ମୋଟରବାଇକକୁ ପିଟିଲା ଡମ୍ପର, ୨ ମୃତ

ରାଉରକେଲା : ରାଜଗାଙ୍ଗପୁର ରାଣୀବନ୍ଧ ପେଟ୍ରୋଲ ପମ୍ପ ନିକଟରେ ମୋଟରବାଇକକୁ ଡମ୍ପର ସମ୍ମୁଖପଟୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଦୁଇ ମୋଟରବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାମାବାହାଲର ପ୍ରଦୀପ ଡୁଙ୍ଗ ଡୁଙ୍ଗ (୨୦), ପ୍ରମୋଦ ଡୁଙ୍ଗଡୁଙ୍ଗ (୨୩)। ଦୁର୍ଘଟଣା ଘଟାଇଥିବା ଡମ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

ରାଜଗାଙ୍ଗପୁର ଏସ୍ଡିପିଓ ଡକ୍ଟର ଶଶାଙ୍କ ଶେଖର ବେଉରା, ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୁଲିସ ଦୁଇ ମୃତକଙ୍କ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ମିଳିଥିବା ସୂଚନା ମୁତାବକ ଆଜି ରାତି ପ୍ରାୟ ସାଢ଼େ ୭ଟା ସମୟରେ ପ୍ରଦୀପ ଓ ତାର ସହଯୋଗୀ ପ୍ରମୋଦ ଦୁହେଁ ମୋଟରବାଇକ୍ (ଓଡି୧୪ଭି-୦୧୩୪)ରେ ବିଜୁ ଏକ୍ସପ୍ରେସ୍ ୱେରେ ରାମାବାହାଲରୁ ରାଜଗାଙ୍ଗପୁର ଆଡକୁ ଯାଉଥିଲେ।

ରାଣୀବନ୍ଧ ପେଟ୍ରୋଲ ପମ୍ପ ନିକଟରେ ସମ୍ମୁଖରୁ ଦ୍ରୁତ ଗତିରେ ଆସୁଥିବା ଡମ୍ପର ଧକ୍କା ଦେଇଥିଲା। ଫଳରେ ଦୁଇ ଯୁବକ ମୋଟରବାଇକ୍ରୁ ଛିଟକି ରାସ୍ତା ଉପରେ ପଡିବା ପରେ ଡମ୍ପର ସେମାନଙ୍କ ଉପରେ ମାଡି ଯାଇଥିଲା। ସୂଚନା ପାଇ ପୁଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି (ମଙ୍ଗଳବାର) ଶବ ବ୍ୟବଚ୍ଛେଦ ପରେ ଦୁଇ ଯୁବକଙ୍କ ଶବ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର