୨୨ ପଂଚାୟତରୁ ୧୧ରେ ନାହିଁ ବ୍ୟାଙ୍କ: ୩ଟିରେ ଲୋକାର୍ପିତ

ଜୟପୁର:  ଜୟପୁର ବ୍ଲକର ୨୨ଟି ପଂଚାୟତର ୧୪ଟି ପଂଚାୟତରେ ବ୍ୟାଙ୍କ ନଥିବା ବେଳେ ଆଜି ୩ଟି‌ରେ ଆମ ବ୍ୟାଙ୍କ ଆରମ୍ଭ ହୋଇଛି। ଆଜି ରଣ୍ଡାପାଲ୍ଲୀ ଠା‌ରେ ବ୍ୟାଙ୍କ ଅଫ ବରୋଦା,  ବଡ଼ଜିଉନା, ଓ ବାଲିଆରେ ୟୁକୋ ବ୍ୟାଙ୍କ ପକ୍ଷରୁ ଆମ ବ୍ୟାଙ୍କ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ  ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ଅନ୍ୟ ଆମ ବ୍ୟାଙ୍କ ସହ ଏହି ତିନି ବ୍ୟାଙ୍କକୁ ଲୋକାର୍ପିତ  ‌କରିଛନ୍ତି। ଏସବୁ କାର୍ଯ୍ୟକ୍ରମରେ ବିଡିଓ ଶକ୍ତି ପ୍ରସାଦ ମହାପାତ୍ର, ଏବିଡିଓ ମନୋଜ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ତ‌ିଳୋତ୍ତମା ମୁଦୁଲି, ଜିଲ୍ଲାପରିଷଦ ସଭ୍ୟା ଆସ୍ଥା ନାୟକ, ରଶ୍ମି ରଥ, ଓ ତପତି ପଟ୍ଟନାୟକ ପ୍ରମୁଖ ଭାଗ ନେଇଥିଲେ।

ବିଭିନ୍ନ ହିତାଧିକାରୀଙ୍କ ଭତ୍ତା ଟଙ୍କା ଠାରୁ ଆରମ୍ଭ କରି କାଳିଆ ଯୋଜନାର ଚାଷୀ ସହାୟତା ,ମଣ୍ଡିର ଧାନ ବିକ୍ରୀ କରିବା ଟଙ୍କା ଠାରୁ ସବୁ କ୍ଷେତ୍ରରେ ଏବେ ବ୍ୟାଙ୍କ ଗୁରୁତ୍ବପୁର୍ଣ୍ଣ ଭୁମିକା ରହିଛି। ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବା ରାଜ୍ୟସରକାରଙ୍କ ଯୋଜନା ବହୁ ବର୍ଷ ଧରି କରିଥିଲେ ହେଁ ଜିଲାର ପ୍ରମୁଖ ବ୍ଲକ ଭାବେ ପରିଚିତ ଜୟପୁର ବ୍ଲକରେ ଏହା କାର୍ଯ୍ୟକାରୀ ହୋଇପାରିନି।  ୨୨ଟି ପଂଚାୟତରୁ ମାତ୍ର ୮ଟି ପଂଚାୟତରେ ହିଁ  ବ୍ୟାଙ୍କ ରହିଛି। ଏହି ୮ଟିରୁ ମାତ୍ର ଗୋଟିଏ ଜାତୀୟକରଣ ବ୍ୟାଙ୍କ ଇଣ୍ଡିଆନ୍ଓଭରସିଜ୍ ଓ ଗୋଟିଏ ଘରୋଇ ଏଚଡିଏଫସି ବ୍ୟାଙ୍କ ରହିଛି। ବଳକା ୩ଟି ପଂଚାୟତରେ ରାଜ୍ୟସ୍ତରୀୟ ବ୍ୟାଙ୍କ ରହିଛି। ପୁଜାରୀପୁଟ ପଂଚାୟତରେ ପ୍ରଥମ କରି ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଗତ  ୨୦ବର୍ଷ ହେବ ଜୟନ୍ତଗିରୀରେ କାର୍ଯ୍ୟକାରୀ ହେଉଛି। ସଂପ୍ରତି ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବା ଯୋଜନା ଜୋର ଧରିଛି। ଏହି କ୍ରମରେ ଜୟପୁର ବ୍ଲକର ବଳକା ୧୪ଟି ପଂଚାୟତରୁ ଆଜି ୩ଟିରେ ବ୍ୟାଙ୍କ ଖୋଲିଛି। ବଳକା ୧୧ଟି  ପଂଚାୟତ ଯଥା ବାରିଣୀପୁଟ, ଧନପୁର, ଡଙ୍ଗରଚିଂଛି, ଏକମ୍ବା, ଗଡ଼ପଦର, ହାଡିଆ, କାଳିଆଗାଁ, କେବିଡି, କୁମୁଲିପୁଟ, ପୁଜାରୀପୁଟ, ରାଣୀଗଡରେ ଏବେ ବ୍ୟାଙ୍କ ନାହିଁ। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର ଏସବୁ ପଂଚାୟତରେ ବ୍ୟାଙ୍କ ସେବା ଖୋଲିବେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଓ ଏବିଡିଓ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର