ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମପୁରରେ ଫୁଟିଲା ଗୁଳି, ଯୁବକ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ସାଳିଆବନ୍ଧ ସାହିରେ ଫୁଟିଛି ଗୁଳି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ସଚିନ ଚୌଧୁରୀ ଓରଫ୍‌ ରିଙ୍କୁ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କର ଡାହାଣ ହାତରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋସାଇଁ ନୂଆଗାଁ ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଗୋସାଇଁ ନୂଆଗାଁ ସାଳିଆବନ୍ଧ ସାହିରେ ରିଙ୍କୁ ତାଙ୍କର ମା’ ଓ ଭଉଣୀଙ୍କ ସହିତ ରହୁଥିଲେ। କିଛିମାସ ହେଲା ସେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଚାଲି ଯାଇଥିଲେ। ସେଠାରେ ସେ ପରିବା ବ୍ୟବସାୟ କରୁଛନ୍ତି। ଗେଟ ବଜାରରେ ରହୁଥିବା ଜଣେ ଯୁବକଙ୍କ ସହିତ ତାଙ୍କର ଶତ୍ରୁତା ରହିଥିଲା। ଆଜି ସାଳିଆବନ୍ଧ ସାହିରେ ବିଏମ୍‌ସି ପକ୍ଷରୁ ଜବରଦଲଖ ଉଚ୍ଛେଦ ଚାଲିଥିଲା। ସେଠାରେ ରିଙ୍କୁଙ୍କ ଘର ମଧ୍ୟ ରହିଛି। ଏହାର ଖବର ପାଇ ରିଙ୍କୁ ଅପରାହ୍ନରେ ସେଠାରେ ପହଞ୍ଚିଥିଲେ। ସେ ତାଙ୍କର ମା’ ଓ ଭଉଣୀଙ୍କ ସହିତ କଥା ହେଉଥିବା ବେଳେ ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଫୁଟାଇଥିଲା। ଗୁଳି ରିଙ୍କୁଙ୍କ ହାତରେ ବାଜିଥିଲା। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ଯାଇଥିଲେ। ଘଟଣା ପରେ ଯୁବକ ଜଣକ ସେଠାରୁ ଚମ୍ପଟ ମାରିଥିଲା। ଜବରଦଖଲ ଉଚ୍ଛେଦ ଯୋଗୁଁ ସାଳିଆବନ୍ଧ ସାହିରେ ପୁଲିସ ମୁତୟନ ଥିଲେ। ଏହା ସତ୍ବେ ଯୁବକ ଜଣକ ଗୁଳି ମାଡ଼ କରି ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛି। ଗୁଳିମାଡ଼ କରିଥିବା ଯୁବକ ଜଣକ ଶିବ ପାଳ ବୋଲି ରିଙ୍କୁ ଏବଂ ତାଙ୍କର ପରିବାର ବର୍ଗ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ଖୋକା ଓ ଏକ ବାଇକ୍‌ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର