ନକ୍ସଲଙ୍କ ବୋମା ବିସ୍ଫୋରଣରେ ଜଣେ ଯବାନ ଆହତ, ୩ଟି ବୋମା ଉଦ୍ଧାର

ମାଲକାନଗିର: ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ନକ୍ସଲମାନେ ପୁଣି ହିଂସାକାଣ୍ଡ ଭିଆଇଛନ୍ତି। ଏଥର ନକ୍ସଲମାନେ ବିଏସଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି। ସେମାନେ ପୁଲିସ ପାର୍ଟି ଏବଂ ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିବା ସହ ଅତର୍କିତ ଗୁଳି ବର୍ଷଣ କରିଛନ୍ତି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଥିବା ବେଳେ ବହୁ ନକ୍ସଲ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯବାନ ଜଣକ ହେଲେ କୃପା ଶଙ୍କର। ତାଙ୍କୁ  ତୁରନ୍ତ ରାୟପୁର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

ଘଟଣା ମୁତାବକ ୧୫୭ ମହଲା କ୍ୟାମ୍ପର ବିଏସଏଫ ବାଟାଲିନୟର ଯବାନ କୁମ୍ବିଂ କରିବାକୁ ଯାଇଥିଲେ। ତେବେ ପୂର୍ବରୁ ନକ୍ସଲ ଜଗି ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ପ୍ରଥମେ ବୋମା ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ କୃପା ଶଙ୍କର ଆହତ ହୋଇଥିଲେ। ନକ୍ସଲ ବୋମା ବିସ୍ଫୋରଣ କରିବା ପରେ ଯବାନଙ୍କ ଉପରେ ଆତର୍କିତ ଗୁଳି ଚଳାଇଥିଲେ। ଯାହାଫଳରେ ଯବାନ ମଧ୍ୟ ନିଜକୁ ସୁରକ୍ଷିତ ରଖି ନକ୍ସଲ ଉପରେ ଗୁଳି ଚଳାଇଥିଲେ।

ତେବେ ଯବାନଙ୍କ ଗୁଳିର ସାମ୍ନା କରିପାରି ନଥିଲେ ନକ୍ସଲ। ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ବହୁ ନକ୍ସଲ ଆହତ ହୋଇଥିବା ପୁଲିସ କହିଛି। ତେବେ ଘଟଣାସ୍ଥଳରେ ପୁଲିସ ବହୁ ମାଓ ସାମଗ୍ରୀ ଜବତ କରିବା ସହ ତିନୋଟି ବୋମା ମଧ୍ୟ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ଏହି ତିନୋଟି ବୋମାକୁ ଯବାନ ନିଷ୍କ୍ରିୟ କରିଥିବା କହିଛନ୍ତି। ବର୍ତ୍ତମାନ ମଧ୍ୟ ଏହି ଅଂଚଳକୁ ସିଲ କରିଦେବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଥିବା କୁହାଯାଇଛି।

ସମ୍ବନ୍ଧିତ ଖବର