ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ବେଉରାଙ୍କୁ ଓଡିଶା ସାମ୍ବାଦିକତା ସମ୍ମାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ବେଉରାଙ୍କୁ ଚଳିତ ବର୍ଷ ପାଇଁ ଓଡିଶା ସାମ୍ବାଦିକ ସମ୍ମାନରେ ସମ୍ମାନୀତ କରାଯାଇଛି। ପଲ୍ଲୀବାଣୀ ମିଶନ ପକ୍ଷରୁ ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ ବ୍ଲକ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ସମ୍ମାନୀତ କରିଛନ୍ତି। ଓଡିଶାର ଉପାନ୍ତ ଅଂଚଳ ଏବଂ ନକ୍ସଲ ପ୍ରବଣ ଅଂଚଳରେ କାମ କରି ରାଜ୍ୟର ହିତକୁ ସର୍ବାଗ୍ରେ ରଖିଥିବାରୁ ଜିତେନ୍ଦ୍ରଙ୍କ ଏହି ପ୍ରୟାସକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।ଏହି ଉଦ୍ୟମକୁ ନିରନ୍ତର ରଖି ରାଜ୍ୟର ବିକାଶରେ ପ୍ରମୁଖ ଭୁମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।ମାଲକାନଗିରି ଜିଲ୍ଲାରେ ଯେତେବେଳେ ନକ୍ସଲଙ୍କର ଦବଦବା ରହିଥିଲେ ସେତେବେଳେ ଜିତେନ୍ଦ୍ର ଜୀବନକୁ ପାଣି ଛଡାଇ ନକ୍ସଲ ଗଡରେ ନିୟମିତ ଖବର ସଂଗ୍ରହ କରି ସାହସିକତାର ପରିଚୟ ପ୍ରଦାନ କରିପାରିଛନ୍ତି।

ଓଟିଭି ଭଳି ଏକ ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ହୋଇ ମାଲକାନଗିରି ଜିଲ୍ଲାର ବିକାଶ ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନକୁ ଭୃୟସୀ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅମରେନ୍ଦ୍ର ଖଟୁଆ,ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭାକାର ଶୀଲା ଭଟ୍ଟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିତେନ୍ଦ୍ରଙ୍କ ସମେତ ଓଡିଶା ସାମ୍ବାଦିକ ଜଗତର ୭ ଜଣ ସାମ୍ବାଦିକ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ତୃଣମୂଳସ୍ତରରେ ଜିତେନ୍ଦ୍ରଙ୍କ ଲେଖା ଶୈଳୀ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଜିଲ୍ଲାର ଅସଲ ଚିତ୍ରକୁ ପ୍ରତିପାଦନ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ନକ୍ସଲଙ୍କର ଗୋଟି ଚାଳନା ହେଉ ବା ଜିଲ୍ଲାରେ ହେଉଥିବା ଦୁର୍ନୀତିକୁ ଲୋକଙ୍କ ସାମ୍ନାରେ ଆଣି ଜିଲ୍ଲାର ଉନ୍ନତିରେ ସହଭାଗିତା କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲାପାଳ,ଏସପି ସମେତ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦେବ ପ୍ରସାଦ ଦାସ,ସଂପାଦକ ପ୍ରମେନ୍ଦ୍ର ପରିଛା,ଉପସଭାପତି ସତ୍ୟ ନାରାୟଣ ପଣ୍ଡା,କାମରାଜ ଜେନା,ଡ.ରଂଜନ କୁମାର ସ୍ବାଇଁ ତଥା ବୁଦ୍ଧିଜୀବୀ,ସ୍ଥାନୀୟ ଜନସାଧାରଣ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର