ଡାକ୍ତରୀ ସେବାରେ ରୋଗୀର ଅଧିକାର

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ନିକଟରେ ଦେଶରେ ବିଭିନ୍ନ ସ୍ଥାନରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏଣୁ ରୋଗୀଙ୍କ ଅଧିକାର ସୁରକ୍ଷାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ ପ୍ରସ୍ତୁତ କରୁଛି ପେସେଣ୍ଟ ଚାର୍ଟର। କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ଏହାକୁ ଲାଗୁ କରାଯିବା ପାଇଁ ବ୍ୟବସ୍ଥା ରହିଛି। ଯେଉଁଥିରେ ରୋଗୀଙ୍କ ପାଇଁ ସତରଟି ଅଧିକାରର ବ୍ୟବସ୍ଥା ରହିଛି। ଶାରୀରିକ ଅସୁସ୍ଥତା ଦେଖାଦେଲେ ଲୋକମାନେ ଡାକ୍ତରଖାନା ଯାଆନ୍ତି। ଡାକ୍ତରଖାନାରେ ପହଞ୍ôଚବା ପରେ ସେମାନେ ସଂପୂର୍ଣ୍ଣ ଭାବରେ ଡାକ୍ତରଙ୍କ ଅଧୀନକୁ ଚାଲିଯାଆନ୍ତି ବୋଲି ଯେଉଁ କୁହାଯାଉ ବାସ୍ତବରେ ରୋଗୀଟିର ସମ୍ପୂର୍ଣ୍ଣ ଭଲ ମନ୍ଦର ଦାୟିତ୍ୱ ସଂପୃକ୍ତ ଡାକ୍ତରଙ୍କ ଉପରେ ଗୁରୁଦାୟିତ୍ୱ ଭାବରେ ନିର୍ବାହ କରାଯାଏ। ତେବେ ଡାକ୍ତରୀ ସେବା ଭିତରେ ବ୍ୟବହାରିକ ଦୃଷ୍ଟିକୋଣରୁ ଉପଭୋକ୍ତା ଭାବରେ ମଧ୍ୟ ସେମାନଙ୍କର କିଛି ଅଧିକାର ରହିଛି ଏ ବାବଦରେ ଅନେକ ଜାଣନ୍ତି ନାହିଁ। ସ୍ୱାସ୍ଥ୍ୟସେବା ଦେଉଥିବା ଡାକ୍ତରଖାନାଗୁଡ଼ିକ ମେଡ଼ିକାଲ କ୍ଲିନିକ୍ କଞ୍ଜୁମର ପ୍ରୋଟେକ୍‌ସନ ଆକ୍ଟ ଅଧୀନରେ ଆସନ୍ତି। ଯଦି ଡାକ୍ତରଙ୍କ ଦାୟିତ୍ୱହୀନତାର ମାମଲା ଦେଖାଯାଏ କିମ୍ବା ସେବାକୁ ନେଇ କୌଣସି ଅଭିଯୋଗ ରହେ ତେବେ ଉପଭୋକ୍ତା ବା ରୋଗୀ କ୍ଷତିପୂରଣ ପାଇଁ ଉପଭୋକ୍ତା ଅଦାଲତକୁ ଯାଇପାରନ୍ତି। ଭାରତରେ ମେଡ଼ିକାଲ କାଉନ୍‌ସିଲ ଅଫ୍ ଇଣ୍ଡିଆର ଦାୟିତ୍ୱ ହେଉଛି ଡାକ୍ତର କୋଡ଼ ଅଫ୍ ମେଡ଼ିକାଲ ଏଥିକ୍ସ ରେଗୁଲେସନ୍ ପାଳନ କରୁଛନ୍ତି ନା ନାହିଁ ତାହା ଉପରେ ନଜର ରଖିବା। କିନ୍ତୁ ଅନେକ ସମୟରେ ଅଭିଯୋଗ ହୁଏ ମେଡ଼ିକାଲ କାଉନ୍‌ସିଲ ସବୁ ସମୟରେ ଏହା କରିପାରୁନାହାନ୍ତି। ନିଜ ବହିରେ ଡାକ୍ତର ଗଦରେ ଏବଂ ଡାକ୍ତର ଶୁକ୍ଳ ରୋଗୀମାନଙ୍କର ଅଧିକାର ଏବଂ ଦାୟିତ୍ୱ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହା ଅନୁଯାୟୀ ପ୍ରତ୍ୟେକ ସଚେତନ ଡାକ୍ତରୀ ଉପଭୋକ୍ତା ଡାକ୍ତରଖାନାରେ ଦାଖଲ ହେବା ପୂର୍ବରୁ ୮ଟି ବିଷୟ ପ୍ରତି ନିହାତି ଧ୍ୟାନ ଦେବା ଦରକାର।

ଜରୁରିକାଳୀନ ଡାକ୍ତର ସାହାଯ୍ୟ ଅଧିକାର: ଯଦି କୌଣସି ବ୍ୟକ୍ତି ଉଦ୍‌ବେଗଜନକ ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚନ୍ତି ତେବେ ସରକାରୀ ଏବଂ ଘରୋଇ ଡାକ୍ତରଖାନାର ଡାକ୍ତରଙ୍କର ଏହା ପ୍ରଥମ ଦାୟିତ୍ୱ ଯେ ସେମାନେ ଉକ୍ତ ବ୍ୟକ୍ତିକୁ ତୁରନ୍ତ ଡାକ୍ତରୀ ସାହାଯ୍ୟ ଦେବେ। ଅର୍ଥତ୍ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲେ ଏଥିପାଇଁ ସହଯୋଗ ଦେବେ, ଶରୀରରେ କେତେ ରକ୍ତସ୍ରାବ ହୋଇଛି ଏହାର ଯାଞ୍ଚ କରିବେ। ଜୀବନ ରକ୍ଷା ପାଇଁ ଆବଶ୍ୟକ ସମସ୍ତ ସ୍ୱାସ୍ଥ୍ୟ ସେବା ଦେଇ ସାରିବା ପରେ ଡାକ୍ତର ରୋଗୀଠାରୁ ଅର୍ଥ ମାଗିପାରିବେ କିମ୍ବା ପୋଲିସ୍‌କୁ ସୂଚନା ଦେବାର ପ୍ରକ୍ରିୟା ଆରମ୍ଭ କରିପାରିବେ।
ଖର୍ଚ୍ଚ ଜାଣିବାର ଅଧିକାର : ପ୍ରତ୍ୟେକ ଡାକ୍ତରଖାନା ରୋଗୀକୁ ତାର ରୋଗ ବିଷୟ ଏବଂ ଚିକିତ୍ସାର କ’ଣ ପରିଣାମ ହେବ ତା ସଂପର୍କରେ ସୂଚନା ଦେବା ଆବଶ୍ୟକ। ଏଥିସହ ରୋଗୀକୁ ଚିକିତ୍ସା ପାଇଁ କେତେ ଖର୍ଚ୍ଚ ହେବ, ଏହାର ଲାଭ ଓ କ୍ଷତି ଏବଂ ଚିକିତ୍ସାର ବିଭିନ୍ନ ବିକଳ୍ପ ସମ୍ପର୍କରେ ଜଣାଇବା ଆବଶ୍ୟକ। ଚିକିତ୍ସା ଏବଂ ଖର୍ଚ୍ଚ ବାବଦରେ ଡାକ୍ତରଖାନା ସ୍ଥାନୀୟ ଏବଂ ଇଂରାଜୀ ଭାଷାରେ ସୂଚନା ଦେବା ଆବଶ୍ୟକ।

ମେଡ଼ିକାଲ ରିପୋର୍ଟ ଏବଂ ରେକର୍ଡ଼ ଉପରେ ଅଧିକାର: କୌଣସି ରୋଗୀ ବା ତାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ଡାକ୍ତରଖାନାରୁ ରୋଗ ସମ୍ପର୍କିତ ସମସ୍ତ ଦସ୍ତାବିଜର ଫଟୋ କପି ହାସଲ କରିପାରିବାର ଅଧିକାର ରହିଛି। ଏସବୁ ଫଟୋକପି ଡାକ୍ତରଖାନାରେ ଭର୍ତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଏବଂ ଡିସ୍‌ଚାର୍ଜ ହେବାର ୭୨ ଘଣ୍ଟା ମଧ୍ୟରେ ରୋଗୀ ବା ତାଙ୍କ ସମ୍ପର୍କୀୟଙ୍କୁ ଦିଆଯିବା ଆବଶ୍ୟକ। କୌଣସି ଡାକ୍ତରଖାନା ରୋଗୀଙ୍କୁ ତାଙ୍କର ମେଡ଼ିକାଲ ରେକର୍ଡ଼ ବା ରିପୋର୍ଟ ଦେବା ପାଇଁ ମନା କରିପାରିବେ ନାହିଁ। ଏହି ରେକର୍ଡ଼ ମଧ୍ୟରେ ରୋଗ ପରୀକ୍ଷଣ, ଡାକ୍ତର ବା ବିଶେଷଜ୍ଞଙ୍କ ରାୟ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ଆଦି ସାମିଲ। ଡିସ୍‌ଚାର୍ଜ ହେବା ସମୟରେ ରୋଗୀକୁ ଏକ ଡିସ୍‌ଚାର୍ଜ କାର୍ଡ଼ ଦେବା ଆବଶ୍ୟକ।

ଅନ୍ୟର ରାୟ ନେବା ଅଧିକାର: ଯଦି ଆପଣ ଡାକ୍ତରଖାନାରେ କୌଣସି ଡାକ୍ତରଙ୍କ ଚିକିତ୍ସା ପ୍ରଣାଳୀରେ ସନ୍ତୁଷ୍ଟ ନୁହନ୍ତି ତେବେ ଆପଣ ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଏ ପରିସ୍ଥିତିରେ ଡାକ୍ତରଖାନା ସମସ୍ତ ଚିକିତ୍ସା ଏବଂ ରୋଗ ନିଦାନ ରିପୋର୍ଟ ଉପଲବ୍ଧ କରାଇବା ଆବଶ୍ୟକ। ଯେତେବେଳେ କୌଣସି ରୋଗରେ ଜୀବନ ଯିବାର ପରିସ୍ଥିତି ଆସେ କିମ୍ବା ଡାକ୍ତରଙ୍କ ଚିକିତ୍ସା ଧାରା ମନରେ ସନ୍ଦେହ ସୃଷ୍ଟି କରେ ସେତେବେଳେ ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେଇହେବ। ଚିକିତ୍ସା ଗୋପନ ରଖିବାର ଅଧିକାର : ଚିକିତ୍ସା ସମୟରେ ଡାକ୍ତର ଜଣଙ୍କ ସମ୍ପୃକ୍ତ ରୋଗୀର ଏମିତି ଅନେକ ବିଷୟରେ ଜାଣନ୍ତି ଯାହାର ସମ୍ପର୍କ ରୋଗୀର ବ୍ୟକ୍ତିଗତ ଜୀବନ ସହିତ ହୋଇଥାଏ। ଏସବୁ ସୂଚନା ଗୋପନୀୟ ରଖିବା ଡାକ୍ତରଙ୍କର କର୍ତ୍ତବ୍ୟ।

ସ୍ୱୀକୃତି ଦେବା ପୂର୍ବରୁ ସଂପୂର୍ଣ୍ଣ ସୂଚନା ଜାଣିବାର ଅଧିକାର: ରୋଗୀଙ୍କ ଠାରେ କୌଣସି ବଡ଼ ଅସ୍ତ୍ରୋପଚାର କରିବା ପୂର୍ବରୁ ଡାକ୍ତରଙ୍କର ଏହା ପ୍ରଥମ କର୍ତ୍ତବ୍ୟ ସେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଅସ୍ତ୍ରୋପଚାର ସମୟରେ ହେବାକୁ ଥିବା ମୁଖ୍ୟ ବିପଦ ସମ୍ପର୍କରେ ଜଣାଇବେ। ଏହା ଠିକ୍ ଭାବରେ ଜଣାଇବା ପରେ ହିଁ ଅସ୍ତ୍ରୋପଚାର ପାଇଁ ସହମତିପତ୍ର ଉପରେ ସ୍ୱାକ୍ଷର କରାଇବେ। ରୋଗୀ ବା ତାଙ୍କ ସମ୍ପର୍କୀୟ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ନା ନୁହଁନ୍ତି ଏହା ମଧ୍ୟ ପଚାରିବେ। ଅନେକ ସମୟରେ ଏହା ଖୁବ୍ ତରବରିଆ ଭାବରେ ଏବଂ କାମଚଳା ଭାବରେ କରାଯାଏ। ରୋଗୀକୁ ଅସ୍ତ୍ରୋପଚାର ସମ୍ପର୍କରେ କିମ୍ବା ଏହାର ବିପଦ ସଂପର୍କରେ କିଛି ଜଣାନଥାଏ। ଡାକ୍ତରଖାନା କର୍ତ୍ତୃପକ୍ଷ ଠିକ୍ ଭାବରେ କିଛି ନଜଣାଇ ରୋଗୀ ବା ତାଙ୍କ ସମ୍ପର୍କୀୟଙ୍କୁ ଦସ୍ତାବିଜରେ ସ୍ୱାକ୍ଷର କରିବାକୁ କହିଦିଅନ୍ତି। କିନ୍ତୁ ଅସ୍ତ୍ରୋପଚାର ପୂର୍ବରୁ ରୋଗୀ ବା ତାଙ୍କ ସମ୍ପର୍କୀୟଙ୍କୁ ଏ ସଂପର୍କରେ ସଂପୂର୍ଣ୍ଣ ସୂଚନା ଦେଇସାରିବା ପରେ ହିଁ ଅସ୍ତ୍ରୋପଚାର ପାଇଁ ସ୍ୱୀକୃତି ନେବା ଆବଶ୍ୟକ ବୋଲି ମେଡ଼ିକାଲ କାଉନ୍‌ସିଲ ଅଫ୍ ଇଣ୍ଡିଆ ବ୍ୟବସ୍ଥା ରଖିଛନ୍ତି। କିନ୍ତୁ ଅନେକ ସମୟରେ ଏହା ପାଳନ ହେଉନଥିବାରୁ ଅସ୍ତ୍ରୋପଚାର ପରେ ହିଁ ଡାକ୍ତରଖାନା ଏବଂ ରୋଗୀଙ୍କ ପରିବାର ମଧ୍ୟରେ ଭୁଲ ବୁଝାମଣାର ସମସ୍ୟା ସୃଷ୍ଟି ହୋଇଥାଏ।

ଔଷଧ ଦୋକାନ ଏବଂ ନିଦାନ କେନ୍ଦ୍ର ବାଛିବାର ଅଧିକାର: ଅନେକ ଲୋକ ଅଭିଯୋଗ କରନ୍ତି ସେମାନେ କୌଣସି ଡାକ୍ତରଖାନାକୁ ଯିବା ସମୟରେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ ଲେଖି କୌଣସି ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କିଣିବା ପାଇଁ କିମ୍ବା ରୋଗ ପରୀକ୍ଷା କରିବା ପାଇଁ କହିଥାଆନ୍ତି। କିନ୍ତୁ ମେଡ଼ିକାଲ କାଉନ୍‌ସିଲ ଅଫ୍ ଇଣ୍ଡିଆର ଗାଇଡ଼ ଲାଇନ୍ ଅନୁଯାୟୀ ଏହା କରିବା ବେଆଇନ୍। ଏହା ଉପଭୋକ୍ତାଙ୍କ ଅଧିକାର ନଷ୍ଟ କରିବା ସହ ସମାନ। ସେ ଯେଉଁଠାରେ ଚାହିଁବେ ସେଠାରେ ଯାଞ୍ଚ କରାଇପାରିବେ। ମେଡ଼ିକାଲ କାଉନ୍‌ସିଲ ଅଫ୍ ଇଣ୍ଡିଆର ନୀତି ଅନୁଯାୟୀ ଡାକ୍ତର ପେସ୍‌କ୍ରିପସନରେ ବୈଜ୍ଞାନିକ ନାମ ବ୍ୟବହାର କରିବେ, କୌଣସି କମ୍ପାନୀର ବ୍ରାଣ୍ଡ ନେମ୍ ଉଳ୍ଲେଖ କରିପାରିବେ ନାହିଁ। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବାର ଅଧିକାର: ଅନେକ ସମୟରେ ଦେଖାଯାଏ ଡାକ୍ତରଖାନାର ସଂପୂର୍ଣ୍ଣ ଦେୟ ପୈଠ ହୋଇନଥିଲେ ରୋଗୀକୁ ଡାକ୍ତରଖାନା ଛାଡ଼ିବାକୁ ଦିଆଯାଏ ନାହିଁ। ବମ୍ବେ ହାଇକୋର୍ଟ ଏହାକୁ ବେଆଇନ କାରାବାସ ବୋଲି ମତ ଦେଇଛନ୍ତି। ବେଳେବେଳେ ସଂପୂର୍ଣ୍ଣ ଦେୟ ପୈଠ ହୋଇନଥିଲେ ରୋଗୀ ପରିଜନକୁ ମୃତଦେହ ମଧ୍ୟ ହସ୍ତାନ୍ତର କରିବାକୁ କେତେକ ଡାକ୍ତରଖାନା ମନା କରିଦିଅନ୍ତି।

ଡାକ୍ତରଖାନାର ଏହା ଦାୟିତ୍ୱ ଯେ, ସେ ରୋଗୀ ଏବଂ ତାଙ୍କ ପରିବାରକୁ ଦୈନିକ ଖର୍ଚ୍ଚ ସଂପର୍କରେ ଜଣାଇବେ। କିନ୍ତୁ ଏହା ସତ୍ତ୍ୱେ ବିଲ୍‌କୁ ନେଇ ଅସହମତି ହେଲେ ମଧ୍ୟ ସେମାନେ ରୋଗୀକୁ ଡାକ୍ତରଖାନା ବାହାକୁ ଯିବାକୁ କିମ୍ବା ମୃତଦେହ ନେଇଯିବାକୁ ରୋକିପାରିବେ ନାହିଁ। ଡାକ୍ତରଖାନା ପ୍ରଶାସନ ଏବଂ ଡାକ୍ତରଙ୍କ ସହ ଆଲୋଚନା କରାଯାଇ ଏ ସମସ୍ୟାର ସମାଧାନ କରାଯିବା ଉଚିତ। କିନ୍ତୁ କୌଣସି ସମାଧାନ ହୋଇନପାରିଲେ ରୋଗୀ ବା ତାଙ୍କ ପରିଜନ ରାଜ୍ୟ ମେଡ଼ିକାଲ କାଉନସିଲରେ ଡାକ୍ତର ଏବଂ ଡାକ୍ତରଖାନା ବିରୋଧରେ ଅଭିଯୋଗ ଦାଖଲ କରିପାରିବେ। ତେବେ ମନେ ରଖନ୍ତୁ କୌଣସି ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିବାକୁ ହେଲେ ଉପଭୋକ୍ତା ଅଦାଲତଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ସେହି ଡାକ୍ତରଙ୍କ ବିରୋଧରେ ସେହି ବିଶେଷଜ୍ଞତା ଥିବା ଅନ୍ୟ ଡାକ୍ତରଙ୍କ ସ୍ୱୀକୃତିପତ୍ର ଦାଖଲ କରାଯିବା ଆବଶ୍ୟକ। ଏପରି କୌଣସି ପ୍ରମାଣପତ୍ର ନଥିଲେ ଉପଭୋକ୍ତା ଅଦାଲତରେ ମାମଲା ରୁଜୁ କରିବା କଷ୍ଟକର ହୋଇଥାଏ। ଡାକ୍ତରୀ ସେବା ଯୋଗାଇବା ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଜଟିଳ ଦାୟିତ୍ୱ। ଅନେକ ହୁଏତ ଜାଣିନଥାନ୍ତି ଯେ, ଡାକ୍ତର ମାନଙ୍କର ଜୀବନ ଅଛି, ସଂସାର ଅଛି ଆଉ ନିଜ ଘର ପରିବାର ପ୍ରତି ଦାୟିତ୍ୱ ବି ରହିଛି। ସେମାନଙ୍କର ମାନସିକତାକୁ ନବୁଝି କୌଣସି ତରବରିଆ ନିଷ୍ପତ୍ତି ନେବା ଅନେକ ସମୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥାଏ। ପ୍ରଫେସର, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

ମୋ: ୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର