ଖୋର୍ଦ୍ଧାରେ ଦୁଇ ଦିନରେ ୧୮୦ ମିମି ବର୍ଷା ରେକର୍ଡ

ଖୋର୍ଦ୍ଧା: ଚଳିତ ମାସର ପ୍ରଥମ ୧୫ ଦିନରେ ରାଜ୍ୟର ୧୭ଟି କମ୍ ବୃଷ୍ଟିପାତ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରହିଥିଲା। ତେବେ ତୃତୀୟ ସପ୍ତାହରେ ସାମାନ୍ୟ ବର୍ଷାରେ ଏହି ତାଲିକାରୁ ହଟିଥିଲେ ମଧ୍ୟ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ସାମାନ୍ୟ ବର୍ଷାର ପରିମାଣ ଠାରୁ ୨୦ ପ୍ରତିଶତ କମ୍ ରହିଛି। ଚଳିତବର୍ଷ ମୌସୁମୀ ଠିକଣା ସମୟରେ ଆସିଥିଲେ ମଧ୍ୟ ବୃଷ୍ଟିପାତ ହାର କମ୍ ରହିଛି। ଜୁନ୍‌ ମାସରେ ସାମାନ୍ୟ ବୃଷ୍ଟିପାତ ଠାରୁ ପ୍ରାୟ ୨୩ ପ୍ରତିଶତ କମ୍ ବୃଷ୍ଟି ହୋଇଥିଲା। ଜୁଲାଇ ମାସରେ ମଧ୍ୟ ବୃଷ୍ଟିପାତ ହାର ସର୍ବନିମ୍ନ ରହିଥିଲା। ଫଳରେ ଜିଲ୍ଲାର ଅର୍ଦ୍ଧାଧିକ ଚାଷ ଜମିରେ ଚାଷକାମ ଆରମ୍ଭ ହୋଇ ପାରିନଥିଲା। ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷାରେ ଏହାର ଭରଣା ହୋଇଛି। ତେବେ ଯେଉଁ ପରିମାଣରେ ବର୍ଷା ହୋଇଛି ତାହା ସାମାନ୍ୟ ବର୍ଷା ହାର ଠାରୁ ୨୦ ପ୍ରତିଶତ କମ୍ ରହିଛି। ଏହି ମାସରେ ସାଧାରଣ ବର୍ଷା ୩୦୪.୯ ମିମି ହୋଇଥାଏ। ଆଜି ସୁଦ୍ଧା ଜିଲ୍ଲାରେ ୨୫୭.୩୭ ମିମି ବର୍ଷା ହୋଇଛି। ଦୁଇଦିନ ମଧ୍ୟରେ ୧୮୦ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲା ପାଣିପାଗ କେନ୍ଦ୍ର ଠାରୁ ମିଳିଥିବା ସୂଚନାରେ ଆଜି ଜିଲ୍ଲାରେ ୯୨.୬ ମିମି ବର୍ଷା ରେକର୍ଡ କରାଯାଇଛି।

ଅପରାହ୍ନ ସୁଦ୍ଧା ବାଲିଅନ୍ତାରେ ସର୍ବାଧିକ ୪୬ ମିମି, ବାଲିପାଟଣାରେ ୧୦.୫ ମିମି, ଭୁବନେଶ୍ୱର ବ୍ଲକରେ ୫ ମିମି, ଜଟଣୀରେ ୫ ମିମି, ବାଣପୁରରେ ୩ ମିମି, ବେଗୁନିଆରେ ୨ ମିମି, ଚିଲିକାରେ ୩ ମିମି, ଖୋର୍ଦ୍ଧାରେ ୧୦ ମିମି ଓ ଟାଙ୍ଗୀରେ ୮ ମିମି ବର୍ଷା ହୋଇଥିବା ବେଳେ ବୋଲଗଡ଼ରେ ବର୍ଷା ହୋଇନାହିଁ। ଗତକାଲି ଖୋର୍ଦ୍ଧା ଜିଲ୍ଲାରେ ମୋଟ ୮୭.୪ ମିମି ବର୍ଷା ରେକର୍ଡ କରାଯାଇଥିଲା। ବାଲିଅନ୍ତାରେ ୨୨ ମିମି, ବାଲିପାଟଣାରେ ୫ ମିମି, ଭୁବନେଶ୍ୱରରେ ୧୧.୨ ମିମି, ଜଟଣୀରେ ୧୦ମିମି, ବାଣପୁରରେ ୩ ମିମି, ବେଗୁନିଆରେ ୧୦ ମିମି, ବୋଲଗଡ଼ରେ ୮ ମିମି, ଚିଲିକାରେ ୮ ମିମି, ଖୋର୍ଦ୍ଧାରେ ୩ ମିମି, ଟାଙ୍ଗୀରେ ୭.୨ ମିମି ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର