ଜ୍ବାଇଁ ହତ୍ୟାକାରୀ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଅନୁଗୁଳ: ପାରିବାରିକ ଗଣ୍ଡଗୋଳ କାରଣରୁ ଜ୍ବାଇଁକୁ ହତ୍ୟା କରିଥିବା ରାଧାରମଣପଡ଼ାର ବିପିନ ସାହୁଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରା‌ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ତାଙ୍କୁ ଅତିରିକ୍ତ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। କୋର୍ଟ ବିବରଣୀ ଅନୁସାରେ, ଅନୁଗୁଳ ସହର ରାଧାରମଣପଡ଼ାର ବିପିନ ସାହୁ(୬୬)ଙ୍କ ଏକମାତ୍ର ଝିଅ ରୁନି ସାହୁ(୨୩) ମୋଟଙ୍ଗା ଥାନା ହିନ୍ଦୋଳରୋଡର ଜମ୍ବେଶ୍ବର ପୃଷ୍ଟିଙ୍କୁ ବିବାହ କରିଥିଲେ। ଜମ୍ବେଶ୍ବରଙ୍କ ଆଉ କୌଣସି ସନ୍ତାନସନ୍ତତି ନ ଥିବାରୁ ଜମ୍ବେଶ୍ବର ଓ ତାଙ୍କ ପତ୍ନୀ ଅନୁଗୁଳରେ ଏକାଠି ରହୁଥିଲେ। କିନ୍ତୁ ବିପିନ ପ୍ରାୟ ସମୟରେ ପତ୍ନୀଙ୍କୁ ମାରପିଟ୍ କରିବାରୁ ସେ ତାଙ୍କ ଝିଅଙ୍କ ଘରେ ରହୁଥିଲେ। ଏହାକୁ ନେଇ ଦୁଇ ପରିବାରରେ ଅଶାନ୍ତି ଲାଗି ରହିଥିଲା।

ଗତ ୨୦୨୦ ସେପ୍ଟେମ୍ବର ୮ ତାରିଖରେ ରୁନି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲାବେଳେ ପାଖରେ ତାଙ୍କ ମା’ ଥିଲେ। ଏହି ସମୟରେ ରାସନ ଚାଉଳ ଆଣିବା ପାଇଁ ରୁନିଙ୍କ ମା’ ଓ ରୁନିଙ୍କ ସ୍ବାମୀ ଜମ୍ବେଶ୍ବର ଅନୁଗୁଳ ରାଧାରମଣପଡ଼ାସ୍ଥିତ ଘରକୁ ଆସିଥିଲେ। ବିପିନ ତାଙ୍କ ପତ୍ନୀ ଓ ଜ୍ବାଇଁଙ୍କୁ ଦେଖି ରାଗରେ ଗାଳିଗୁଲଜ କରିଥିଲେ। ଜମ୍ବେଶ୍ବର ତାଙ୍କ ଶ୍ବଶୁରଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲାବେଳେ ବିପିନ ହଠାତ୍‌ ଏକ ଛୁରୀ ଆଣି ଜମ୍ବେଶ୍ବରଙ୍କ ପେଟକୁ ଭୁଷି ଦେଇଥିଲେ। ସ୍ଥାନୀୟ ଲୋକେ ଜମ୍ବେଶ୍ବରଙ୍କୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୧୨ ତାରିଖରେ ଜମ୍ବେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ଏଥିନେଇ ରୁନି ଅନୁଗୁଳ ଥାନାରେ ଏତଲା ଦେବା ପ‌ରେ ପୁଲିସ ୧୦୭୫/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ବିପିନ ସାହୁଙ୍କୁ ଗିରଫ କରିଥିଲା।

ଏହି ମାମଲାର ବିଚାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରଂଜିତା ଜ୍ୟୋତିଷିଙ୍କ ଅଦାଲତରେ ଚାଲିଥିଲା। ଏହି ମାମଲାରେ ୨୨ ଜଣ ସାକ୍ଷୀ ଓ ଅନ୍ୟ ଦଲିଲକୁ ଭିତ୍ତିକରି ଅଦାଲତ ଶ୍ବଶୁର ବିପିନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର