ହରିୟାଣା ରାଜନୈତିକ ସଙ୍କଟ: ଆସ୍ଥା ଭୋଟ୍‌ ପାଇଁ ଦାବି ରାଜ୍ୟପାଳଙ୍କୁ ଦୁଷ୍ୟନ୍ତଙ୍କ ଚିଠି

ଚୌତାଲାଙ୍କ ଦଳରେ ଫାଟ, ଖଟ୍ଟରଙ୍କୁ ଭେଟିଲେ ଜେଜେପିର ୪ ବିଧାୟକ

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ମଧ୍ୟରେ ହରିୟାଣା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ୩ ସ୍ବାଧୀନ ବିଧାୟକ ହରିୟାଣାରେ ବିଜେପି ନେତୃତ୍ବାଧୀନ ନାଏବ ସିଂହ ସୈନି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଜଟିଳ ହୋଇଛି। ଇତିମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ପୂର୍ବତନ ସହଯୋଗୀ ଦୁଷ୍ୟନ୍ତ ଚୌତାଲା ଆଜି ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ନିକଟକୁ ଏକ ଚିଠି ଲେଖି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ପାଇଁ ଦାବି କରିଛନ୍ତି। ଚୌତାଲା କହିଛନ୍ତି, ନିକଟରେ ୩ଜଣ ସ୍ବାଧୀନ ବିଧାୟକ ବିଜେପି ନେତୃତ୍ବାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ଏବଂ ୨ ଜଣ ବିଧାୟକ ଇସ୍ତଫା ଦେବାପରେ ଶାସକ ବିଜେପି ମେଣ୍ଟ ସଂଖ୍ୟାଲଘୁ ହୋଇଛି। ତେଣୁ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ତୁରନ୍ତ ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ କରାଯାଉ। ସେ ମଧ୍ୟ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାପାଇଁ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ସ୍ବାଧୀନ ବିଧାୟକ ସୋମବୀର ସଙ୍ଗୱନ (ଦାଦ୍ରି), ରଣଧୀର ସିଂହ ଗୋଲ୍ଲେନ (ପୁନ୍ଦ୍ରି) ଏବଂ ଧର୍ମପାଲ ଗୋନ୍ଦର (ନିଲୋଖେଡ଼ି) ରୋହତକରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଘୋଷଣା କରିଥିଲେ। ସେମାନଙ୍କ ସହ ବିଧାନସଭାରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ହୁଦା ଉପସ୍ଥିତ ଥିଲେ। ଚୌତାଲା କହିଛନ୍ତି, ୨ ମାସ ପୂର୍ବେ ଗଠନ ହୋଇଥିବା ସରକାର ଏବେ ସଂଖ୍ୟାଲଘୁ ହୋଇଛି। ସରକାର ବିରୋଧରେ କୌଣସି ଅନାସ୍ଥା ଆସିଲେ ଏହାକୁ ଆମେ ସମର୍ଥନ କରିବୁ। ଆମେ ରାଜ୍ୟପାଳଙ୍କୁ ଚିଠି ଲେଖି ସାରିଛୁ ଏବଂ ଏବେ କଂଗ୍ରେସ କ’ଣ ପଦକ୍ଷେପ ଗ୍ରହଣ କରିବ ତା’ଉପରେ ନଜର ରହିଛି। ଅନ୍ୟ ‌ଯେ କୌଣସି ଦଳ ସରକାର ଗଠନ କଲେ ଜେଜେପି ତାହାକୁ ସମର୍ଥନ କରିବ ବୋଲି ଚୌତାଲା କହିଛନ୍ତି। ଉଲ୍ଳେଖଯୋଗ୍ୟ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ସଦସ୍ୟ ଅଛନ୍ତି। ହରିୟାଣାରେ ମ୍ୟାଜିକ୍‌ ନମ୍ବର ହେଉଛି ୪୫।

ଦୁଷ୍ୟନ୍ତ ଚୌତାଲା ବିଜେପି ନେତୃତ୍ବାଧୀନ ନା‌ଏବ ସିଂହ ସୈନି ସରକାରର ପତନ ପାଇଁ ପ୍ରୟାସ ଚଳାଇଥିବା ବେଳେ ତାଙ୍କ ଦଳରେ ମଧ୍ୟ ଏହାକୁ ନେଇ ବିବାଦ ଚରମରେ ପହଞ୍ଚିଲାଣି। ରାଜ୍ୟରେ ବିଜେପି ସରକାର ଭାଙ୍ଗିବାପାଇଁ ତାଙ୍କ ଦଳ ଅନ୍ୟ ଯେକୌଣସି ଦଳକୁ ସମର୍ଥନ କରିବାପାଇଁ ପ୍ରସ୍ତୁତ ଅଛି ବୋଲି ଦୁଷ୍ୟନ୍ତଙ୍କ ଘୋଷଣା ପରେ କେତେକ ବିଧାୟକ ଦଳର ଏଭଳି ଆଭିମୁଖ୍ୟକୁ ବିରୋଧ କରିଛନ୍ତି। ଆଜି ଅପରାହ୍ନରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏବଂ ରାଜ୍ୟ ମନ୍ତ୍ରୀ ମହିପାଲଙ୍କୁ ଜେଜେପିର ୪ ଜଣ ବିଧାୟକ ଭେଟିବା ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ମହିପାଲଙ୍କ ବାସଭବନରେ ଏହି ବୈଠକ ହୋଇଥିଲା । ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିବାବେଳେ ବୈଠକରେ ଜେଜେପିର ୪ ଜଣ ବିଧାୟକ ଉପସ୍ଥିତ ଥିବା ସ୍ପଷ୍ଟ ହେବାପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଙ୍କଟ ନେଇ ବୈଠକରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର