ଭଦ୍ରକ ପୁଲିସର ଏନକାଉଣ୍ଟରରେ ୨ କୁଖ୍ୟାତ ଡକାୟତ ଗୁରୁତର, ୪ ଗିରଫ

. ଅପରାଧୀଙ୍କ ଆକ୍ରମଣରେ ୪ ପୁଲିସ କର୍ମଚାରୀ ଆହତ

ଭଦ୍ରକ : ଆଜି ଭୋର ସାଢେ ୫ ଟା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବରପଦା କେନାଲ ଛକ ନିକଟରେ ଦୁଇ କୁଖ୍ୟାତ ଡକାୟତଙ୍କୁ ଏନକାଉଣ୍ଟର କରିଛି । ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଡକାୟତ ବିପିନି ଓ ବାବୁଲିଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ‌ ଗୋଡରେ ଗୁଳି ବାଜିଛି। ଏଇ ଦୁଇ ଅପରାଧୀଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି।

ଏନକାଉଣ୍ଟର ସ୍ଥଳରୁ ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ଏଇ ଗୃପର ଅନ୍ୟ ୪ ଜଣ କୁଖ୍ୟାତ ଡକାୟତଙ୍କୁ ପୁଲିସ କାବୁକରିବା ପରେ ସେମାନଙ୍କୁ ଗିରଫ କରିଛି। ଏମାନଙ୍କ ନକଟରୁ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା, ୩ ଟି ପିସ୍ତଲ, ୧୫ଟି ଅଫୁଟା ଗୁଳି, ଖଣ୍ଡା, ଭୁଜାଲି, ୪ ଟି ବେଟେରୀ, ଗ୍ୟାସ କଟର, ଗ୍ୟାସ ସିଲିଣ୍ଡର, ଗ୍ୟାସ ରେଗୁଲେଟର, ୨୦ ଟି ମାଷ୍ଟର ଚାବି, ୫ ଟି ମୋବାଇଲ ଫୋନ, ୩ ଟି ମଟର ସାଇକେଲ ପୁଲିସ ଜବତ କରିଛି। ଏଇ ଅପରାଧୀମାନେ ଗତ ନଭେମ୍ବର ୨୬ ତାରିଖ ସଂଧ୍ୟା ସମୟରେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ ଏସବିଆଇ ଏଟିଏମ କାଉଣ୍ଟରରେ ଟଙ୍କା ଜମା କରୁଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରି ସେମାନଙ୍କ ନିକଟରୁ ୨୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏମାନଙ୍କ ନାମରେ ଭଦ୍ରକ ଟାଉନ ଥାନାରେ ୪୪୮/୨୬/୧୧/୨୧ରେ ମାମଲା ରୁଜୁ କରାଯାଇଥିଲା।

ସେହିପରି ଏଇ ଲୁଟେରା ଟିମ୍ ମଧ୍ୟ ଗତ ନଭେମ୍ବର ୧୦ ତାରିଖ ରାତି ସାଢେ ଦଶଟା ବେଳେ ଆରଟି ଛକର ଏକ ମେଡିସିନ୍ ଦୋକାନ ଭିତରେ ପଶି ବନ୍ଧୁକ ଓ ଜୁଲାଇ ଦେଖାଇ ନଗଦ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ କରିଥିଲେ । ସେହି ଟିମ୍ ତାର ପରଦିନ ଆରଡିଛକରେ ଘର ଭଡା ନେବାକୁ କହି ଜଣେ ମହିଳାଙ୍କୁ ମୁଣ୍ଡରେ ବନ୍ଧୁକ ଲାଗଇ ତାଙ୍କ ଠାରୁ ସୁନା ଗହଣା ଲୁଟ କରିଥିଲେ। ଏଇ ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୪୬୫/୧୧/୨୧ ରେ ମାମଲା ରୁଜୁ କରି ପୁଲିସ ଏଇ ଟିମର ପିଛା କରିଥିଲା। ଏଇ ଡକାୟତି ମାମଲାରେ ସଂପୃକ୍ତ ଥିବା ଦୁଇ ଜଣ କୁଖାତ ଅପରାଧୀଙ୍କୁ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗତ ୧୩ ତାରିଖରେ ଭଦ୍ରକର ଚଢେଇଆ ନିକଟରେ ଏନକାୟଉଣ୍ଟର କରିଥିଲେ। ଏଇ ଏନକାଉଣ୍ଟରରେ ବାପି ପାଣି ନାମକ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ଭାବେ ଆହତ ହୋଇ ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଇ ଡକାୟତ ଟିମ୍ ଭଦ୍ରକରେ ବନ୍ଧୁକ ଓ ଭୁଜାଲି ମୁନରେ ନିଜର ଆତଙ୍କ ରାଜ ଚଳାଇଥିବା ବେଳେ ପୁଲିସ ଏମାନଙ୍କର ୯ ଜଣିଆ ଟିମ୍ ଉପରେ ପୂରା ନଜର ରଖିଥିଲା। ଏଇ ଡାକୟତ ଟିମ୍ କୁ ଧରିବା ପାଇଁ ଭଦ୍ରକ ପୁଲିସକୁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏଇ ଡକାୟତ ଟିମ ବିହାରର କିଛି ହାର୍ଡକୋର କ୍ରିମିନାଲଙ୍କ ଲିଙ୍କ୍ ରେ ରହି ଭଦ୍ରକ, ବାଲେଶ୍ବର , ମୟୁରଭଂଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ବଡ ବଡ ଡକାୟତି ମାମଲାରେ ସଂପୃକ୍ତ ରହିଛନ୍ତି।

ଏଇ ଡାକାୟତ ଟିମ୍ ବିଶେଷ କରି ଗତ କିଛି ମାସ ହେଲା ଭଦ୍ରକରେ ଆତଙ୍କ ରାଜ ଚଳାଇଥିବା ବେଳେ ଭଦ୍ରକ ପୁଲିସ ପ୍ରତି ସଦସ୍ୟଙ୍କ ଗତି ବିଧି ଉପରେ ନଜର ରଖିଥିଲା। ଭଦ୍ରକ ଏସପି ଚରଣ ସିଂ ମୀନା ଓ ଭଦ୍ରକ ଏସଡିପିଓ ସାର୍ଥକ ରାୟ ଏଇ ଘଟଣାକୁ ଗୁରୁତର ସହ ନେଇଥିଲେ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଆଇଆଇସି ଆଲୋକ ଜେନାଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଆଜି ଭୋର ସମୟରେ ଏଇ ୬ ଜଣିଆ ଡାକାୟତ ଟିମ୍ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରୁ ଭଦ୍ରକ ଅଭିମୁଖେ ଆସୁଥିବା ସଂପର୍କରେ ସୂଚନା ପାଇବା ପରେ ଏମାନଙ୍କୁ ଧରିବା ପାଇଁ ପୁଲିସ ଆଜି ଭୋର ସାଢେ ୫ ଟା ବେଳେ ବରପଦା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ୬ ଜଣିଆ କୁଖ୍ୟାତ ଅପରାଧୀ ଟିମ୍ ପୁଲିସକୁ ଦେଖିବା ପରେ ପୁଲିସକୁ ଭୟଭୀତ କରାଇ ସେଠାରୁ ଖସି ଯିବା ଲାଗି ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ବାଲେଶ୍ବର ଜିଲ୍ଲା ସୋର ବାଗୁଡି ଅଞ୍ଚଳର କୁଖ୍ୟାତ ଅପରାଧୀ ବାପିନା ଓରଫ୍ ପ୍ରହଲ୍ଲାଦ ଦାସ ଓ ବାଲେଶ୍ବର ଜିଲ୍ଲା ନୀରଗିରି ଥାନା ଅନ୍ତର୍ଗତ ଭିମେଇ ଗ୍ରାମର କୁଖାତ ଅପରାଧୀ ବାବୁଲି ଓରଫ ସୁଶାନ୍ତ ମଲ୍ଲିକ ପୁଲିସ ଉପରକୁ ଗୁଳି ଚଳାଇଥିଲେ।

ଏଇ ଆକ୍ରମଣରେ ପୁଲିସ ଏସଆଇ ଶାନ୍ତନୁ କୁମାର ଜେନା ଆହତ ହୋଇଥିଲେ। ପରେ ପୁଲିସ ନିଜର ଆତ୍ମରକ୍ଷା କରିବା ଲାଗି ପାଲଟା ଗୁଳି ଚଳାଇଥିଲା। ଅପରାଧୀଙ୍କ ଆକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ ମଧ୍ୟ ଏଇ କୁଖ୍ୟାତ ଅପରାଧୀ ଟିମକୁ ପାଲଟା ଗୁଳି ଚଳାଇଥିଲେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ କିଛି ସମୟ ପାଇଁ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସର ଗୁଳି ମାଡରେ କୁଖ୍ୟାତ ଅପରାଧୀ ବାପିନା ଓ ଅପରାଧୀ ବାବୁଲି ଗୁରୁତର ଭାବେ ଆହତ ହୋଇଛନ୍ତି। ଏଇ ଦୁଇ ଆହତକୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୪ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୪ ଜଣ ଅପରାଧୀଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ଦାଣ୍ଡହରିପୁର ଗ୍ରାମର ଭାସ୍କର ମଲ୍ଲିକଙ୍କ ପୁଅ ପପୁ ମଲ୍ଲିକ (୨୨), ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାସ୍ତାଫାବାଦ ଗ୍ରାମର ସ୍ବର୍ଗତ ନୀରଂଜନ ଦଳେଇଙ୍କ ପୁଅ ଶଙ୍କୁରୁ ଦଳେଇ (୨୫), ବିହାର ର ବୈଶାଳି ଜିଲ୍ଲାର ସହେଦି ଭୋଜନ ଥାନା ଅଞ୍ଚଳର ଆନନ୍ଦ ସିଂଙ୍କ ପୁଅ ଆଲୋକ କୁମାର (୧୮), ଖଇରା ଥାନା ଅନ୍ତର୍ଗତ ତୁଡିଗଡିଆ ଗ୍ରାମର ରାମଚନ୍ଦ୍ର ମଲ୍ଲିକଙ୍କ ପୁଅ ଆଶିଷ କୁମାର ମଲ୍ଲିକ ( ୨୧)। ଏହି ଅଭିଯୁକ୍ତଙ୍କୁ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା କେସ ନମ୍ବର ୪୯୮ / ୧/୧୨/୨୧ ମୂଳେ ଗିରଫ କରାଯାଇଛି ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଆଜି ଅପରାହ୍ନରେ ଭଦ୍ରକ ଟାଉନ ଥାନାରେ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଇ ସୂଚନା ଦେଇଛନ୍ତି। ଏଇ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଏସପି ଚରଣ ସିଂ ମୀନା ଓ ଭଦ୍ରକ ଏସଡିପିଓ ସାର୍ଥକ ରାୟ ପ୍ରମୁଖ ଯୋଗଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆଇଜି ହିମାଂଶୁ ଲାଲ କହିଲେ, ଭଦ୍ରକରେ ଗତ କିଛି ମାସ ହେଲା ଏଇ ଲୁଟେରା ଟିମ୍ ଲୁଟ ତରାଜ ଓ କଡାୟତି ମାମଲାରେ ସଂପୃକ୍ତ ରହିବା ସହ ବନ୍ଧୁକ ଓ ଭୁଜାଲି ଦେଖାଇ ଲୋକଙ୍କୁ ଭୟଭୀତ କରୁଥିଲେ। ପୁଲିସ ଏବେ ଏଇ ଟିମର ୩ ଟଇ ଟିମକୁ ଗିରଫ କରିଛି। ଆହୁରି ଏଇ ଟିମର କିଛି ସଦସ୍ୟ ସକ୍ରିୟ ରହିଛନ୍ତି। ଏମାନଙ୍କର ଆନ୍ତ ରାଜ୍ୟ ଓ ଆନ୍ତ ଜିଲ୍ଲା ଡକାୟତ ଟିମ୍ ସହ ସଂପର୍କ ରହିଛି। ବିଶେଷ କରି ଏଇ ଡକାୟତ ଟିମଙ୍କର ବିହାର ଲିଙ୍କ ରହିଛି। ଏଇ ଟିମ୍ କୁ ଖୁବ୍ ଶୀଘ୍ର ଧରାଯିବ। ଭଦ୍ରକକୁ ଏକ ଶାନ୍ତି ପ୍ରିୟ ଜିଲ୍ଲା କରାଯିବ ବୋଲି ଆଇଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଆଜି ଗିରଫ ହୋଇ୍‌ଥିବା ୬ ଜଣ ଡକାୟତଙ୍କ ନାମରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ ୭ ଟି ମାମଲା ରହିଥିବା ବେଳେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଥାନାରେ ୧୮ ଟି ମାମଲା ରହିଛି।

ସେହିପରି କେନ୍ଦୁଝର ଜିଲ୍ଲାରେ ଏଇ ଟିମ୍ ଙ୍କ ନାମରେ ୪ ଟି ଚୋରି, ଡକାୟତି, ରବରି ଓ ଅପରାଧିକ ମାମଲା ରହିଛି। ଏମାନଙ୍କର ଅପରାଧର ରେକର୍ଡ ବେଶ୍ ଲମ୍ବା ହୋଇଥିବା ବେଳେ ଏଇ ଟିମର ଅନ୍ୟମାନଙ୍କୁ ଧରିବା ପାଇଁ ଭଦ୍ରକ, ବାଲେଶ୍ବର, ମୟୁରଭଂଜ, କେନ୍ଦୁଝର ଜିଲ୍ଲା ପୁଲିସର ସହାୟତା ନିଆଯିବ ବୋଲି ଭଦ୍ରକ ଏସପି ଚରଣ ସିଂ ମୀନା ସମ୍ବାଦକୁ କହିଛନ୍ତି। ଆଗାମୀ ଦିନରେ ଏଇ ଡକାୟତି ଟିମ୍ ର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରାଯିବ ବୋଲି ଭଦ୍ରକ ଏସପି ଶ୍ରୀ ମୀନା ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର