ଗଞ୍ଜାମରେ ଦାଦନଙ୍କ ଅସରନ୍ତି ଯନ୍ତ୍ରଣା: ୨୦୨୩ରେ ୪୦ ଜଣ ପ୍ରାଣ ହରାଇଥିଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ ସଦରମହକୁମା ହରିଜନ ସାହିର କାଳୁ ଦାସଙ୍କ ପୁଅ ବଳରାମ ଦାସ (୩୪)। ପରିବାର ପ୍ରତିପୋଷଣ ପାଇଁ ଘରୁ ପାଦ କାଢ଼ି ଚେନ୍ନାଇ ଯାଇଥିଲେ। କିନ୍ତୁ ମାତ୍ର ବର୍ଷକ ପରେ ଅର୍ଥାତ୍ ଗତବର୍ଷ ଡିସେମ୍ବର ମାସରେ ତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ବାପାମା’ଙ୍କ ଉପରେ ଦୁଃଖର ପାହାଡ଼ ଯେମିତି ଭାଙ୍ଗିପଡ଼ିଥିଲା। ସେହିପରି ବୁଗୁଡ଼ା ବ୍ଲକ୍ ତାକରଡ଼ା ଗ୍ରାମର ବଳରାମ ନାୟକ (୨୪) ପରିବାର ପ୍ରତିପୋଷଣ ପାଇଁ ୮ ବର୍ଷ ହେଲା ସୁରତରେ ରହି ସୂତାକଳରେ କାମ କରୁଥିଲେ। ସେ ବି ହଠାତ୍ ଅସୁସ୍ଥତାରୁ ଆଖି ବୁଜି ଆରପାରିକୁ ଚାଲିଯିବାରୁ ପରିବାର ବେସାହାରା ପାଲଟିଗଲା। ସଦ୍ୟତମ ଘଟଣା ହେଲା, ତିନି ଦିନ ତଳେ ଅର୍ଥାତ୍‌ ଗତ ୫ ତାରିଖରେ ଜଗନ୍ନାଥପ୍ରସାଦ ବ୍ଲକ୍ ଅଢ଼େଇଗାଁର ଦିଲୀପ ବିଷୋୟୀଙ୍କ ଏକମାତ୍ର ପୁଅ ଆଶିଷ (୨୫) ତାଙ୍କ କର୍ମସ୍ଥଳ ବେଙ୍ଗାଲୁରୁ ଯାଉଥିବା ବେଳେ ଟ୍ରେନ୍‌ରୁ ଖସିପଡ଼ି ପ୍ରାଣ ହରାଇଛନ୍ତି। ଜିଲ୍ଲାର ପ୍ରତି ଗାଁରୁ ରୋଜଗାର ଆଶା‌‌ରେ ବିଭିନ୍ନ ରାଜ୍ୟ ଓ ବିଦେଶକୁ ଦାଦନଙ୍କ ସୁଅ ଛୁଟୁଛି। ସେମାନଙ୍କ ଯନ୍ତ୍ରଣାର ଯେମିତି ଅନ୍ତ ନାହିଁ। ଆଜି ବି ୨୨ ବ୍ଲକ୍‌ର ପ୍ରତି ଗାଁରେ ଏଭଳି ଗୋଟିଏଗୋଟିଏ କାହାଣୀ ଅନାଲୋଚିତ ହୋଇ ରହିଛି କହିଲେ ଅତ୍ୟୁକ୍ତି ହେବନି। ଗତବର୍ଷ ଜିଲ୍ଲା ପାଇଁ ଦାଦନ ଦୁଃଖର ବର୍ଷ ଥିବା ବେଳେ ୪୦ରୁ ଅଧିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା।

ଗୋଟିଏ ପଟେ ମନରେଗା ଯୋଜନାର ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଡିଣ୍ଡିମ ପିଟୁଛି। କିନ୍ତୁ ଅନ୍ୟପଟେ ଏହି ଯୋଜନା ତୃଣମୂଳ ସ୍ତରରେ କେମିତି କାର୍ଯ୍ୟକାରୀ ହେଉଛି, ତାହା ଦାଦନ ଯନ୍ତ୍ରଣାରୁ ସ୍ପଷ୍ଟ ହେଉଛି। କର୍ମସଂସ୍ଥାନ ଅଭାବରୁ ପ୍ରତିଦିନ ଶତାଧିକ ଯୁବକ ଦାଦନ ଖଟିବାକୁ ଘରୁ ଗୋଡ଼ କାଢ଼ୁଛନ୍ତି। ଗତ ଆର୍ଥିକବର୍ଷ ୨୦୨୨-୨୩ରେ ଗଞ୍ଜାମ ଜିଲ୍ଲା ୨ କୋଟି ୭୪ ଲକ୍ଷ ୧୭ ହଜାର ୯୫୯ ଶ୍ରମଦିବସ ସୃଷ୍ଟି କରି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। କେବଳ ଏତିକି ନୁହେଁ, ୯୫ ହଜାର ୩୬୩ ପରିବାରକୁ ୧୦୦ ଦିନିଆ କାମ ଯୋଗାଇବା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିଲା। କିନ୍ତୁ ଏହି ଗୋଲାପି ଚିତ୍ରରୁ ବାସ୍ତବ ଚିତ୍ର କିଭଳି ଭିନ୍ନ, ତାହା ଦାଦନ ଦୁଃଖରୁ ସ୍ପଷ୍ଟ ଅନୁମେୟ। ଆଜି ବି ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନ ଏକ ସ୍ବପ୍ନ ପାଲଟିଛି। ଏଭଳି ପରିସ୍ଥିତିରେ ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ପୁଣି ନେତା ଓ ରାଜନୈତିକ ଦଳମାନଙ୍କୁ ଦାଦନଙ୍କ କଥା ମନେ ପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଦଳର ନେତା ସୁରତରେ ଡେରା ପକାଇଥିଲେ। ଚଳିତ ନିର୍ବାଚନ ପାଇଁ ସୁରତ ସମେତ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଯୁବକ ଏବେ ଭୋଟ ଦେବାକୁ ଗାଁମୁହାଁ ହେଉଛନ୍ତି। ସେମାନଙ୍କ ପାଇଁ ପ୍ରାର୍ଥୀମାନେ ବି ବରାବର ଯୋଗାଯୋଗରେ ରହିଛନ୍ତି।

ତେବେ ଦାଦନଙ୍କ ପ୍ରକୃତ ସମସ୍ୟା ଓ ଦୁଃଖ ଶୁଣିବାକୁ କାହାର ବି ଚିନ୍ତା କି ନିଘା ନାହିଁ। ସେମାନେ କେବଳ ନେତାମାନଙ୍କ ପାଇଁ ଏକ ଭୋଟ ବ୍ୟାଙ୍କ ପାଲଟିଯାଇଛନ୍ତି। ବର୍ତ୍ତମାନ ଶାସକ ଦଳର ନେତାମାନେ ଶ୍ରମିକଙ୍କ ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ ଯୋଜନାକୁ ନିର୍ବାଚନୀ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଅନ୍ୟପଟେ ବିରୋଧୀ ଏହାକୁ ପ୍ରମୁଖ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି। କିଛିଦିନ ହେଲା ଗଞ୍ଜାମ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଏହାକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମରେ ବାକ୍‌ଯୁଦ୍ଧ ଲାଗି ରହିଛି। ଏଭଳି ଘଡ଼ିସନ୍ଧି ସମୟରେ ଦାଦନମାନେ ଭୋଟ ଦେଇ ପୁଣି କର୍ମକ୍ଷେତ୍ରକୁ ଫେରିଯିବା ପରେ ସମସ୍ତେ ସେମାନଙ୍କ କଥାକୁ ଭୁଲିଯିବେ। ଜିଲ୍ଲାର ପ୍ରାୟ ୫ଲକ୍ଷ ଲୋକ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। କେବଳ ସୁରତରେ ୩ରୁ ସାଢ଼େ ୩ଲକ୍ଷ ଲୋକ ଅଛନ୍ତି। ଦାଦନ ଶ୍ରମିକଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର