ସପ୍ତାହକ ଭିତରେ ୩ ଅଘଟଣ, ଏସ୍‌ସିବି ଆଇସିୟୁରୁ କରୋନା ରୋଗୀ ଗାଏବ୍

ରୋଗୀ ଘରେ ପହଞ୍ଚି ସାରିଛନ୍ତି: ଏସ୍‌ସିବି

କଟକ: ବଡ଼ ଡାକ୍ତରଖାନା କରୋନା ଆଇସିୟୁରେ ଚିକିତ୍ସିତ ହେଉଥିବା ମାହାଙ୍ଗା ଅଞ୍ଚଳର ଜଣେ ରୋଗୀ ଗାଏବ୍ ହୋଇଯାଇଛନ୍ତି। ପରିବାର ଲୋକେ ଏ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ରୋଗୀଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ରୋଗୀଜଣକ ସଂଧ୍ୟାରେ ନିଜ ଘରେ ପହଞ୍ଚି ଯାଇଛନ୍ତି ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ, ରୋଗୀଜଣକ କୋଭିଡ୍‌ ଆଇସିୟୁ ଭଳି ସୁରକ୍ଷିତ ଓ ସ୍ଥାନରୁ କିପରି ବାହାରି ପଳାଇଗ‌ଲେ ତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ଏଭଳି ଘଟଣାକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୁଲିସ ଅଡ଼ୁଆରେ ପଡ଼ିଯାଇଛନ୍ତି। ମାହାଙ୍ଗା ଅଞ୍ଚଳର ବିଶ୍ବନାଥ ସ୍ବାଇଁ(୫୫) କରୋନା ସଂକ୍ରମିତ ହେବା ପରେ ଗଲା ୫ ତାରିଖରେ ବଡ଼ ଡାକ୍ତରଖାନାର କରୋନା ଆଇସିୟୁରେ ଭର୍ତ୍ତି ହୋଇଥିଲେ। ବୁଧବାର ଭୋର୍‌ ପ୍ରାୟ ୩ଟା ବେଳେ ସେ ଡାକ୍ତରଖାନାରୁ କେଉଁଆଡ଼େ ଗାଏବ୍ ହୋଇଯାଇଥିବା ଜଣାପଡ଼ିଥିଲା। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ସୁଦ୍ଧା ପତ୍ତା ନ ମିଳିବାରୁ ତାଙ୍କ ପତ୍ନୀ ସରସ୍ବତୀ ସ୍ବାଇଁ ମଙ୍ଗଳାବାଗ ଥାନାରେ ସ୍ବାମୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ।

ଅନ୍ୟପଟେ ଶ୍ରୀ ସ୍ବାଇଁ ସନ୍ଧ୍ୟାରେ ନିଜ ଗାଁରେ ବୁଲୁଥିବା କମିସନରେଟ୍ ପୁଲିସ ଖବର ପାଇଥିବା ବେଳେ ମାହାଙ୍ଗା ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲା। ମାହାଙ୍ଗା ପୁଲିସ ବିଶ୍ବନାଥଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାକୁ ପଠାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଅପରପକ୍ଷେ, ଗାଏବ୍‌ ହୋଇଥିବା ରୋଗୀ ଘରେ ପହଞ୍ଚି ସାରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିବା ନେଇ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି। ତେବେ, ଆଉ ମାତ୍ର ଦୁଇଦିନ ପରେ ଉକ୍ତ ରୋଗୀ ଡାକ୍ତରଖାନାରୁ ଡିସ୍‌ଚ‌ାର୍ଜ ହେବାର ଥିଲା। ଏଭଳି କ’ଣ ଘଟିଲା ଯେ, ସେ ଲୁଚିଛପି ପଳାଇଲେ ତା’କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ପୂର୍ବରୁ ମଧ୍ୟ ବଡ଼ ଡାକ୍ତରଖାନାରୁ ଏଭଳି ୧୦ରୁ ଅଧିକ କରୋନା ରୋଗୀ ଓ୍ବାର୍ଡରୁ ଖସିଯାଇ ବାହାରେ ବୁଲୁଥିବାର ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର