ଖଣି ଦୁର୍ଘଟଣାରେ ଜଣେ ମୃତ

ବଡ଼ବିଲ: ବଡ଼ବିଲ ତହସିଲ ଅନ୍ତର୍ଗତ ଭଦ୍ରାସାହିର ଟଣ୍ଟୋଠାରେ ଥିବା ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ୍‌ କାରଖାନାର ଖଣିରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସୁଲେଇପାଟର ମହେନ୍ଦ୍ର କାରୁଆ (୩୫) ନର୍ଭେରାମ ଖଣିରେ ଠିକା ଶ୍ରମିକ ଭାବେ (ଲୋଡର ଅପେରେଟର) କାର୍ଯ୍ୟ କରୁଥିଲେ। ଖଣି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମହେନ୍ଦ୍ର ଗତକାଲି ବିଳମ୍ୱିତ ରାତିରେ ପରିସ୍ରା କରିବାପାଇଁ ଖଣି ପରିସର ରାସ୍ତାକଡ଼ରେ ଲୋଡର ମେସିନକୁ ଠିଆ କରି ଓହ୍ଲାଇଥିଲେ। ହଠାତ୍ ଲୋଡର ମେସିନଟି ଆଗକୁ ଗଡ଼ିବାକୁ ଲାଥିଲା।

ଏହା ଦେଖି ସେ ଲୋଡର ଉପରେ ଚଢ଼ି ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରିଥିଲେ। ଅସାବଧାନତା ଯୋଗୁଁ ସେ ତଳେ ପଡ଼ିଯାଇଥିଲେ। ଲୋଡର ମେସିନଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ଲରିଥିଲେ। ଏନେଇ ରୁଗୁଡ଼ି ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ କମ୍ପାନି ପକ୍ଷରୁ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ମୃତଦେହ ଘରକୁ ନେବା ଓ ଶେଷକୃତ୍ୟ ପାଇଁ ସହାୟତା ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର