ଜୟପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ୧୦ରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଜିଲ୍ଲା ଓକିଲ ସଂଘ ଦେବ ଦାବିପତ୍ର

ଜୟପୁର: ଆସନ୍ତା ୧୦ତାରିଖ ଦିନ ଜୟପୁର ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ନିର୍ମାଣାଧୀନ ଥିବା ଜିଲ୍ଲା ଦୌରାଜଜ୍ କୋର୍ଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ନୋଡାଲ ଅଧିକାରୀ ଦାୟିତ୍ବରେ ଥିବା ବିଚାରପତି ଏସ୍‌କେ ପାଣିଗ୍ରାହୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ତାଙ୍କ ଗସ୍ତ ଥିବାରୁ ହାତପାଅନ୍ତାରେ ମୁଖ୍ୟ ବିଚାରପତି ମିଳୁଥିବାରୁ ଏହି ସୁଯୋଗକୁ ହାଥଛଡ଼ା କରିବାକୁ ଚାହୁଁନି ଅବିଭକ୍ତ କୋରାପୁଟ ଅଧିସୂଚିତ ଜିଲ୍ଲା ଓକିଲ ସମନ୍ବୟ ସମିତି।

ଜୟପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଏହି ଅବସରରେ ଏକ ଦାବିପତ୍ର ଦିଆଯିବାକୁ ପ୍ରସ୍ତୁତି ହୋଇଛି। ଆଜି ଏ ନେଇ ଜୟପୁର ଜିଲ୍ଲା ଓକିଲ ସଂଘର ସଭାପତି ତଥା ଏହି ସମିତିର ଅଧ୍ୟକ୍ଷ ସରୋଜ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତ ୨ବର୍ଷ କାଳ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଜୟପୁର ଜିଲ୍ଲା ଓକିଲ ସଂଘର ନେତୃତ୍ବରେ ନବରଙ୍ଗପୁର, କୋରାପୁଟ, ମାଲାକାନଗିରି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଦୀର୍ଘଦିନ ଧରି କରିଥିଲେ। ତେବେ ମୁଖ୍ୟ ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଣି ଏହି ଦାବି ପୁନଃଉଜ୍ଜୀବିତ ହୋଇଛି। ପଶ୍ଚିମ ଓଡିଶାର ସମ୍ବଲପୁର ଗସ୍ତ ବେଳେ ମୁଖ୍ୟ ବିଚାରପତି ପଶ୍ଚିମ ଓଡିଶାରେ ବି ବେଂଚ ସ୍ଥାପନ ହେବା ଜରୁରୀ ବୋଲି ବି ମତ ଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଏବଂ ପୂର୍ବ ଘୋଷଣା ମୁତାବକ ଦକ୍ଷିଣ ଓଡିଶାର ଜୟପୁର ସବୁ ଠାରୁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ଶ୍ରୀ ଦାଶ। ପୂର୍ବ ଅପେକ୍ଷା ଏବେ ନୂଆ କୋଠା ନିର୍ମାଣ ହେବା ପରେ ଅନୁସଙ୍ଗିକ ଭିତ୍ତିଭୁମିର ବି ସୁଧାର ହୋଇଛି।

ଦକ୍ଷିଣ ଓଡିଶାର ସର୍ବପୁରାତନ ଏବଂ କଟକ ଠାରୁ ୬୦୦ କିଲୋମିଟର ଦୁରରେ ଜୟପୁର ରହିଥିବାରୁ ସବୁ ଦୃଷ୍ଠିକୋଣରୁ ଏଠାରେ ହାଇକୋର୍ଟ ବେଂଚ ସ୍ଥାପନ ହେବା ପାଇଁ ଯଥାର୍ଥତା ରହିଛି। ଏସବୁକୁ ନେଇ ଦାବିପତ୍ର ପ୍ରଦାନ କରିବା ସହ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ଶ୍ରୀ ଦାଶ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୟପୁର ଓକିଲ ସଂଘର ଉପସଭାପତି ପିଣ୍ଟୁ ମାଝୀ, ସାଧାରଣ ସଂପାଦକ ଆନନ୍ଦ ରଥ, ସହସଂପାଦକ ଗିରିଧର ଖରା, କୋଷାଧ୍ୟକ୍ଷ ଗୋପବନ୍ଧୁ ସାନ୍ତ୍ରା, କେ. ଦିବାକର ରାଓ, ରବୀନ୍ଦ୍ର ପାତ୍ର, ଅନୁପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ୧୦ ତାରିଖ ଲୋକାର୍ପଣ ଉତ୍ସବ ପାଇଁ ନୂତନ କୋର୍ଟର ସାଜସଜ୍ଜା ଜୋର ଧରିଛି। ଏହା ସାଙ୍ଗକୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପର୍ବ ବି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର