନା ଅନ୍ତର୍ଗତ ସିଲିଦା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସେହି ଗ୍ରାମର ଅମିତାଭବଚନ ସେଠୀ (୩୪)। ଅମିତାଭ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ପରେ ମଧ୍ୟ ଘରକୁ ନ ଫେରିବାରୁ ପରିବାର ଲୋକେ‌ ଖୋଜାଖୋଜି କରିଥିଲେ। ପୋଖରୀରେ ତାଙ୍କ ମୃ‌ତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଏଏସ୍‌ଆଇ ସୁଜାତା ମହାନ୍ତ ପ୍ରକାଶ କରିଛନ୍ତି।

ବେନ୍ଦ୍ରା ରାମ ମନ୍ଦିର କମିଟି ସଦସ୍ୟଙ୍କ ଆତ୍ମହତ୍ୟା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ବେନ୍ଦ୍ରା ସ୍ଥିତ ରାମ ମନ୍ଦିରର ଜଣେ ସଦସ୍ୟ ମଙ୍ଗଳବାର ନିଜ ଜମିରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ବେନ୍ଦ୍ରା ଗ୍ରାମର ଦଣ୍ଡଧାରୀ ପ୍ରଧାନ ବୋଲି ଜଣାପଡ଼ିଛି। ଲୋଇସିଂହା ପୁଲିସ ଘଟଣାସ୍ଥଳରୁ ମୃତଦେହ ସହ ଏକ ସୁଇସାଇଡ ନୋଟ ଜବତ କରିଛି। ଉକ୍ତ ନୋଟରେ ଜଣେ ବ୍ୟକ୍ତିଙ୍କ ଚକ୍ରାନ୍ତରୁ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଥିବା ଲେଖାଯାଇଛି। ପୁଲିସ୍‌ ଶବ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି। ପ୍ରକାଶ ଯେ, ବେନ୍ଦ୍ରା ସ୍ଥିତ ରାମ ମନ୍ଦିର ଉନ୍ନତୀକରଣ ତଥା ନୂତନ ପରିଷଦ ଗଠନକୁ ନେଇ କିଛି ଦିନ ତଳେ ମନ୍ଦିର କମିଟି ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା। ଶ୍ରୀ ପ୍ରଧାନ ଉକ୍ତ କମିଟିର ସଂପାଦକ ଥିଲେ। ଉକ୍ତ ସଭାରେ କମିଟିର ପୂର୍ବ ବର୍ଷମାନଙ୍କରେ ହୋଇଥିବା ଖର୍ଚ୍ଚକୁ ନେଇ ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହାକୁ ନେଇ ଶ୍ରୀ ପ୍ରଧାନ ବିଶେଷ ଭାବରେ କ୍ଷୁବ୍ଧ ଥିଲେ ବୋଲି କହାଯାଉଛି। ମଙ୍ଗଳବାର ଦିନ ଗିରିଗୋବର୍ଦ୍ଧନ ପୂଜା ଓ ପ୍ରସାଦସେବନ ପରେ ଏହି କଥାକୁ ନେଇ ଦଣ୍ଡଧାରୀ ପ୍ରଧାନ ଚରମ ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ତାଙ୍କ ପୁଅ ସତ୍ୟନାରାୟଣ କହିଛନ୍ତି।

ଷଣ୍ଢ ଆକ୍ରମଣରେ ୩ ଆହତ
ହରିପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଆଁ ଅଞ୍ଚଳରେ ଏକ ଷଣ୍ଢ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଜଣେ ଆହତ ଗଜିପାଢ଼ୀ ଛକର ଟୁଟୁ ମଳିକ (୩୧)। ଅନ୍ୟ ଦୁଇଜଣଙ୍କ ପରିଚୟ ଜଣାପଡ଼ିନାହିଁ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ ଗତ କିଛିଦିନ ପୂର୍ବରୁ ଏହି ଷଣ୍ଢକୁ ଏକ ପାଗଳା କୁକୁର କାମୁଡ଼ିଥିଲା। ଚିକିତ୍ସା ନହେବାରୁ ଷଣ୍ଢଟି ପାଗଳ ହୋଇ ଯାଇଥିଲା। ଏବେ ଏହି ଷଣ୍ଢ ଯାହାକୁ ଦେଖୁଛି ଆକ୍ରମଣ କରୁଛି। ଏହି ଷଣ୍ଢ ଭୟରେ ରାସ୍ତାଘାଟ ଓ ବଜାର ଜନଶୂନ୍ୟ ହୋଇ ପଡ଼ୁଛି। ଆଜି ସକାଳ ପ୍ରାୟ ୧୦ଟା ବେଳେ ଗଜିପାଢ଼ୀ ଛକ, ବ୍ରାହ୍ମବରଦା ରୋଡ ଅଞ୍ଚଳରେ ୩ ଜଣ ଆହତ ହେବା ସହ ଏହି ଷଣ୍ଢ ଆକ୍ରମଣରେ ଗୋଟିଏ ଗାଈ ଆହତ ହୋଇଛି। ଷଣ୍ଢଟି ଗୋଟିଏ ଛେଳିକୁ ମଧ୍ୟ ମାରିଦେଇଛି। ଏହି ଷଣ୍ଢକୁ କାବୁ କରାଯାଇଛି।

ସମ୍ବନ୍ଧିତ ଖବର