ବହି ଯୋଗାଇପାରୁନି ଏନ୍‌ସିଇଆର୍‌ଟି: ନକଲି ବହି ଛାପି ପ୍ରକାଶନୀ ସଂସ୍ଥା ମାଲାମାଲ

ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହ ସରିଲାଣି। ତଥାପି ବଜାରରେ ମିଳୁନାହିଁ ନ୍ୟାସନାଲ୍‌ କାଉନସିଲ୍‌ ଅଫ୍‌ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍‌ସିଇଆର୍‌ଟି) ଦ୍ବାରା ପ୍ରଚଳିତ ପାଠ୍ୟପୁସ୍ତକ। ସିବିଏସ୍‌ଇ ଅଧୀନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍‌ଲାଇନ୍‌ରେ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଚଳିତ ପାଠ୍ୟପୁସ୍ତକ ବଜାରରେ ଉପଲବ୍ଧ ହେଉନାହିଁ। ୩ୟ ଓ ୬ଷ୍ଠ ଶ୍ରେଣୀର ବହି ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନ ଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଚିନ୍ତାରେ ଥିବା ବେଳେ ବଜାରରେ ନକଲି ପାଠ୍ୟପୁସ୍ତକ ବିକ୍ରି ହେଉଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏନ୍‌ସିଇଆର୍‌ଟି କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ରେ କିଛି ପାଠ୍ୟପୁସ୍ତକ ଛାଡ଼ିଛନ୍ତି। ଆଉ ଏହାର ଫାଇଦା ନେଇ କେତେକ ପ୍ରକାଶନୀ ସଂସ୍ଥା ଏବେ ନିଜସ୍ବ ଲୋଗୋ ଲଗାଇ ପାଠ୍ୟପୁସ୍ତକ ଛାପିବା ସହ ତାହାକୁ ବଜାରକୁ ଛାଡ଼ିଥିବା ନଜରକୁ ଆସିବା ପରେ ଏନ୍‌ସିଇଆରଟି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭୁବନେଶ୍ବରରେ ଚଢ଼‌ଉ କରାଯିବା ସହ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ତା’ସତ୍ତ୍ବେ ଆବଶ୍ୟକତା ଅନୁଯାୟୀ ବହି ନ ମିଳିବା ଏବେ ଏନ୍‌ସିଇଆର୍‌ଟିର ପାରିବାପଣିଆ ନେଇ ପ୍ରଶ୍ନ ଉଠିଲାଣି।

ଏନ୍‌ସିଇଆର୍‌ଟି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ତୃତୀୟ ଶ୍ରେଣୀର ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁ ଭାଷାର ପାଠ୍ୟପୁସ୍ତକ ଏନସିଇଆରଟି ୱେବସାଇଟ୍‌ରେ ଉପଲବ୍ଧ ରହିଛି। ବିଦ୍ୟାଳୟ ଶିକ୍ଷା ଜାତୀୟ ପାଠ୍ୟଚର୍ଯ୍ୟା ୨୦୨୩ରେ ଷଷ୍ଠ ଶ୍ରେଣୀ ପାଇଁ ପ୍ରସ୍ତାବିତ ସମସ୍ତ ୧୦ଟି ବିଷୟ ପାଇଁ ଏକ ମାସ ସଂଯୋଗ କାର୍ଯ୍ୟକ୍ରମ ୱେବ୍‌ସାଇଟ୍‌ରେ ରହିଛି। ‌‌ଷଷ୍ଠ ଶ୍ରେଣୀର ନୂତନ ପାଠ୍ୟପୁସ୍ତକ ବ୍ୟବହାର ପୂର୍ବରୁ ମୌଳିକ କିମ୍ବା ସଂଯୋଗ କାର୍ଯ୍ୟକ୍ରମ ଜରୁରି। ପିଲାମାନେ ସେମାନଙ୍କର ମୌଳିକ ଓ ଏକ ମାସ ସଂଯୋଗ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ନୂତନ ପାଠ୍ୟକ୍ରମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବେ। ସେତେବେଳକୁ ସେମାନଙ୍କ ପାଇଁ ପାଠ୍ୟପୁସ୍ତକ ଉପଲବ୍ଧ ହୋଇଥିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ନୂତନ ପାଠ୍ୟପୁସ୍ତକ ଏବଂ ସପ୍ତମ, ଅଷ୍ଟମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ଛପାଯାଇଛି। ୪ର୍ଥ, ୫ମ, ନବମ ଓ ଏକାଦଶ ଶ୍ରେଣୀର ଅଧିକାଂଶ ପାଠ୍ୟପୁସ୍ତକ ପ୍ରକାଶ ପାଇଛି ଏବଂ ମେ’ ୩୧ ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ଉପଲବ୍ଧ ହେବ। ଏହି ପାଠ୍ୟପୁସ୍ତକଗୁଡ଼ିକର ଡିଜିଟାଲ ସଂସ୍କରଣ ଏନ୍‌ସିଇଆର୍‌ଟି ୱେବ୍‌ସାଇଟ୍, ଦୀକ୍ଷା ଓ ଇ-ପାଠଶାଳା ସହ ମୋବାଇଲ୍ ଆପ୍‌ରେ ମଧ୍ୟ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀ, ଅଭିଭାବକ ଏହାକୁ ସହଜ ଓ ମାଗଣାରେ ଡାଉନ୍‌ଲୋଡ୍ କରିପାରିବେ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏନ୍‌ସିଇଆରଟିର ବିଳମ୍ବିତ ପାଠ୍ୟପୁସ୍ତକ ପ୍ରକାଶନର ଫାଇଦା ନେଇ କେତେକ ପ୍ରକାଶନୀ ସଂସ୍ଥା ପାଠ୍ୟପୁସ୍ତକର ନକଲ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀ ଉପକୃତ ହେଉଥିବା ବେଳେ ଏନ୍‌ସିଇଆର୍‌ଟିର କାର୍ଯ୍ୟାନୁଷ୍ଠାନକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଲେଣି। ସେମାନଙ୍କ କହିବା କଥା ହେଉଛି ଯେ ଏନ୍‌ସିଇଆରଟି ୱେବସାଇଟ୍‌ରେ ପାଠ୍ୟପୁସ୍ତକ କପି ରହିଥିବାରୁ ପ୍ରକାଶନୀ ସଂସ୍ଥାଗୁଡ଼ିକ ପାଠ୍ୟପୁସ୍ତକକୁ ନକଲ କରି ପ୍ରକାଶ କରୁଛନ୍ତି। ଏହାଦ୍ବାରା କପିରାଇଟ୍‌ ଆଇନ ଉଲ୍ଲଂଘନ ହେଉଥିବା ଠିକ୍‌। ମାତ୍ର ପିଲାମାନେ କିଭଳି ଉପକୃତ ହେବେ ଏବଂ ଠିକ୍‌ ସମୟରେ ବହି ପାଇବେ ସେଦିଗରେ ଏନ୍‌ସିଇଆରଟି କ’ଣ ପଦକ୍ଷେପ ନେଉଛି ତାହା ବି ଦେଖିବା କଥା। ନ ହେଲେ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ଯେଉଁଭଳି ହଇରାଣ ହେଉଛନ୍ତି ତାହା ଚିନ୍ତାର ବିଷୟ। କାରଣ ୨୦୨୪-୨୫ ଶିକ୍ଷାବର୍ଷର ଗୋଟିଏ ମାସ ପାଠପଢ଼ା ସରିଲାଣି। ଯଦି ଠିକ୍‌ ସମୟରେ ବହି ନ ମିଳେ ତା’ହେଲେ ପିଲାମାନେ ହିଁ ଅସୁବିଧାରେ ପଡ଼ିବେ। ଭବିଷ୍ୟତ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର