ଗୋରୁବୁହା କଣ୍ଟେନର୍-ଅଟୋ ଧକ୍କା, ଜଣେ ମୃତ ଓ ୨ ଗୁରୁତର; କ୍ଷତିପୂରଣ ଦାବିରେ ରାସ୍ତାରୋକ
ବଡ଼ମ୍ବା: ଆଠଗଡ଼ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଗୋରୁବୁହା କଣ୍ଟେନର୍ ଓ ବିପରିତ ଦିଗରୁ ଆସୁଥିବା ଏକ ଅଟୋ ମଧ୍ୟରେ ଧକ୍କା ଲାଗିବା ଫଳରେ ଘଟଣାସ୍ଥଳରେ ଅଟୋଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଅଟୋ ଡ୍ରାଇଭରଙ୍କ ସମେତ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା କରିଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦିଆଯିବା ସହ ତଦନ୍ତ ପ୍ରତିଶ୍ରୁତି ପରେ ରାସ୍ତରୋକ ହଟିଛି। ଖବର ମୁତାବକ, ଗତକାଲି(ବୁଧବାର) ବିଳମ୍ବିତ ରାତିରେ ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ନୂଆତଇଲା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଦୁର୍ଘଟଣା ପରେ କୌଶଳକ୍ରମେ ଉକ୍ତ ସ୍ଥାନରୁ ଫେରାର୍ ହୋଇଯାଇଥିଲା। ଦୁର୍ଘଟଣାରେ ଅଟୋଯାତ୍ରୀ ବୈକୁଣ୍ଠ ନାୟକ(୫୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଜ୍ଞାନରଞ୍ଜନ ପଣ୍ତା(୩୪) ଓ ସୂର୍ଯ୍ୟ ନାୟକ(୧୪) ଆହତ ହୋଇଥିଲେ। ସମସ୍ତ ମୃତାହତ ଏହି ବ୍ଲକ୍ ଅନ୍ତର୍ଗତ କୋଲେଶ୍ବର ପଞ୍ଚାୟତ ଅଧୀନ ଗୁଣ୍ତଦ୍ବାର ଗ୍ରାମର। ଘଟଣାକୁ କେନ୍ଦ୍ରକରି ମୃତକଙ୍କ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ କୋଲେଶ୍ବର ପଞ୍ଚାୟତବାସୀ ଦୁର୍ଘଟଣାର ପ୍ରତିବାଦ, ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୁନାପାଳ ଛକଠାରେ ଟାୟାର୍ ଜାଳି ରାସ୍ତାରୋକ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ସ୍ଥାନୀୟ ତହସିଲଦାର ତପନ କୁମାର ପରିଡ଼ା ଏବଂ ଆଇଆଇସି ନିରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ଆଶୁ ଆର୍ଥିକ ସହାୟତା ବାବଦକୁ ୩୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଆହତଙ୍କ ଉପଯୁକ୍ତ ଚିକିତ୍ସା ତଥା ଦୁର୍ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରଶାସନ ପ୍ରତିଶ୍ରୁତି ପରେ ମଧ୍ୟାହ୍ନରେ ରାସ୍ତାରୋକ ହଟିଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଜବତ ହୋଇପାରି ନଥିବା ବେଳେ କଟକ ଏବଂ ଭୁବନେଶ୍ବରରେ ଚିକିତ୍ସାଧୀନ ଥିବା ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାଯାଇଛି। ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଏହି ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଆହତଙ୍କ ଚିକିତ୍ସା ନିମନ୍ତେ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିବା ଜଣାଯାଇଛି।