ଜମ୍ଭୀରା କେନାଲ ବନ୍ଧରେ ୩୦ ଫୁଟ୍‌ର ଘଳିଆ

ମୂଷା ଓ ସାପଗାତକୁ ଦାୟୀ କଲେ କର୍ତ୍ତୃପକ୍ଷ, ଚିନ୍ତାରେ ଚାଷୀ

ଦେଉଳି: ନିମ୍ନମାନର କାମ ପାଇଁ ମୟୂରଭଞ୍ଜ ଜିଲ୍ଲା ଜମ୍ଭିରା ଡ୍ୟାମ୍, ଦେଉଳିର ବାମପଟ କେନାଲ ବନ୍ଧ ଧୋଇ ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନେଢ଼ୁଆ ପୋଲ ନିକଟସ୍ଥ ଡାହାଣୀମାରି ଠାରେ ମୁଖ୍ୟ କେନାଲରେ ଘଳିଆ ସୃଷ୍ଟି ହୋଇ ପ୍ରାୟ ୩୦ ଫୁଟ୍‌ ଓସାରର ବନ୍ଧ ଧୋଇ ଯାଇଥିଲା। ଫଳରେ ତଳିଆ ଅଞ୍ଚଳରେ ପାଣି ମାଡ଼ିଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ନିମ୍ନମାନର କାମ ପାଇଁ ଅନେକ ଦିନ ହେଲା ଘଳିଆ ହୋଇଥିବା ସ୍ଥାନରେ ବନ୍ଧ ଦୁର୍ବଳ ହୋଇ ଟିକେ ଟିକେ ଧୋଇ ଯାଉଥିଲା। ବାରମ୍ବାର ଏ ନେଇ ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏହାର ମରାମତି କଲେ ନାହିଁ। ଫଳରେ ଏଭଳି ଅଘଟଣ ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ବନ୍ଧ ଧସିବା‌ ସମ୍ପର୍କରେ ଆମେ ବିଭାଗୀୟ ଯନ୍ତ୍ରୀ ଉଦଣ୍ଡ ରାୟଙ୍କୁ ପଚାରିବାରୁ ସେ କହିଲେ, ମୂଷାଗାତ ଓ ସାପଗାତ ପାଇଁ ଉକ୍ତ ସ୍ଥାନରେ ବନ୍ଧ ଦୁର୍ବଳ ହୋଇ ଯାଇଥିଲା। ଏଥିସହ କେନାଲରେ ଦଳ ଜମା ହୋଇ ଯାଇଥିବାରୁ ପାଣି ନିର୍ଗମନ ହୋଇ ନପାରି ଉକ୍ତ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କାର୍ଯ୍ୟ ଚାଲିଥିବା ସେ କହିଛନ୍ତି। ବନ୍ଧ ଧସି ଥିବାରୁ ଏବେ କେନାଲରେ ପାଣି ଯାଇପାରିବ ନାହିଁ ।

ସେପଟେ କେନାଲ ପାଣିକୁ ଭରସା କରି ରବି ଚାଷ କରିଥିବା ଅଞ୍ଚଳର ଚାଷୀ ବନ୍ଧ ଧୋଇଯିବା ପରେ ଏବେ ଫସଲ କିପରି ବଞ୍ଚାଇବେ ସେହି ଚିନ୍ତାରେ ରହିଛନ୍ତି।

ସମ୍ବନ୍ଧିତ ଖବର