ରାୟଗଡ଼ା: ଝିଲିକ୍ ମୋସନ ପିକଚର୍ସର ଦ୍ୱାରା ପ୍ରୟୋଜିତ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ଅସମ୍ବିଧାନିକ ଶଦ୍ଦ ‘ହରିଜନ’କୁ ପ୍ରୟୋଗ କରାଯାଇଥିବା ଅଭିଯୋଗରେ ଥାନାରେ ଏତଲା ହୋଇଛି। ଏହି ଚଳଚ୍ଚିତ୍ରରେ ଏକ ନିର୍ଦ୍ଦିଷ୍ଟ ଅନୁସୂଚିତ ଜାତିକୁ ଅପମାନ ପହଂଚାଇ ଥିବା ହେତୁ ଉକ୍ତ ସମାଜ ଏବେ ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରୁ ନ ଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଚଳଚ୍ଚିତ୍ରର ପ୍ରୟୋଜକ ଝିଲିକ ଭଟ୍ଟାଚାର୍ଯ୍ୟ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ସମେତ ଚଳଚ୍ଚିତ୍ର ଅଭିନେତା ଅମ୍ଳାନ ଦାସ ଓ ଅଭିନେତ୍ରୀ ଏଲିନା ସାମାନ୍ତରାୟଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବା ସହ ଉକ୍ତ ଚଳଚ୍ଚିତ୍ରକୁ ବେଆଇନ୍ ଘୋଷଣା ପାଇଁ ଦାବି କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାମସେଫ୍ ଫେଡେରେସନର ଆଇନ ଉପଦେଷ୍ଟା ଉଦ୍ଧବ କୌଶଲ୍ୟା।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ସମ୍ବିଧାନର ଧାରା ୧୫୩ ଏ ଆଇପିସିରେ କୌଣସି ଜାତି, ଧର୍ମ, ବାସସ୍ଥାନ ଓ ଭାଷାକୁ ନେଇ ଆକ୍ଷେପ କରାଯାଇ ପାରିବ ନାହିଁ, ଯାହା ଆଇନସିଦ୍ଧ ନୁହେଁ ଏବଂ ଏହା ଏସସି, ଏସଟି ଆଟ୍ରୋସିଟି ପ୍ରିଭେନସନ୍ ଆକ୍ଟ ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ। ଏହି ଆଇନ ଅନୁସାରେ ‘ହରିଜନ’ ଏକ ଅସାମ୍ବିଧାନିକ ଶଦ୍ଦ। ଏହି ଶଦ୍ଦକୁ କୌଣସି ଜାତି ଉପରେ ପ୍ରୟୋଗ କରିବା ଭାରତୀୟ ସମ୍ବିଧାନର ଧାରା ୧୫୩ ଏ ଅନୁଯାୟୀ ଦଣ୍ଡନୀୟ ରହିଛି। ତଥାପି ‘ପ୍ରିୟେ ତୁ ମୋ ସିଏ’ ଓଡିଆ ଚଳଚ୍ଚିତ୍ରରେ ‘ହରିଜନ’ ଶଦ୍ଦ ପ୍ରୟୋଗ କରାଯିବା ଦ୍ୱାରା ଆମର ଆତ୍ମସ୍ୱାଭିମାନ ନଷ୍ଟ କରାଯାଉଛି। ଯଦ୍ୱାରା ଆମେ ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରୁନାହୁଁ ବୋଲି ବାମସେଫ୍ ଫେଡେରେସନ୍ ଆଇନ ଉପଦେଷ୍ଟା କୌଶଲ୍ୟା ଅଭିଯୋଗ ପତ୍ରରେ ଉଲ୍ଳେଖ କରିଛନ୍ତି।
ରାୟଗଡ଼ା ଥାନା ଅଧିକାରୀ କମଳକାନ୍ତ ବସନ୍ତ କୁମାର କହଁରଙ୍କୁ ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ବାମସେଫ୍ ଫେଡେରେସନ୍ ସଭାପତି ଜନାର୍ଦ୍ଦନ ଗରଡ଼ା, ଧନଂଜୟ ନାଏକ, ରବୀନ୍ଦ୍ର ଗରଡ଼ାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।