ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍ ସ୍ଲାବ୍‌, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମାର୍ଶାଘାଇ: ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଡ୍ରେସିଙ୍ଗ୍ ରୁମ୍ ଛାତରୁ ଖସିଲା କଂକ୍ରିଟ୍ ସ୍ଲାବ୍। ଅଳ୍ପକେ ବର୍ତ୍ତିଲେ କର୍ମଚାରୀ। ସମଗ୍ର ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ରକ୍ଷଣାବେକ୍ଷଣ ଅଭାବରୁ ଜରାଜିର୍ଣ୍ଣ ଅବସ୍ଥାରେ ଥିବା ବେଳେ ଅସୁରକ୍ଷିତ ମଣୁଛନ୍ତି କର୍ମଚାରୀ ଓ ରୋଗୀ। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମହେନ୍ଦିନଗର ଗ୍ରାମ ପଞ୍ଚାୟତର ରଙ୍କାଳ, ରଘୁନାଥପୁର ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଘଟିଛି ଏକ ଅଭବନୀୟ ଘଟଣା। ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରେସିଙ୍ଗ୍ ରୁମ ଛାତରୁ ପ୍ରାୟ ୫ ଫୁଟ ଚଉଡାର ଏକ କଂକ୍ରିଟ୍ ସ୍ଲାବ୍ ଖସିପଡିବାରୁ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତିଲେ ଯାଇଛନ୍ତି ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଓ ରୋଗୀ। କଂକ୍ରିଟ୍ ସ୍ଲାବଟି ଖସିପଡି ଛାତରେ ଝୁଲୁଥିବା ସିଲିଙ୍ଗ୍ ଫ୍ୟାନ୍ ଉପରେ ପଡିବାରୁ ତାହା ବଙ୍କା ହୋଇଯାଇଛି। ଛାତରୁ କଂକ୍ରିଟ୍ ସ୍ଲାବଟି ଖସିବାର ପ୍ରାୟ ୫ ମିନିଟ୍ ପୁର୍ବରୁ ଜଣେ ରୋଗୀ ଡ୍ରେସିଙ୍ଗ୍ କରି ଯାଇଥିଲେ ବୋଲି ସୁଚନା ଦେଇଛନ୍ତି କର୍ମଚାରୀ।

Sambad

ଛାତରୁ କଂକ୍ରିଟ୍ ସ୍ଲାବଟି ଖସି ବଡବଡ କଂକ୍ରିଟ୍ ଖଣ୍ଡ ଏକ ଟେବୁଲ ଉପରେ ପଡି ବଙ୍କା ହୋଇଯାଇ ଥିବାର ସୁଚନା ମିଳିଛି ଏପରି ଘଟଣା ପରେ କର୍ମଚାରୀ ଓ ରୋଗୀ ଉଭୟ ଅସୁରକ୍ଷିତ ମଣୁଛନ୍ତି। ଖାଲି ସେତିକି ନୁହଁ ୧୯୬୭ ମସିହାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଭିତ୍ତିଭୂମିର ଉନ୍ନତି ହୋଇପାରି ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଗୃହଟି ଜରାଜିର୍ଣ୍ଣ ହୋଇପଡିଥିବା ବେଳେ ସମସ୍ଥ ଗୃହର ଛାତରୁ କଂକ୍ରିଟ୍ ସ୍ଲାବ୍ ଖସି ରଡ ଦେଖାଯାଉଛି। ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଜଣ କର୍ମଚାରୀ ଥିବାବେଳେ ଦିର୍ଘଦିନ ହେବ ଡାକ୍ତର ନଥିବାରୁ ଆୟୁସ ଡାକ୍ତର ରୋଗୀସେବା କରୁଛନ୍ତି। ଆଖପାଖ ଅଞ୍ଚଳର ପ୍ରାୟ ୩ ଟି ପଞ୍ଚାୟତର ହଜାର ହଜାର ଲୋକ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ଆଜି ନିଜେ ଅସୁରକ୍ଷିତ ହୋଇପଡିଛି। ରଙ୍କାଳ, ରଘୁନାଥପୁର ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

ସମ୍ବନ୍ଧିତ ଖବର