ଏସୀୟ କାଂସ୍ୟ ବିଜୟିନୀଙ୍କ ଘରବାହୁଡ଼ା: ରାଉରକେଲାରେ ପହଞ୍ଚିଲେ ପେନଚାକ୍‌ ଖେଳାଳି ଅଞ୍ଜଳି

ରାଉରକେଲା: ଏସୀୟ ପେନଚାକ୍‌ ସିଲଟ୍‌ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଥିବା ରାଉରକେଲା ଉପକଣ୍ଠ ଦାଣ୍ଡିଆପଲ୍ଲୀର ଅଞ୍ଜଳି ସାହୁଙ୍କ ଆଜି ଘର ବାହୁଡ଼ା ହୋଇଛି। ସେ ଜମ୍ମୁ-ତାୱି ଏକ୍ସପ୍ରେସ୍‌ରେ ରାଉରକେଲାରେ ପହଞ୍ଚିବାପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ବିଭିନ୍ନ କ୍ରୀଡ଼ା ସଂଗଠନର କର୍ମକର୍ତ୍ତା ଅଞ୍ଜଳିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହିଅବସରରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସଫଳତା ପାଇବାକୁ ହେଲେ ଉପଯୁକ୍ତ ପ୍ରଶିକ୍ଷଣ, ନିଷ୍ଠାପର ଅଭ୍ୟାସ ନିତାନ୍ତ ଜରୁରୀ। ଯେ କୌଣସି କ୍ରୀଡ଼ା ହେଉ ନା କାହିଁକି, ଝିଅମାନେ ଏ ଦିଗରେ ଆଗେଇ ଆସନ୍ତୁ। ମାର୍ଶଲ ଆର୍ଟ‌୍ସ ଶିକ୍ଷାକଲେ ଅନ୍ୟୁନ ନିଜର ସୁରକ୍ଷା ମଧ୍ୟ ଜଣେ କରିପାରିବ। ଏତଦ୍‌ବ୍ୟତୀତ କ୍ରୀଡ଼ା ହିଁ ଶରୀର, ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେବେ ଝିଅମାନଙ୍କୁ ପରିବାର ସଦସ୍ୟ କ୍ରୀଡ଼ାଠାରୁ ଦୂରେଇ ଦେଉଥିବା ଦେଖିବାକୁ ମିଳୁଛି। ବାହାରକୁ ଛାଡ଼ିବାକୁ ମଧ୍ୟ ନାରାଜ ହେଉଛନ୍ତି। ଏଭଳି ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ଝିଅମାନଙ୍କୁ ସମର୍ଥନ ଓ ପ୍ରୋତ୍ସାହନ ଦିଆଗଲେ, ସେମାନେ ନିଜର ପରିବାର, ଜନ୍ମମାଟି, ରାଜ୍ୟ ପାଇଁ ଗୌରବ ଆଣିବେ।

ଗତ ୧୬ ତାରିଖରେ ଶ୍ରୀନଗରଠାରେ ଅନୁଷ୍ଠିତ ‘ଏସୀୟ ପେନଚାକ୍‌ ସିଲଟ୍‌’ ଚାମ୍ପିଅନସିପ୍‌ର ୭୦ କେଜିରୁ କମ୍‌ ଓଜନ ବର୍ଗରେ ଅଞ୍ଜଳି କାଂସ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ସେ କାଂସ୍ୟ ପଦକ ଜିତି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ସଂଘର୍ଷମୟ ପାରିବାରିକ ଜୀବନ ଓ ଆର୍ଥିକ ଅନାଟନ ଭିତରେ ରହି ମଧ୍ୟ ଅଞ୍ଜଳି ମାର୍ଶଲ୍‌ ଆର୍ଟ‌୍ସ, ଉଷୁ, ଜୁଡ଼ୋ ଆଦି କ୍ରୀଡ଼ାଭ୍ୟାସ ଜାରି ରଖି ଆଜି ପାଇଛନ୍ତି ଏଭଳି ସଫଳତା। ପେଶାରେ ଅଟୋ ଡ୍ରାଇଭର ଥିବା ବାପାଙ୍କ ଅକାଳ ବିୟୋଗ ପରେ ପରିବାର ଭରଣପୋଷଣ ନିଜ ମୁଣ୍ଡକୁ ନେଇ ଅଞ୍ଜଳି ଟ୍ୟୁସନ ପଢ଼ାଇବା ସହ ଉଷୁ, ଜୁଡ଼ୋ ଆଦି କ୍ରୀଡ଼ା ଅଭ୍ୟାସ ଜାରି ରଖିଥିଲେ। କୋଚ୍‌ ରାକେଶ ବେହେରାଙ୍କ ପରାମର୍ଶ କ୍ରମେ ପେନଚାକ୍‌ କ୍ରୀଡ଼ାକୁ ଆପଣେଇ ନେଇଥିଲେ। ଆଉ ମାତ୍ର ଦୁଇ ବର୍ଷର ସ୍ବଳ୍ପ ଖେଳ ଜୀବନରେ ଦୁଇ ଦୁଇଟି ଜାତୀୟ ଓ ଆନ୍ତର୍ଜାତୀୟ ମେଡାଲ୍‌ ଜିଣିବାରେ ସଫଳ ହୋଇଛନ୍ତି। ଜଣେ ସଫଳ କ୍ରୀଡ଼ାବିତ୍‌ ହେବା ସହ ଅଞ୍ଜଳି ଏନ୍‌ଆଇଏସ୍‌ ମାନ୍ୟତାପ୍ରାପ୍ତ ଜୁଡ଼ୋ କୋଚ୍‌ ମଧ୍ୟ।

ସମ୍ବନ୍ଧିତ ଖବର