ଜୟପୁର ଗୁଳିକାଣ୍ଡ ଘଟଣାରେ ଆଉ ୨ ଗିରଫ

ଦୁଇ ଦିନିଆ ରିମାଣ୍ଡରେ ଆସିବ ସଞ୍ଜୟ ସୁନା

ଜୟପୁର: ଜୟପୁର ସହରରେ ଗୁଳିକାଣ୍ଡ ସହ କାର୍ତ୍ତିକ ନାଗଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପୁଲିସ ଆଉ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ କୋରାପୁଟ ଟାଉନଥାନା ଅନ୍ତର୍ଗତ ଟିକିରା ସାହିର ଗୌତମ ଟାକ୍ରି (୩୨) ଓ କୋରାପୁଟ ଓଏମ୍‌ପି ଅଞ୍ଚଳର ଦିପକ ଖରା (୨୪)। ଏହି ମାମଲାରେ ପୁଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଛି। ଏହି ମାମଲାର ତଦନ୍ତ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ପଚାରାଉଚୁରା କରୁଛି। ଏହି ମାଲାରେ ସମ୍ପୃକ୍ତି ରହିଥିବା ଆହୁରି ୫ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିବା ଅଭିଯୁକ୍ତମାନେ ଶୀଘ୍ର ଧରାପଡିବେ ବୋଲି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି।

          ଏହି ଘଟଣାପରେ ଗୌତମ ଟାକ୍ରି ଫେରାର ରହିଥିବା ବେଳେ ଟାଉନଥାନା ଏସ୍ଆଇ ସିଦ୍ଧାନ୍ତ ବେହରା ଓ ପୁଲିସ ଟିମ୍ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଭୁବନେଶ୍ବରରୁ ଗତକାଲି ଗୌତମକୁ କାବୁ କରି ଜୟପୁରକୁ ଆଣିଥିଲେ। ସେହିପରି କୋରାପୁଟ ଓଏମ୍‌ପି ଅଞ୍ଚଳରୁ ଦିପକଙ୍କୁ ଗିରଫ କରାଯାଇଥିଲା। ଗୌତମ ନାଁରେ କୋରାପୁଟ ଟାଉନ ଥାନାରେ ୩ଟି ମାମଲା ରହିଛି। ପତ୍ନୀଙ୍କୁ ହତ୍ୟା କରିଥିବା ମାମଲା ସହିତ ଗଣ୍ଡଗୋଳ ଓ ମାରପିଟ ଭଳି ମାମଲା ଦିପକ ନାଁରେ ରହିଥିବା ନେଇ ଏସଡିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏଥିସହ ଅଭିଯୁକ୍ତମାନଙ୍କ ଠାରୁ କାର୍ତ୍ତିକକୁ ଆକ୍ରମଣ କରିଥିବା କାଠ ଫାଳିଆକୁ ମଧ୍ୟ ଜବତ କରାଯାଇଛି। ଅନ୍ୟପକ୍ଷରେ ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସକୁ ଚିନ୍ତା ଘାରିଛି। ସେମାନଙ୍କୁ କାବୁ କରିବା ପାଇଁ ସ୍ବତନ୍ତ୍ର ଟିମ୍ ତଦନ୍ତ କରୁଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତ ସଞ୍ଜୟ ସୁନାକୁ ‌ପୁଲିସ ରିମାଣ୍ଡରେ ଆଣିବ। ପୁଲିସ ସଞ୍ଜୟକୁ ୪ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଜୟପୁର ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିବା ବେଳେ ୨ ଦିନ ରିମାଣ୍ଡରେ ନେବା ପାଇଁ ମାନ୍ୟବର କୋର୍ଟ ଅନୁମତି ପ୍ରଦାନ କରିଛି।  ଏହି ଘଟଣାର କାରଣ, ବନ୍ଧୁକ, ଅନ୍ୟାନ୍ୟ ବିଷୟରେ ପଚାରିବୁଝିବ ବୋଲି ଏସ୍‌ଡିପିଓ କହିଛନ୍ତି। ଏହି ମାମଲାକୁ ଡିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଅରେଞ୍ଜ ଫ୍ଲାଗ୍ ହୋଇଥିବା ବେଳେ ଜୟପୁର ଟାଉନ ଅଧିକାରୀ ସଞ୍ଜୟ କୁମାର ମଣ୍ଡଳଙ୍କ ବଦଳରେ ଏସଡିପିଓ ଶ୍ରୀ ବେହେରାଙ୍କୁ ତଦନ୍ତ ଦାୟିତ୍ବ ଭାର ପ୍ରଦାନ କରାଯାଇଛି।

ପ୍ରକାଶଥାଉକି, ହୋଲି ଦିନ ଜୟପୁରର କାର୍ତ୍ତିକ ନାଗଙ୍କ ଉପରକୁ ଦୁର୍ବତ୍ତମାନେ ଗୁଳି ଚାଳନା କରିଥିଲେ। କିନ୍ତୁ କାର୍ତ୍ତିକ ଗୁଳିରୁ ବର୍ତ୍ତି ଯାଇଥିବା ବେଳେ ଘଟଣାସ୍ଥଳରୁ ଦୌଡିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୌଡି ନପାରି ଦୁର୍ବୃତ୍ତଙ୍କ ହାବୁଡରେ ପଡିଯାଇଥିଲେ। ଦୁର୍ବୃତ୍ତମାନ‌େ କାର୍ତ୍ତିକକୁ ସ୍କର୍ପିଓ ଗାଡିରେ ଅପହରଣ କରି ନେଇଯାଇଥିଲେ। ପରେ କାର୍ତ୍ତିକଙ୍କ ଗୋଡକୁ ହାତୁଡିରେ ଆକ୍ରମଣ କରିବା ସହ ହାତର ଶିରାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଜୟପୁର ସଦରଥାନା ଅନ୍ତର୍ଗତ କୁମୁଲିପୁଟ ଅଞ୍ଚଳରେ କାର୍ତ୍ତିକକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରେ ଫୋଫାଡି ଦେଇ ଚାଲିଯାଇଥିଲେ। କାର୍ତ୍ତିକକୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ କୋରାପୁଟ ଏହପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟରେ ଏହି ମାମଲାର ଅଭିଯୁକ୍ତକୁ ଧରିବା ପାଇଁ କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇଥିବା ବେଳେ ୪ ଜଣ ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ସୁନା ଜୟପୁର ଏସଡିଜେଏମ୍ କ‌ୋର୍ଟରେ ଆତ୍ମସମର୍ପଣ କରିଥିବାରୁ ତାକୁ ସ୍ଥାନୀୟ ଉପକାରାଗାରକୁ ପଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର