ଟାଟାଷ୍ଟିଲ୍‌ରୁ ଓହରିଯିବ ଡେକୋ କମ୍ପାନି: ଛଟେଇ ହେବେ ୧୧ ଶହରୁ ଅଧିକ ଠିକା ଶ୍ରମିକ

କାଳିଆପାଣି: ଟାଟାଷ୍ଟିଲ୍‌ର ୩ଟିଯାକ ଖଣି ସୁକିନ୍ଦା, ସାରୁଆବିଲି ଓ କମର୍ଦ୍ଦା କ୍ରୋମାଇଟ୍‌ ଖଣିରୁ ନିଯୁକ୍ତିଦାତା ଏମ୍‌ଡିଓ ଧନସାର ଇଞ୍ଜିନିୟରିଂ କମ୍ପାନି (ଡେକୋ) ଆଗାମୀ ଜୁନମାସ ସୁଦ୍ଧା ଓହରିଯିବ ବୋଲି ସୂଚନା ମିଳିଛି। ଉପରୋକ୍ତ ୩ଟିଯାକ କ୍ରୋମାଇଟ୍‌ ଖଣିରେ ନିୟୋଜିତ ଥିବା ୧୧ଶହରୁ ଅଧିକ ଶ୍ରମିକ ଛଟେଇ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସଂପୃକ୍ତ ୩ ଖଣିରେ କ୍ରୋମ୍‌ ଉତ୍ତୋଳନ, ବୋଝେଇ ଓ ପରିବହନ କାର୍ଯ୍ୟ ବନ୍ଦ ପାଇଁ ଡେକୋ ପକ୍ଷରୁ ୩ଟି ପୃଥକ ନୋଟିସ ଜାରି କରାଯାଇଛି। କମ୍ପାନି ପକ୍ଷରୁ ବିଜ୍ଞପ୍ତି ନଂ ଡେକୋ/ଏଚ୍‌ଆର୍/ଏଚ୍‌ଓ/୨୩-୨୪/୩୨୦, ୩୨୧ ଓ ୩୨୨ ଆଧାରରେ ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା କାର୍ଯ୍ୟବନ୍ଦ କରିବାକୁ ଯାଉଥିବାରୁ ବୈଧାନିକ ସର୍ତ୍ତାବଳୀ ଆଧାରରେ ୩ ମାସ ପୂର୍ବରୁ ଠିକା ଶ୍ରମିକ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ୍ ଜାରିକରିଛି। ଏଥିସହ ମୂଳ ନିଯୁକ୍ତିଦାତା ଟାଟା କମ୍ପାନି କର୍ତ୍ତୃପକ୍ଷ, ଓଡ଼ିଶା ଉପମୁଖ୍ୟ ଶ୍ରମ ଆୟୁକ୍ତ, ସହକାରୀ ଶ୍ରମ ଆୟୁକ୍ତ, ଶ୍ରମିକସଂଘ ଓ ସଂପୃକ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ଏହାର ନକଲ ପଠାଯାଇଥିବା ଦର୍ଶାଯାଇଛି।

ଟାଟାଷ୍ଟିଲ୍‌ ପକ୍ଷରୁ ପ୍ରସ୍ତାବିତ କାର୍ଯ୍ୟାଦେଶରୁ ଡେକୋକୁ ଦୂରେଇ ରଖାଯିବା ଯୋଜନାରେ ପୂର୍ବଭଳି ଖୋଲା ଟେଣ୍ଡର ଆହ୍ବାନ କରାଯାଇ ନଥିବା ଜଣାପଡ଼ିଛି। ୫ ଗୋଟି ନୂଆ କମ୍ପାନି ଏନ୍‌ଏସ୍‌ଆଇପିଏଲ୍‌, ବିଏସ୍‌ ମାଇନିଂ, ନିରୁପମା ମାଇନିଂ, ଏମ୍‌ଆଇପିଏଲ୍‌ ଓ ଆରଏମ୍‌ଏସ୍‌କୁ ସ୍ବତନ୍ତ୍ର ଚିଠି ଜରିଆରେ ଏମ୍‌ଡିଓ ନିୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି। ଗତମାସ ଏପ୍ରିଲ ୧୫ ତାରିଖରେ କମର୍ଦ୍ଦା କ୍ରୋମାଇଟ୍‌ ଖଣି ଅଭ୍ୟର୍ଥନା ପ୍ରକୋଷ୍ଠରେ ଅନୁଷ୍ଠିତ ପ୍ରି-ବିଡିଂ ବୈଠକରେ ଏହି ୫ କମ୍ପାନି ପ୍ରତିନିଧି ଓ ଟାଟା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସହ ସେମାନଙ୍କୁ ଖଣି ପରିଦର୍ଶନର ସୁଯୋଗ ଦିଆଯାଇଥିଲା। ଏଥସହ ୨୦୨୦ ସେପ୍ଟେମ୍ବରରୁ ଟାଟାଷ୍ଟିଲ୍‌ରେ କାମ ପାଇବାର ୩ ବର୍ଷ ୯ ମାସ ମଧ୍ୟରେ ଡେକୋ ଓହରିଯିବା ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଯାଇଛି। ଏ ସଂପର୍କରେ ଡେକୋ ଏମ୍‌ଡି ଡ. ସୌମ୍ୟରଞ୍ଜନ ସାମଲ କହନ୍ତି ଯେ, ଟାଟାଷ୍ଟିଲ୍‌ ପକ୍ଷରୁ ଆହ୍ବାନ ଟେଣ୍ଡର ପ୍ରକ୍ରିୟାରେ ଏମ୍‌ଡିଓ ଚୟନ ହେବାର ୩ ବର୍ଷ ମଧ୍ୟରେ ଦିନକୁ ଦିନ ଖଣିର ଗଭୀରତା ଓ ଡମ୍ପିଂୟାର୍ଡ ଦୂରତା ବୃଦ୍ଧିପାଇବା ସହ ଡେକୋ କମ୍ପାନିର ଧାର୍ଯ୍ୟ ଖନନ ଓ ଉତ୍ପାଦନ ଲକ୍ଷ୍ୟ ପ୍ରଭାବିତ ହୋଇଥିଲା। ସୁକିନ୍ଦାରେ କ୍ରୋମାଇଟ୍‌ ଖଣିରେ ଏଭଳି ପରିସ୍ଥିତି ପାଇଁ ଟାଟାଷ୍ଟିଲ୍‌ ପକ୍ଷରୁ ବାର୍ଷିକ କ୍ରୋମାଇଟ୍‌ ଉତ୍ତୋଳନ ଓ ଖଣି ଖନନ ଲକ୍ଷ୍ୟ ପ୍ରାୟତଃ ଅଧାକୁ କମାଇ ଦିଆଯାଇଥିଲା।

କାର୍ଯ୍ୟକ୍ଷେତ୍ର ସଂକୁଚିତ ହୋଇଥିଲେ ମଧ୍ୟ ଖଣିରୁ ଶ୍ରମିକ ଅପସାରଣ ସମ୍ଭବ ହେଉନଥିଲା। ସାରୁଆବିଲି କ୍ରୋମାଇଟ୍‌ ଖଣିରେ ଡମ୍ପିଂ ପାଇଁ ସ୍ଥାନାଭାବ ପରିସ୍ଥିତି କାର୍ଯ୍ୟ ପରିସରକୁ ପ୍ରଭାବିତ କରିଆସିଛି। ସେହିପରି ଖଣି ପରିଚାଳନା‌ରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ଓ ସାମଗ୍ରୀର ଦର ବଢ଼ୁଥିଲେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଦରକୁ ସଂଶୋଧନ କରାନଯିବା ପରିପ୍ରେକ୍ଷୀରେ ଖଣିକାର୍ଯ୍ୟ ଜାରିରଖିବା ସମ୍ଭବପର ନୁହେଁ ବୋଲି କହିଥିଲେ। ଅତି କଠିନ ପରିସ୍ଥିତିରେ ପୂର୍ବ ନିର୍ଦ୍ଧାରିତ ଦରରେ କାମକରି କ୍ଷତିଗ୍ରସ୍ତ ହେବା ଅପେକ୍ଷା କାର୍ଯ୍ୟରୁ ଓହରିଯିବା ଭଲ ବୋଲି ଏମ୍‌ଡି ଶ୍ରୀ ସାମଲ କହନ୍ତି। ଏହା ଡେକୋ କମ୍ପାନିର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହନ୍ତି ‌ଟାଟାଷ୍ଟିଲ୍‌ କମ୍ୟୁନିକେସନ ଓ କର୍ପୋରେଟ୍‌ ଆଫେୟାର୍ସ ପ୍ରବନ୍ଧକ ଜ୍ୟୋତି ପ୍ରକାଶ ନାୟକ। ଏ ସଂପର୍କରେ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ସାଧାରଣ ସଂପାଦକ ନା‌ରାୟଣ ଚନ୍ଦ୍ର ଧୀରଙ୍କୁ ପଚାରିବାରେ ମୂଳ କମ୍ପାନି ଟାଟାଷ୍ଟିଲ୍‌ ସହିତ ଯୋଗସୂତ୍ର ରଖାଯାଇ ୩ଟିଯାକ ଖଣି‌ରେ ଶ୍ରମିକ ଅପସାରଣ ପୂର୍ବରୁ ନୂଆ ଏମ୍‌ଡିଓ ଜରିଆରେ ଖଣି କର୍ମଚାରୀ ଓ ଶ୍ରମିକମାନଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର