୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ବ୍ରାଉନ୍‌ ସୁଗାର ବ୍ୟବସାୟ କରୁଥିବା ଜଣେ ପୁରୁଣା ନିଶା ବ୍ୟବସାୟୀକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ସେ ହେଲେ, ନନ୍ଦନକାନନ ଲେ‌ଭେଲ କ୍ରସିଂ ନିକଟ ପଦାସାହିର ରମେଶ ବେହେରା। ଗୁଇନ୍ଦା ସୂଚନା ପାଇ କ୍ୟୁଏଟି ସହାୟତାରେ କେନାଲ ରୋଡ୍‌ ହନୁମାନ ମନ୍ଦିର ପାଖରୁ ତାକୁ ଗିରଫ କରାଯାଇଛି। ତାଙ୍କଠାରୁ ୧୯ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଏହାର ବଜାର ଦର ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହାବ୍ୟତୀତ ପୁଲିସ ତାଙ୍କ ନିକଟରୁ ଏକ ବାଇକ୍‌ ଓ ଏକ ମୋବାଇଲ ମଧ୍ୟ ଜବତ କରିଛି। ଏନେଇ ମଞ୍ଚେଶ୍ବର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସେ କାହାକୁ ବ୍ରାଉନସୁଗାର ବିକ୍ରି କରୁଥିଲେ, ତାଙ୍କଠାରୁ ଏହି ନିଶା ନେଉଥିବା ଆଉ କେତେଜଣ ବ୍ୟବସାୟୀ ଭୁବନେଶ୍ବରରେ ଅଛନ୍ତି, କାହାଠାରୁ ନିଶାଦ୍ରବ୍ୟ ଆଣୁଥିଲେ; ସଂପର୍କରେ ପୁଲିସ ତାଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି। ଖୁବ୍‌ଶୀଘ୍ର ଏହି ବ୍ୟବସାୟରେ ଲିପ୍ତ ଅନ୍ୟମାନେ ପୁଲିସର ହାତ ଲାଗିବେ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ସୂଚନା ଅନୁଯାୟୀ, ରମେଶ ଏହି ଜହର ବ୍ୟବସାୟ କରୁଥିବା ଖବର ପାଇ କ୍ୟୁଏଟି ତାଙ୍କୁ ପିଛା କରି ଆସୁଥିଲା। ଆଜି ସକାଳେ ସେ ତାଙ୍କ ବାଇକ୍‌ ଡିକିରେ ବ୍ରାଉନ୍‌ ସୁଗାର ଭର୍ତ୍ତି କରି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରିବା ପାଇଁ ଯାଉଥିବା ବେଳେ କେନାଲ ରୋଡ୍‌ ନିକଟରେ କ୍ୟୁଏଟି ତାଙ୍କୁ ଅଟକାଇଥିଲା। ପୂର୍ବରୁ ସଜାଗ ଥିବା ମଞ୍ଚେଶ୍ୱର ପୁଲିସ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର