ବିଶ୍ବର ପ୍ରଥମ କାଚଭଳି ସ୍ବଚ୍ଛ ୱାୟରଲେସ୍‌ ଟିଭି

ନୂଆଦିଲ୍ଲୀ: ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ବର ପ୍ରଥମ କାଚଭଳି ସ୍ବଚ୍ଛ ୱାୟରଲେସ୍‌ ଟିଭି ‘ଏଲ୍‌ଜି ସିଗ୍ନେଚର ଓଏଲ୍‌ଇଡି’କୁ ଉନ୍ମୋଚନ କରାଯାଇଛି। ଏହା ଦେଖିବାକୁ ଏକ ସ୍ପଷ୍ଟ କାଚ ଭଳି। ଟିଭି ଅଫ୍ ହୋଇଗଲେ ତାହା ଉଭାନ ହୋଇଯିବା ଭଳି ମନେ ହେଉଛି। ଏହି ଟିଭିରେ କଂପାନି ଦୁଇ ପ୍ରକାର ସୁବିଧା ପ୍ରଦାନ କରିଛି। ଯେଉଁମାନେ ପାରମ୍ପରିକ ଢଙ୍ଗରେ ଟିଭି ଦେଖିବାକୁ ଚାହୁଛନ୍ତି ସେମ‌ାନେ ବ୍ଲାକ୍ (କଳା) ମୋଡ୍‌ ଚୟନ କରିପାରିବେ। କାଚଭଳି ସ୍ବଚ୍ଛ (ଟ୍ରାନ୍ସପାରେଣ୍ଟ୍‌) ମୋଡ୍‌ରେ ଭିନ୍ନ ଧରଣର ଅନୁଭୂତି ମିଳିବ। ଏହି ଟିଭିକୁ ପ୍ରସ୍ତୁତ କରିବା ଲାଗି କାଚଭଳି ସ୍ବଚ୍ଛ ଓଏଲ୍‌ଇଡି ପ୍ରଯୁକ୍ତି ବ୍ୟବହାର କରାଯାଇଛି। ଏଥିରେ ୱାୟରଲେସ୍‌ ଏଭି ଟ୍ରାନ୍ସମିସନ ସୁବିଧା ରହିଛି। ଲୋକମାନେ ୪କେ ରିଜଲ୍ୟୁସନରେ ଏହି ଟିଭି ଦେଖିପାରିବେ। ଏହି ଟିଭି ସହିତ କଂପାନି ଏକ ଜିରୋ କନେକ୍ଟ ବକ୍ସ ପ୍ରଦାନ କରୁଛି ଯାହା ୱାୟରଲେସ୍‌ ମାଧ୍ୟମରେ ଭିଡିଓ ଓ ଅଡିଓକୁ ଟିଭି ପର୍ଯ୍ୟନ୍ତ ପହଞ୍ଚାଇବ। ଷ୍ଟ୍ରିମିଂ ଡିଭାଇସ୍‌ ଓ ଗେମ୍ କନ୍‌ସୋଲ୍‌କୁ ସେଥିରେ ଯୋଡ଼ିହେବ। ଚଳିତ ବର୍ଷ ଏହି ଟିଭି ବଜାରକୁ ଆସିବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର