ମଦ ପିଇ ଖାମଖିଆଲି ଭାବେ ଡାକ୍ତର କରୁଥିଲେ ଅପରେସନ୍‌, ଚାଲିଗଲା ମା’ ଓ ଶିଶୁଙ୍କ ଜୀବନ

ରାଜକୋଟ୍‌: ବିନା ବିଜୁଳି ଆଲୁଅରେ ଡାକ୍ତର ପ୍ରସବ କରିବା ଘଟଣା ନିକଟରେ ସାମ୍ନାକୁ ଆସିଥିଲା। ଏପରି ଅନ୍ୟ ଏକ ଘଟଣା ଗୁଜରାଟରେ ଦେଖିବାକୁ ମିଳିଛି। ରାଜକୋଟର ବୋଟାଡ ସ୍ଥିତ ଏକ ସରକାରୀ ହସ୍ପିଟାଲ୍‌ରେ ଜଣେ ଡାକ୍ତର ମଦ ପିଇ ଜଣେ ପ୍ରସୂତିଙ୍କ ପ୍ରସବ କରିବା ହେତୁ ଉଭୟ ମା’ ଓ ଶିଶୁଙ୍କ ମୃତ୍ୟୁ ଘଟିଛି। ଉକ୍ତ ମହିଳାଙ୍କ ପ୍ରସବ କରୁଥିବା ଡାକ୍ତରଙ୍କୁ ପୁଲିସ୍‌ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ପରିବାର ଲୋକ ଅଭିଯୋଗ ଅନୁଯାୟୀ, ଡାକ୍ତର ମଦ ପିଇ ଅବହେଳା କରି ସିଜରିଆନ ଅପରେସନ କରିବା ହେତୁ ଅନ୍ତସତ୍ତ୍ୱା ମହିଳାଙ୍କ ମୃତ୍ୟୁ ହୋଇଥିଲା। କାମିନୀ ଚାଚିଆଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସୋମବାର ପ୍ରାୟ ସାଢ଼େ ଏଗାରଟାରେ ସେମାନେ ତାଙ୍କୁ ସୋନଭାଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ପରେଶ ଲଖାନୀ ତାଙ୍କର ଅପରେସନ କରିବା ସମୟ ହୋଇ ଯାଇଛି ବୋଲି କହିଥିଲେ, ହେଲେ କିଛି ସମୟ ପରେ କାମିନୀ ଓ ନବଜାତ ଶିଶୁକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଡାକ୍ତର ପରେଶ ମଦ ପିଇଥିବା ଜାଣିବାକୁ ପାଇଛି। ମୃତ କମିନୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ। ଯଦି ଏଥିରେ କୌଣସି ଅବହେଳା ନେଇ ତଥ୍ୟ ଆସେ, ତା’ହେଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର