ବେସରକାରୀ ଅଧ୍ୟାପକ, କର୍ମଚାରୀଙ୍କ ଦାବିପତ୍ର

କେନ୍ଦୁଝର:  ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା ୬୬୨ବର୍ଗ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବେସରକାରୀ ଅଧ୍ୟାପକ, କର୍ମଚାରୀ ସଂଘ କେନ୍ଦୁଝର ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଫେବ୍ରୁଆରି ୧୩ରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସଂଘ ପକ୍ଷରୁ ଧାରଣା ଜାରି ରହିଛି। ୪ ଦଫା ଦାବି ନେଇ ସମସ୍ତ ଅଧ୍ୟାପକ, କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ସମାନ ଗ୍ରେଡ୍‌ ପେ’କୁ ସମାନ ଦରମା ପ୍ରଦାନ, ୨୦୦୮ ଜିଓରେ ଅନ୍ତର୍ଭୁକ୍ତ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କୁ ପେନ୍‌ସନ୍‌ ଓ ଅବସରକାଳୀନ ସୁବିଧା ପ୍ରଦାନ, ୨୦୧୮ ଗ୍ରାଣ୍ଟ-ଇନ୍‌-ଏଡ୍‌ରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ, ୨୦୦୮ ଓ ୨୦୧୪ ଜିଆଇଏ ଆଦେଶରେ ଥିବା ଅସଂଗତି ଦୂର କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏ ସମସ୍ତ ଦାବିକୁ ଦୃଷ୍ଟିରେ ରଖି ସରକାର ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଥିଲେ। କିନ୍ତୁ ଗତ ଚାରିମାସ ମଧ୍ୟରେ ଏହି କମିଟି ମାତ୍ର ଥରୁଟିଏ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ନଚେତ ଜୁଲାଇ ୨୦ରୁ ସମସ୍ତ ଅଧ୍ୟାପକ, କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ବେଳେ ଅଧ୍ୟାପକ ବିପିନ ବିହାରୀ ସାହୁ, ନାରାୟଣ ସାହୁ, ପ୍ରକାଶ କୁମାର ଆଚାର୍ଯ୍ୟ, ସଂଗ୍ରାମ କେଶରୀ ବେହେରା, ତୁଳସୀ ଚରଣ ମହାନ୍ତ, ଅଧ୍ୟାପିକା ସ୍ମୃତି ବାନାର୍ଜୀ, ନିରୁପମା ଦାସ, ଅଶୋକ କୁମାର ରାଜ, ନିହାର ରଞ୍ଜନ ସାମଲ, କ୍ଷୀରୋଦ ପ୍ରସାଦ ଷଡ଼ଙ୍ଗୀ, ସୁଶାନ୍ତ କୁମାର ସାହୁ, ନରେନ୍ଦ୍ର କୁମାର ରାଉତ, ନିରାକାର ମହାନ୍ତି, ସୁରେଶ ଚନ୍ଦ୍ର ପ୍ରଧାନ, ସୌଦାମିନୀ ବାରିକ, ସ୍ନିଗ୍ଧା ଦାସ, ବିଜୟିନୀ ଆଚାର୍ଯ୍ୟ, ଅଶୋକ କୁମାର ସାହୁ, ହିମାଂଶୁ ଶେଖର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର