ରାଜସ୍ବ ବଳକାରେ ଓଡ଼ିଶା‌ ନଂ.୧: ୨୦୨୧-୨୨ରେ ୪୩,୪୭୧ କୋଟି

ଭୁବନେଶ୍ବର: ରାଜସ୍ବ ବଳକା ରାଜ୍ୟ ଭାବେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ରାଜସ୍ବ ବଳକା ସର୍ବାଧିକ ୪୩,୪୭୧ କୋଟି ଟଙ୍କା ରହିଛି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ଥିବା ଉତ୍ତରପ୍ରଦେଶର ରାଜସ୍ବ ବଳକା ୩୩,୪୮୦ କୋଟି ଟଙ୍କା ଥିବା ବେଳେ ଦିଲ୍ଲୀରେ ୩,୨୬୯ କୋଟି ଟଙ୍କା ରହିଛି। କୌଣସି ରାଜ୍ୟର ରାଜସ୍ବ ଆୟ ଯେତେବେଳେ ବ୍ୟୟଠାରୁ ଅଧିକ ରହିଥାଏ ତାହାକୁ ରାଜସ୍ବ ବଳକା ରାଜ୍ୟ କୁହାଯାଏ। କମ୍ ରାଜସ୍ବ ଓ ବ୍ୟୟ ଅଧିକ ଥିବା ରାଜ୍ୟଗୁଡ଼ିକୁ ରାଜସ୍ବ ନିଅଣ୍ଟିଆ ରାଜ୍ୟ କୁହାଯାଏ। ୨୦୦୪-୦୫ ପରଠାରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇରହିଛି।

ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡ ୬,୯୪୩ କୋଟି ଟଙ୍କା ରାଜସ୍ବ ବଳକା, ଗୁଜରାଟ ୬,୪୦୮ କୋଟି ଟଙ୍କା, ମଧ୍ୟପ୍ରଦେଶର ୪,୮୧୪ କୋଟି ଟଙ୍କା, ଛତିଶଗଡ଼ର ୪,୬୪୨ କୋଟି ଟଙ୍କା ରାଜସ୍ବ ବଳକା ରହିଛି। ତାମିଲନାଡ଼ୁର ରାଜସ୍ବ ନିଅଣ୍ଟ ସର୍ବାଧିକ ୪୬,୫୩୮ କୋଟି ଟଙ୍କା ଥିବା ବେଳେ ରାଜସ୍ଥାନର ୨୫,୮୬୯ କୋଟି ଟଙ୍କା, ମହାରାଷ୍ଟ୍ରର ୧୬,୩୭୪ କୋଟି ଟଙ୍କା ଓ ପଶ୍ଚିମବଙ୍ଗର ୩୨,୦୦୦ କୋଟି ଟଙ୍କା ରହିଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଓ ହରିୟାଣା ମଧ୍ୟ ରାଜସ୍ବ ନିଅଣ୍ଟ ସ୍ଥିତିରେ ରହିଛନ୍ତି। ଜାତୀୟ ସ୍ତରରେ ବିତ୍ତୀୟ ଦାୟିତ୍ବ ଓ ବଜେଟ୍ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନିୟମ ଲାଗୁ ହେବା ପୂର୍ବରୁ ଓଡ଼ିଶା ବର୍ଷକୁ ପାଖାପାଖି ୩୦୦ ଦିନ ଓଭରଡ୍ରାଫ୍ଟ ଭଳି ସ୍ଥିତିରେ ରହୁଥିଲା। ମାତ୍ର ୨୦୦୪-୦୫ ପରଠାରୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଥିଲା।

ଏହି ଧାରା ଅବ୍ୟାହତ ରହିଛି। କରୋନା ମହାମାରୀ ବ୍ୟାପିବା ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହା ସତ୍ତ୍ବେ ୨୦୨୦-୨୧ରେ ଓଡ଼ିଶା ୨,୩୩୬ କୋଟି ଟଙ୍କାର ରାଜସ୍ବ ବଳକା ରହିବ ବୋଲି ବଜେଟ୍‌ରେ ଆକଳନ କରାଯାଇଥିଲା। ୨୦୧୯-୨୦ରେ ଓଡ଼ିଶାର ୯,୫୦୯ କୋଟି ଟଙ୍କାର ରାଜସ୍ବ ବଳକା ଥିଲା। ୨୦୧୮-୧୯ରେ ରାଜସ୍ବ ବଳକା ୯,୯୮୦ କୋଟି ଟଙ୍କା, ୨୦୧୭-୧୮‌ରେ ୬,୬୯୪ କୋଟି ଟଙ୍କା ରହିବ ବୋଲି ରାଜ୍ୟ ବଜେଟ୍‌ରେ ଆକଳନ କରାଯାଇଥିଲା।

ସମ୍ବନ୍ଧିତ ଖବର