ବାତ୍ୟା ବର୍ଷା ପରେ ଫସଲକୁ ହାତୀ ଭୟ, ଗାଲେରୀ ଦୋମୁହାଣି ଇଲାକାରେ ବ୍ୟାପକ ଫସଲ ନଷ୍ଟ

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅଧିନ ବିଭିନ୍ନ ବନାଞ୍ଚଳରେ କିଛିଦିନ ହେବ ହାତୀପଲ ଧାନ କ୍ଷେତ ଆଡକୁ ଆସୁଥିବା ଦେଖିବାକୁ ମିଳିଛି। କ୍ଷେତରେ ପଶି ଧାନ ଫସଲ ନଷ୍ଟ କରିବା ସହ ହାତୀଙ୍କ ଉପଦ୍ରବରେ ସ୍ଥାନୀୟ ଲୋକ ଅତିଷ୍ଠ ହୋଇ ପଡିଲେଣି ।  ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଓ ପରେ ପରେ ଲଗାଣ ବର୍ଷା ଓ ବାତ୍ୟା ପ୍ରଭାବରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଥିବା ବେଳେ ବର୍ତ୍ତମାନ ଧାନ କ୍ଷେତକୁ ହାତୀ ଭୟ ଘାରିଛି। ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼,ଜଗନ୍ନାଥପ୍ରସାଦ ଓ ତାରସିଂ ବନାଞ୍ଚଳରେ ହାତୀଙ୍କ ଗତିବିଧି ଲକ୍ଷ କରାଯାଇଥିବା ବ‌େଳେ ବର୍ତ୍ତମାନ ଧାନ ଫସଲ ପାଚି ଆସୁଥିବାରୁ କ୍ଷେତ ଆ‌ଡ଼କୁ ମାଡି ଆସୁଛନ୍ତି। ଆଉ କ୍ଷେତ ଭିତରେ ଖାଇବା ଅପେକ୍ଷା ଦଳି ଚକଡି ବ୍ୟାପକ ମାତ୍ରାରେ ଫସଲ ନଷ୍ଠ କରୁଛନ୍ତି ।

ବିଶେଷ କରି ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ବନାଞ୍ଚଳର ଦୋମୁହାଣୀ, ହରିଗଡ଼,ରାଇଗୋଚ୍ଛା,କୁରାଢିଆ,ନୂଆପଲ୍ଲୀ ଓ ଚଢିଆପଲ୍ଲୀ ଗ୍ରାମ ନିକଟରେ ପ୍ରତିଦିନ ହାତୀ ମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଉଛି। ସଂନ୍ଧ୍ୟା ହେବା କ୍ଷଣି ଗାଲେରୀ ନିକଟ ସୁଳାବଣି ଜଙ୍ଗଲ ଭିତରୁ ହାତୀପଲ ବାହାରି କ୍ଷେତ ଭିତରୁ ପଶୁଛନ୍ତି। ପାଚିଲା ଧାନ ଫସଲର ବାସ୍ନା ପାଇ ଜଙ୍ଗଲ ଭିତରୁ ହାତୀ ବାହାରକୁ ଆସୁଛନ୍ତି। ଧାନ ଫସଲ ଖାଇବା ପାଇଁ ଆସି ଅନେକ ସମୟରେ ଜନବସତି ଆଡ଼କୁ ମଧ୍ୟ ମୁହାଁଇଥାନ୍ତି। ଏହି ସମୟରେ ମଣିଷ ଠାରୁ ହାତୀର ସୁରକ୍ଷା ଏବଂ ହାତୀ ଠାରୁ ମଣିଷ ସୁରକ୍ଷା ବଡ ଚାଲେଞ୍ଜ ଭାବେ ଉଭା ହୋଇଛି।  ବିଗତ ବର୍ଷ ଏହି ସମୟରେ ନୂଆପଲ୍ଲୀ ଜଙ୍ଗଲରେ ହାତୀ ମଣିଷ ଲ‌‌ଢେଇରେ ଜଣେ ନାବାଳକ ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ହାତୀପଲ ପୁଣି ସେହି ସ୍ଥାନକୁ ଫେରିଛନ୍ତି। ହାତୀ ମାନଙ୍କୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚୁଥିଲେ ମଧ୍ୟ ହାତୀ ମାନେ ରାତିରେ କ୍ଷେତ ଛାଡି ଯାଉନଥିବା ବନ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ବର୍ଷା ଦାଉରୁ ନଷ୍ଟ ହୋଇଥିବା ଫସଲକୁ ସାଉଁଟି ବର୍ଷ ଜାକର ଆହାର ଯୋଗାଡ କରିବା ନିମନ୍ତ‌େ ସଂର୍ଘଷ ଜାରି ରଖିଛି । ବର୍ତ୍ତମାନ ଚାଷୀ ମାନେ କ୍ଷେତରୁ ଧାନ ଫସଲ କାଟି ‌ଖଳାକୁ ବୋହି ଆଣିବା ପାଇଁ ପ୍ରୟାଶ ଜାରି ରଖିଥିବା ବ‌େଳେ ହାତୀପଲ ଚିନ୍ତା ବଢାଇଛନ୍ତି ।

ବର୍ତ୍ତମାନ ଏହି ହାତୀପଲରେ ୧୮ ରୁ ୨୦ ଟି ହାତୀ ରହିଥିବା ବେଳେ ସେଥିରେ ୫ ଟି ଦନ୍ତା ଏବଂ ୧୦ ଟି ମାଇ ହାତୀ ସମେତ ଛୁଆ ହାତୀ ରହିଥିବା ଜଣାପଡିଛି। ହାତୀ ଭୟରେ ସଂନ୍ଧ୍ୟା ହେଲେ ପ୍ରାୟ ଲୋକ ଘର ବାହାରକୁ ବାହାରୁ ନଥିବା ବେଳେ ଦିନରେ ମଧ୍ୟ ‌ଏହି ରାସ୍ତାଦେଇ ଯାତାୟତ କରିବାକୁ ଲୋକ ଭୟ କରୁଥିବା ପ୍ରକାଶ କରିଛନ୍ତି। ହାତୀ ମାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ବନ ବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ସମତେ ସ୍ଥାନୀୟ ଗ୍ରାମବାସୀଙ୍କ ଧନ ଜୀବନ ସୁରକ୍ଷା ପାଇଁ ବ୍ୟପକ ସଚେତନ କରାଯାଉଛି। ସଂନ୍ଧ୍ୟା ହେଲେ ଘରୁ ନବାହାରିବା ପାଇଁ ମେସେଜ ମାଧ୍ୟମରେ ସୁଚନା ଦିଆଯାଉଥିବା‌ ବେଳେ ହାତୀ ମାନେ ଯାତାୟତ କରୁଥିବା ରାସ୍ତାରେ ଥିବା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି। ପ୍ରତିଦିନ ହାତୀ ମାନଙ୍କ ପାଇଁ ବିଦ୍ୟୁତ କାଟ  ହେଉଥିବାରୁ ସ୍ଥାନୀୟ ଇଲାକାରେ ଅ‌ସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବନ ବିଭାଗ ପକ୍ଷରୁ ହାତୀ ମାନଙ୍କ ପାଇଁ ଅଧିକ ତତ୍ପରତା ପ୍ରକାଶ କରି ହାତୀ ମାନଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବା ସହ ଚାଷୀ ମାନଙ୍କ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।

ସମ୍ବନ୍ଧିତ ଖବର