ଭୋଟ୍‌ ବର୍ଜନ ପାଇଁ ଅଡ଼ି ବସିଛନ୍ତି ଦୁଣ୍ଡାଗାଁର ଲୋକେ: ଗାଁରେ ପୂରାଇ ଦେଲେନି, ଫେରିଗଲେ ହୋମ୍‌ଭୋଟିଂ କର୍ମଚାରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ପଞ୍ଚାୟତର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳ ଗାଁ ଦୁଣ୍ଡାଗାଁକୁ ହୋମ୍‌ଭୋଟିଂ ପାଇଁ ଯାଇଥିବା କର୍ମଚାରୀଙ୍କୁ ବିରୋଧ କରିଥିଲେ ଗ୍ରାମବାସୀ। ଫଳରେ ଗାଁକୁ ପଶି ନ ପାରି କର୍ମଚାରୀମାନେ ଫେରି ଯାଇଛନ୍ତି। ସୋମବାର ଜୁନାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ହୋମଭୋଟିଂ ପାଇଁ ଦୁଣ୍ଡାଗାଁକୁ ଯାଇଥିଲେ। ତେବେ ଗ୍ରାମବାସୀ ଗାଁ ଭିତରକୁ ପୂରାଇ ନ ଦେବାରୁ ସେମାନେ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ଦୁଣ୍ଡାଗାଁରେ ବାସ କରୁଥିବା ନିରୀହ ଆଦିବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି, ମୋବାଇଲ ନେଟୱାର୍କ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ରାସ୍ତା ନ ଥିବା ଯୋଗୁଁ ଗ୍ରାମବାସୀ ପାହାଡ଼ ଚଢ଼ି ଯିବା ଆସିବା କରିଥାନ୍ତି। ଏଠାରେ ସ୍ବଚ୍ଛ ପାନୀୟ ଜଳ ସାତସପନ। କାହାରିକୁ ଆବାସ ଯୋଜନାରେ ପକ୍କା ଘର ବି ମିଳିନାହିଁ। ଗାଁର କିଛି ଲୋକ ଥୁଆମୂଳ ରାମପୁର ବ୍ଲକ୍‌ର କିଆପଦର ପଞ୍ଚାୟତରୁ ଚାଉଳ ନେଉଥିବା ବେଳେ କିଛି ଲୋକ ଦୁନ୍ଦେଲମାଲ ପଞ୍ଚାୟତରୁ ଚାଉଳ ନେଇଥାନ୍ତି। ୫୦ କେଜି ଚାଉଳକୁ ୫୦୦ ଟଙ୍କା ଖର୍ଚ୍ଚ କରି ନେବା ଘଟଣା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ରାସ୍ତା ନ ଥିବାରୁ ଜୁନାଗଡ଼ ବ୍ଲକ ଅଫିସ୍‌ ସହ ସିଧାସଳଖ ଯୋଗଯୋଗ ହୋଇପାରେ ନାହିଁ। ଏହାର ପ୍ରତିବାଦରେ କିଛିଦିନ ତଳେ ଦୁଣ୍ଡା ଗ୍ରାମବାସୀ ଭୋଟ୍‌ ବର୍ଜନ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର